କୋରାପୁଟ: ତତ୍କାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲା ଗସ୍ତରେ ଆସି ପଟ୍ଟାଙ୍ଗି ବ୍ଲକ କୋଟିଆରେ ନେଚର କ୍ୟାମ୍ପ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟସରକାର ଯୋଜନା କରିଛନ୍ତି ବୋଲି ଘୋଷଣା କରିଥିଲେ। ୧୦ଟି କଟେଜ କରାଯିବ। ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସି ରାତ୍ରିଯାପନ କରିବା ସହିତ ଅଞ୍ଚଳର ଚାଳିଚଳଣି, ଲୋକନୃତ୍ୟ, ପରମ୍ପରା ଓ ସଂସ୍କୃତିକୁ ପାଖରୁ ଦେଖି ପାରିବେ। ଏହାସହ ଅଞ୍ଚଳବାସୀ ଏଠାରେ ଉତ୍ପନ୍ନ ହେଉଥିବା ମହୁ, ଷ୍ଟ୍ରବେରି, ଫୁଲ ଝାଡୁ ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ପର୍ଯ୍ୟଟକଙ୍କୁ ବିକ୍ରି କରି ପାରିବେ। ଏହାଦ୍ୱାରା ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ଘଟିବ ବୋଲି ସରକାର ଯୋଜନା କରିଥିଲେ। ତେବେ ତାହା କାଗଜପତ୍ରରେ ରହିଯାଇଛି।
କୋଟିଆକୁ ଆନ୍ଧ୍ର ନିଜର ବୋଲି ଦାବି କରିଥିଲା। ସେହି ସମୟରେ ବିଭିନ୍ନ ବିରୋଧୀ ଦଳ ଓ ସଂଗଠନ ପକ୍ଷରୁ ଅଞ୍ଚଳର ବିକାଶ ହୋଇ ନଥିବା ଅଭିଯୋଗ କରିଥିଲେ। ଲୋକଙ୍କ ଦାବି ଓ ଅଞ୍ଚଳର ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ୨ଟି ପର୍ଯ୍ୟାୟରେ ୧୫୦ କୋଟିରୁ ଅଧିକ ଟଙ୍କା ଅନୁଦାନ ଦେଇଛନ୍ତି। ଫଳରେ ସେଠାରେ ରାସ୍ତା, ବିଦ୍ୟୁତୀକରଣ ଓ ଜୀବିକା କାମ ସହ ଥାନା, ଗସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ଏବଂ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି।
ଅଞ୍ଚଳର ଉନ୍ନତୀକରଣକୁ ନେଇ ଅଞ୍ଚଳବାସୀ ଖୁସିରେ ଅଛନ୍ତି। ଦିନ ଥୁଲା କୋଟିଆକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିଲା। ହେଲେ ବର୍ତ୍ତମାନଏଠାକୁ ଆରାମରେ ଗାଡି ଯାଇ ପାରୁଛି। ଅଞ୍ଚଳର ପିଲାମାନେ ବସରେ ସ୍କୁଲ୍ ଯିବାଆସିବା କରୁଛନ୍ତି। ପଞ୍ଚାୟତର ସମସ୍ତ ଗାଁକୁ ଗମନାଗମନ, ଶିକ୍ଷା, ବିଜୁଳି, ସ୍ବସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଗୁରୁତ୍ବ ଦିଆଯାଇଛି। ସେହିଭଳି ଅଞ୍ଚଳରେ ଜଳସେଚନର ବିକାଶ ହୋଇଛି।
ଏହି ଗ୍ରାମପୁଂଜ ଅଧିନରେ ଥିବା ଦେଓମାଳିକୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଏହା ସହ କୋଟିଆ ରାସ୍ତା ଦେଇ ପାର୍ଶ୍ବ ରାସ୍ତାରେ ପର୍ଯ୍ୟଟକ ମାନେ ରଥିବାଲି ଜଳପ୍ରପାତ (ଗାଲିଗାବଦର) ବି ବୁଲି ଯାଉଛନ୍ତି। ତେବେ କୋଟିଆ ଅଂଚଳରେ ଥିବା ମାଡକାର, ନେରେଡିୱାଲସା ଆଦିରେ ଥିବା ଜଳପ୍ରପାତ ଓ ପ୍ରାକୃତିକ ଝରଣା, ପ୍ରାକୃତିକ ବିଭବକୁ ଉପଭୋଗ କରିବା ପାଇଁ ବି ବହୁ ପର୍ଯ୍ୟଟକ ଏଥରକ ଯାଇଥିବା ସୂଚନା ମିଳିଛି। ଗତ ଡିସେମ୍ବର ୩୧, ନୂଆ ବର୍ଷ, ରୁ ଆଜି ଯାଏଁ କୋଟିଆ ଅଂଚଳକୁ ୨୦ହଜାର ପର୍ଯ୍ୟଟକ ବୁଲିବାକୁ ଯାଇଥିବା ସୂଚନା ମିଳିଛି।
ତେବେ କୋଟିଆ ନେଚର କ୍ୟାମ୍ପ ହେଲେ ଲୋକେ ଏଠାରେ ରାତ୍ରଯାପନ କରିବା ସହ ସକାଳୁଆ ଗ୍ରାମପୁଂଜ ବୁଲି ପ୍ରାକୃତିକ ବିଭବ, ଜଳପ୍ରପାତ ଆଦି ବୁଲି ଦେଖିବେ। ଦେଶରେ ଚର୍ଚ୍ଚିତ ଅଂଚଳରେ ରାତ୍ରଯାପନ କରିବା ଏବଂ ପ୍ରକୃତି କୋଳରେ ନିଆରା ଅନୁଭବ ନେଇ ଫେରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।