ଛାତିରେ ଟ୍ୟୁମର, ଚିକିତ୍ସା ପାଇଁ ଅର୍ଥ ବାଧକ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ସଦରମହକୁମା ସ୍ଥିତ ହରିଜନ ସାହିର ଲିଙ୍ଗରାଜ୍‌ ବାଘ(୩୦) ନାମକ ଯୁବକଙ୍କ ଛାତିରେ ଟ୍ୟୁମର ହୋଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ପରିବାର ଲୋକେ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ଅନ୍ୟତ୍ର ଚିକିତ୍ସା ପାଇଁ ପରାମର୍ଶ ଦେବା ପରେ ଗରିବ ପରିବାର ବିଶାଖାପାଟଣା ନେବାକୁ ମନସ୍ଥ କରିଥିଲେ। ତେବେ ସେଠାକାର କେତେକଙ୍କ ପରାମର୍ଶ କ୍ରମେ ଆନ୍ଧ୍ରର ବିଜୟନଗର ସ୍ଥିତ ନିମ୍‌ସ ହସପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବିଶାଖାପାଟଣା ଟାଟା ମେମୋରିଆଲ୍‌ ହସପିଟାଲ୍‌ ନେବା ପାଇଁ ପରାମର୍ଶ ଦେବା ପରେ ଚିକିତ୍ସା ପାଇଁ ସାହି ବାସିନ୍ଦାଙ୍କ ଠାରୁ ଅର୍ଥ ଆଦାୟ କରି ସେଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଟାଟା ମେମୋରିଆଲ୍‌ ହସପିଟାଲ୍‌ରେ ଲିଙ୍ଗରାଜ୍‌ଙ୍କ ଚିକିତ୍ସା ପାଇଁ ଗୋଟିଏ ଇଞ୍ଜେକ୍ସନ୍‌ର ମୂଲ୍ୟ ୪୮ହଜାର ଟଙ୍କା ଲେଖାଏଁ ହୋଇଥିବା ବେଳେ ୬ଟି ଇଞ୍ଜେକ୍ସନ୍‌ ୨୦ଦିନ ବ୍ୟବଧାନରେ ପ୍ରଦାନ କରାଗଲେ ସୁସ୍ଥ ହୋଇପାରିବେ ବୋଲି ଡାକ୍ତର ପ୍ରକାଶ କରିଥିଲେ।

ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଯୁବକ ଓ ହରିଜନ ବସ୍ତିର ଲୋକଙ୍କ ସାହାଯ୍ୟରେ ଲିଙ୍ଗରାଜଙ୍କୁ ଦୁଇଟି ଇଞ୍ଜେକ୍ସନ ପ୍ରଦାନ କରାଯାଇଛି। ରୋଗୀ ଗରିବ ହୋଇଥିବାରୁ ଡାକ୍ତରଖାନା ପକ୍ଷରୁ ୨୬ହଜାର ଟଙ୍କା ଲେଖାଏଁ ନିଆଯାଇ ପ୍ରଦାନ କରାଯାଇଛି। ତେବେ ଆସନ୍ତା ୨୮ତାରିଖରେ ତୃତୀୟ ଇଞ୍ଜେକ୍ସନ୍‌ ନେବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଯଦି ସଂପୂର୍ଣ ଇଞ୍ଜେକ୍ସନ ଦିଆନଯାଏ ତାହାହେଲେ ଲିଫମା ରୋଗ କ୍ୟାନସର୍‌ ଆଡକୁ ମାଡିଯିବ ବୋଲି ଡାକ୍ତର କହିବା ପରେ ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ ପାଇଁ ବାପା ଝାଡୁ ବାଘ ଚିନ୍ତିତ ହୋଇପଡିଛନ୍ତି। ଗତ ଦୁଇ ମାସ ତଳେ ଏନେଇ ପରିବାର ଲୋକ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇବା ପରେ ରେଡକ୍ରସ ପାଣ୍ଠିରୁ ୨୬ହଜାର ଟଙ୍କା ପ୍ରଦାନ କରାଯିବା ସକାଶେ ପ୍ରତିଶ୍ରୁତି ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିବା ପରିବାର ଲୋକେ ଅତି ଦୁଃଖରେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଯୁବ ଅବସ୍ଥାରେ ପୁଅର ଏଭଳି ସ୍ଥିତି ଦେଖି ପରିବାର ଲୋକେ ସଂପୂର୍ଣ୍ଣର୍ ଭାଙ୍ଗି ପଡିଛନ୍ତି।

ଏବେ ସୁଦ୍ଧା ପୁଅର ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଗକୁ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠିରୁ ଅର୍ଥ ସହାୟତା ଯୋଗାଇ ଦେବାକୁ ପରିବାର ଲୋକ ନିବେଦନ କରିଛନ୍ତି। ଏନେଇ ସ୍ଥାନୀୟ ସାଂସଦଙ୍କ ଦୃଷ୍ଟି ଆର୍କଷଣ କରିଥିବା ବେଳେ ବିଧାୟକଙ୍କୁ ଜଣାଇବେ ବୋଲି କହିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହିଁଲେ ମୋବାଇଲ ନଂ-୭୬୫୩୦୩୧୮୨୭କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର