ଅଲୋଡ଼ା ହେଲେ ଶିଶୁକନ୍ୟା :ମେଡିକାଲରେ ଛାଡ଼ି ପରିବାର ଗାଏବ

କୋରାପୁଟ: ଦୁନିଆ ଦେଖିବାକୁ ଠିକରେ ଆଖି ଖୋଲିନି। କିନ୍ତୁ ଦୁନିଆର କଠିନ ପରୀକ୍ଷା ଦେଉଛନ୍ତି ଦୁଇ ଯାଆଁଳା ଭଉଣୀ। ଜନ୍ମ ଦେଇ ମା’ ଆଖି ବୁଜି ଦେଇଥିଲା ବେଳେ ବାପା ସେମାନଙ୍କୁ ପର କରି ଦେଇଛି। ଏକୋଇଶିଆ ପୂର୍ବରୁ ଏମିତି ପରିଚୟ ସଙ୍କଟରେ ପଡ଼ି ଯାଇଥିବା ଇଶା ଓ ଆଗ୍ନେଶଙ୍କୁ କୋଳେଇ ନେବା ପାଇଁ ଆତ୍ମୀୟ କି ସଂପର୍କୀୟ କେହି ନାହାନ୍ତି। ଅତି ହୃଦୟହୀନ ଭାବେ ସେମାନେ ବାଟ କାଟି ଦେବା ପରେ ଏବେ ଆଗକୁ ଆସିଛି ପ୍ରଶାସନ। ସେମାନଙ୍କ ଉପଯୁକ୍ତ ଥଇଥାନ ପାଇଁ ଆରମ୍ଭ କରିଦେଇଛି ଉଦ୍ୟମ।
କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କାରିବେଡା ଗ୍ରାମର ଜଣେ ମହିଳା ଗତ ୨୩ ତାରିଖରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି ସୀମାନ୍ତ ଗାଁରୁ ବହୁ କଷ୍ଟରେ ତାଙ୍କୁ ଅଟୋରେ ପଟାଙ୍ଗୀ ଡାକ୍ତରଖାନାକୁ ଆଣିଲା ସମୟରେ ବାଟରେ ସେ ଯାଆଁଳା ଶିଶୁକନ୍ୟା ଜନ୍ମ ଦେଇଥିଲେ। ଏମିତି ଅସୁରକ୍ଷିତ ଭାବେ ପ୍ରସବ କରାଇବା ପରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ତେଣୁ ତାଙ୍କୁ ଘର ଲୋକେ ପଟାଙ୍ଗୀ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା। ନବଜାତ ଦୁଇ ଶିଶୁଙ୍କ ଅବସ୍ଥା ଠିକ ଥିଲେ ମଧ୍ୟ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କୋରାପୁଟ ମେଡିକାଲ କଲେଜର ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୨୪ ତାରିଖରୁ ଏଠାରେ ରଖି ସେମାନଙ୍କ ଚିକିତ୍ସା କରାଯାଉଥିଲା। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବା ପରେ ମେଡିକାଲରୁ ଡିସ‌୍ଚାର୍ଜ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ସପ୍ତାହକ ତଳେ କହିଥିଲେ। ଏହା ପରଠାରୁ ପରିବାର ଲୋକେ ଆଉ ଡାକ୍ତରଖାନାକୁ ଆସି ନ ଥିଲେ। ଦୁଇ ଶିଶୁ କନ୍ୟାଙ୍କ ପରିବାର ଡାକ୍ତରଖାନାକୁ ନ ଆସିବାରୁ ଅଡ଼ୁଆରେ ପଡ଼ି ଯାଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ସେମାନେ ଏଥିନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କୁ ଜଣାଇଥିଲେ। ପରେ ସେ ଡାକ୍ତରଖାନାକୁ ଯାଇ ଶିଶୁ କନ୍ୟାଙ୍କୁ ଦେଖିବା ସହ ଏଥିନେଇ ଶିଶୁ ମଙ୍ଗଳ କମିଟିକୁ ଜଣାଇଥିଲେ। