ଜୟପୁର: ସୂର୍ଯ୍ୟ ଉଇଁଲେ ଆରମ୍ଭ ହୋଇଯାଏ ଗହଳି ଚହଳି। ପାଦ ପକାଇବାକୁ ବି ଜାଗା ମିଳେନାହିଁ। ଦୀର୍ଘ ଦିନ ଧରି ଭୋଗୁଥିବା ଯନ୍ତ୍ରଣାର ଉପଶମ ପାଇଁ ବିଶ୍ବାସ ନେଇ କିଏ କେଉଁଠୁ ଏଠାକୁ ଚାଲି ଆସନ୍ତି। ହାତରେ ଔଷଧ ପୁଡ଼ିଆ ନେଇ ଭଲ ହୋଇଯିବାର ଆତ୍ମବିଶ୍ବାସ ନେଇ ଏଠାରୁ ଫେରନ୍ତି। ଜୟପୁର ବ୍ଲକ ଗଡ଼ପଦର ପଞ୍ଚାୟତ ଅନ୍ତର୍ଗତ କଳାଗୁଡ଼ା ଗାଁରେ ଏମିତି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳେ।
ଦାମୋଦର ଗୌଡ଼। ବୟସ ପାଖାପାଖି ୬୫ବର୍ଷ ହେବ। ଶିକ୍ଷାଗତ ଯୋଗ୍ୟତା ମାତ୍ର ୫ମ ଶ୍ରେଣୀ। କିନ୍ତୁ ଯେଉଁଠି ବିଶେଷଜ୍ଞ ଡାକ୍ତର ଫେଲ୍ ହୁଅନ୍ତି ରୋଗୀ ଚାଲି ଆସନ୍ତି ତାଙ୍କ ପାଖକୁ। ଦୀର୍ଘ ବର୍ଷର ଅଭିଜ୍ଞତା ଯୋଗୁଁ ରୋଗୀକୁ ଦେଖି ରୋଗ ଚିହ୍ନିବାରେ ଦକ୍ଷତା ହାସଲ କରି ସାରିଲେଣି ଏହି ବୃଦ୍ଧ ଜଣକ। କିଛି କିଛି ପ୍ରଶ୍ନ ପଚାରିବା ପରେ ରୋଗୀଙ୍କ ହାତରେ ଧରାଇ ଦେଉଛନ୍ତି ଚେରମୂଳିରେ ପ୍ରସ୍ତୁତ ଔଷଧ। ପାରଂପରିକ ଚିକିତ୍ସାକୁ ଏବେ ବି ବଞ୍ଚାଇ ରଖିଥିବା ବେଳେ ୫ପିଢ଼ି ହେଲା ତାଙ୍କ ପରିବାର ଏମିତି ରୋଗୀ ସେବା କରି ଆସୁଛି। କେବେଳ ଆଖପାଖ ନୁହଁ ଜିଲ୍ଲା ତଥା ରାଜ୍ୟ ବାହାରୁ ବି ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ରୋଗୀ ଛୁଟି ଆସନ୍ତି। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲୋକଙ୍କ ଅସମ୍ଭାଳ ଭିଡ଼ ରୁହେ।
ଆୟୁର୍ବେଦ ଏବଂ ସ୍ନାୟୁ ଚିକିତ୍ସା ଦ୍ବାରା ପକ୍ଷାଘାତ, ବାତ, ମଧୁମେହ, ମୂର୍ଚ୍ଛା, ମଳକଣ୍ଟକ, ଶ୍ବାସ ସହ ସାପ କାମୁଡା ଏବଂ ହାଡଭଙ୍ଗାର ସଫଳ ଚିକିତ୍ସିକ ଭାବେ ବେଶ ସୁନାମ ଅର୍ଜନ କରି ସାରିଛନ୍ତି ଦାମୋଦର। ପୁଅ ଅକ୍ଷୟ ଗୌଡ ବି ଏହି ପରଂପରାଗତ କାମରେ ସହଯୋଗ କରୁଛି। ୬୪ ପ୍ରକାର ବାତ, ୨୦ ପ୍ରକାର ମେହ, ୨୦ରୁ ଅଧିକ ପ୍ରକାର ଫିଡ୍ସ, ବିଭିନ୍ନ ପ୍ରକାର ଶ୍ବାସ ସହ ୨୩ ପ୍ରକାର ପକ୍ଷାଘାତର ଚିକିତ୍ସା କରୁଛନ୍ତି। ତେବେ ରୋଗୀଙ୍କୁ ଦେଖିବାକୁ କୌଣସି ଖର୍ଚ୍ଚ ନେଉ ନ ଥିବା ବେଳେ ରୋଗୀଙ୍କ ପାଇଁ ଲାଗୁଥିବା ଚେରମୂଳି ଓ ଔଷଧ ପାଇଁ ଅର୍ଥ ନିଅନ୍ତି।