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଗାୟତ୍ରୀ ଦେବୀ ଦୁଇ ପିଲାଙ୍କ ପାଖରେ ପହଞ୍ଚିଥିଲେ। ପରେ ଦୁଇ ଶିଶୁଙ୍କୁ ମିଶନ ଅଫ ଚାରିଟି ସଂସ୍ଥାକୁ ହସ୍ତାନ୍ତର କରି ଲାଳନ ପାଳନ ଦାୟିତ୍ବ ଦିଆଯାଇଛି।
ଜନ୍ମ ହେଲା ପରେ ମା’ଙ୍କୁ ହରାଇଥିବା ଏହି ଦୁଇ ଶିଶୁ କନ୍ୟାଙ୍କ ଭରିଲା ପୂରିଲା ଦୁନିଆ ଅଛି। ବାପା ଓ ଅନ୍ୟ ସଂପର୍କୀୟ ଅଛନ୍ତି। ମେଡିକାଲ ଆସିଲା ବେଳେ ସେମାନେ ବି ଆସିଥିଲେ। କିନ୍ତୁ ହଠାତ ଦୁଇ କଅଁଳ ଶିଶୁଙ୍କୁ ପର କରି କୁଆଡ଼େ ଚାଲି ଯାଇଛନ୍ତି। ତେଣୁ ରାସ୍ତାରେ ଜନ୍ମ ହୋଇଥିବା ଏହି ଶିଶୁଙ୍କ ଭବିଷ୍ୟତ ନେଇ ଉଠିଛି ସନ୍ଦେହ। କାହିଁକି ପରିବାର ଲୋକେ ଝିଅ ଦୁଇଟିକୁ ଛାଡ଼ି ଚାଲିଗଲେ ତାକୁ ନେଇ ବି ନାନା ଚର୍ଚ୍ଚା ହେଉଛି। କନ୍ୟା ବୋଲି ସେମାନେ ଅଲୋଡ଼ା ହୋଇଗଲେ ନା’ ଦାରିଦ୍ର୍ୟର ଚାପରେ ବାପା ଏମିତି କଠିନ ନିଷ୍ପତ୍ତି ନେଲେ ତାହା ବି ସ୍ପଷ୍ଟ ହୋଇନି। ଦୁର୍ଗମ ଅଂଚଳର ହୋଇଥିବାରୁ ସେମାନଙ୍କ ସହ ଯୋଗାଯୋଗ ବି ହୋଇପାରିନି। ତେବେ ଶିଶୁ ଦୁଇଟିର କୌଣସି ଅସୁବିଧା ହେବନି ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ। ସେ କହିଛନ୍ତି ଯେ, ଶିଶୁ ଦୁଇଟି ଏବେ ମିଶନ ଅଫ ଚାରିଟିରେ ରହିବେ। ସେମାନଙ୍କ ବାପା ଓ ପରିବାରକୁ ଯୋଗାଯୋଗ କରାଯିବ। ସେମାନଙ୍କ ମତ ପରେ ଶିଶୁ ମଙ୍ଗଳ କମିଟି ଶେଷ ନିଷ୍ପତ୍ତି ନେବ। ସେମାନେ ନ ଆସିଲେ ଶିଶୁଙ୍କ ଭବିଷ୍ୟତ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏପଟେ ଦୁଇ ଶିଶୁ କନ୍ୟା ମିଶନ ଅଫ ଚାରିଟିକୁ ଯାଉ ଯାଉ ସମସ୍ତଙ୍କ ମନ କିଣି ନେଇଛନ୍ତି। ଶ୍ରଦ୍ଧାରେ ସେମାନଙ୍କ ନାମ ଆଗ୍ନେଶ ଓ ଇଶା ଦିଆଯାଇଥିଲା ବେଳେ ମିଶନାରିର ସ୍ବେଚ୍ଛାସେବୀମାନେ ସେମାନଙ୍କୁ ଦିନକରେ ନିଜର କରି ନେଇଛନ୍ତି।

ସମ୍ବନ୍ଧିତ ଖବର