ଗଞ୍ଜାମରୁ ଆସିଥିଲେ ଦାମୋଦରଙ୍କ ଗୋସେଇଁ ଜେଜେ ଗଙ୍ଗାଧର ଗୌଡ। ତାଙ୍କ ପୁଅ ପୀତାମ୍ବର ଏହି ସ୍ନାୟୁ ଓ ଜଡିବୁଟି ଚିକିତ୍ସା ଶିକ୍ଷା କରିବା ପରେ ତାଙ୍କ ପୁଅ ରବିନ୍ଦ୍ର ଗୌଡ ଶିକ୍ଷା କରିଥିଲେ। ରବିନ୍ଦ୍ରଙ୍କ ଠାରୁ ତାଙ୍କ ପୁଅ ଦମୋଦର ତାଲିମ ନେବା ପରେ ୫ମ ପିଢ଼ି ଭାବେ ଅକ୍ଷୟକୁ ଆଗକୁ ନେଉଛି। ମାତ୍ର ୫ମ ଯାଏଁ ପଢ଼ିଥିବା ଦାମୋଦର କୌଣସି ଡାକ୍ତରଙ୍କ ଠାରୁ କମ୍ ନୁହଁନ୍ତି ବୋଲି ତାଙ୍କ ଦ୍ବାରା ଚିକିତ୍ସିତ ହୋଇଥିବା ବହୁ ରୋଗୀ କୁହନ୍ତି। ସମୟକ୍ରମେ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ସହ ଉପକୂଳ, ପଶ୍ଚିମ, ଦକ୍ଷୀଣ ଓଡ଼ିଶାରୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ଜଙ୍ଗଲ କ୍ଷୟ ଯୋଗୁଁ ପୂର୍ବଭଳି ତାଙ୍କୁ ଆଉ ଆବଶ୍ୟକ ଚେରମୂଳି ମିଳୁନାହିଁ। ତଥାପି କୋରାପୁଟ, ମାଲକାନଗିରି, ଆମ୍ବପାଣି ଘାଟି, ବ୍ରହ୍ମପୁର ଓ ଗୁଣପୁରରୁ ଚେରମୂଳି ସଂଗ୍ରହ କରୁଛନ୍ତି। ଏପରିକି ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲରୁ ନିଜେ ମଧ୍ୟ ଚେରମୂଳି ସଂଗ୍ରହ କରୁଛନ୍ତି। ଚେରମୂଳି ସଂଗ୍ରହ କରିବାକୁ ବଣପାହାଡ ନ ବୁଲିଲେ ରୋଗୀଙ୍କ ଚିକିତ୍ସା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ପିଲାଟି ଦିନରୁ ବାପାଙ୍କ ଠାରୁ ଯାହା ତାଲିମ ନେଇଥିଲେ ତାହାକୁ ମରିବା ପର୍ଯ୍ୟନ୍ତ ଜାରି ରଖିବେ। ବିଭିନ୍ନ ରୋଗ ପାଇଁ ଉପଚାର ବି ଭିନ୍ନ ଭିନ୍ନ ହୋଇଥାଏ। ଉପଚାର ବିଧିକୁ ନିୟମିତ ବ୍ୟବଧାନରେ ସାଧନ ନ କଲେ ଏହା ଫଳବତି ହେବ ନାହିଁ ସେ କହିଛନ୍ତି। ଏଭଳି ପାରଂପରିକ ଚିକିତ୍ସା ପଦ୍ଧତି ପାଇଁ ଜିଲ୍ଲାପାଳ, ସ୍ବାମୀନାଥନ କର୍ତୃପକ୍ଷଙ୍କ ସହ ବହୁ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇ ସାରିଲେଣି। ଗଡପଦର ପଞ୍ଚାୟତର ଏକ ପାହାଡ ତଳି ଗାଁରେ ରହୁଥିଲେ ବି ତାଙ୍କ ସୁନାମ ଚାରି ଆଡ଼େ ବ୍ୟାପୀ ସାରିଲାଣି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଏହି ଗାଁ ପଛରେ ପଡ଼ିଥିଲେ ବି ଦାମୋଦରଙ୍କ ଯୋଗୁଁ ବିଶେଷ ପରିଚୟ ସୃଷ୍ଟି କରିପାରିଛି। ପାରଂପରିକ ଚିକିତ୍ସା ସେବା କାଳକ୍ରମେ ଲୋପ ପାଉଥିବା ବେଳେ ସରକାର ଏହାକୁ ପ୍ରୋତ୍ସାହିତ କଲେ ଆଗାମୀ ପିଢ଼ି ପାଇଁ ବେଶ ଉପଯୋଗ ହେବ ବୋଲି କୁହନ୍ତି ଦାମୋଦର।
ଗାଁ ବଇଦ ଦାମୋଦର:ଚେରମୂଳି ଚିକିତ୍ସାରେ ସିଦ୍ଧହସ୍ତ
ସିନ୍ଦୁରା ଫିଟିଲେ ରୋଗୀଙ୍କ ଭିଡ଼ ୫ ପିଢି ହେଲା କରୁଛନ୍ତି ଚିକିତ୍ସା
/sambad/media/post_attachments/wp-content/uploads/2019/07/jpr-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)