ଜୟପୁର: ଉର୍ବର ଜମିରେ ୮ରୁ ୧୦ଫୁଟ୍‌ ପର୍ଯ୍ୟନ୍ତ ଖୋଳି ସାରିଲେଣି ମାଫିଆ। ମାଟି ଇଟା ପାଇଁ ପରିବେଶର ଏଭଳି କ୍ଷତି କରି ଚାଲିଥିବା ବେଳେ ଭାଟିରେ ଇଟା ପୋଡ଼ି ପ୍ରକୃତିକୁ ନଷ୍ଟ କରିବାକୁ ଆଦୌ ସଂକୋଚ କରୁନାହାନ୍ତି। ଜୟପୁର ସହର ଉପକଣ୍ଠରେ ଧାଡ଼ି ଧାଡ଼ି ହୋଇ ଗଢ଼ି ଉଠିଥିବା ଇଟାଭାଟି ଯୋଗୁ ଏଭଳି ଉଦ୍‌ବେଗ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମୃତ୍ତିକା କ୍ଷୟ ଏବଂ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ଇଟାରେ ପ୍ରତିବନ୍ଧକ ଲାଗିଥିଲେ ସୁଦ୍ଧା ତାହାକୁ ‌ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛନ୍ତି ମାଫିଆ। କିନ୍ତୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯାହାଫଳରେ ମାଫିଆଙ୍କ ସାହସ ବଢ଼ି ଚାଲିଥିବାରୁ ଏମାନଙ୍କୁ କିଏ ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ ଉଠିଛି।
ଜୟପୁର ସହର ଦ୍ରୁତଗତିରେ ବୃଦ୍ଧି ପାଉଛି। ତେଣୁ ସହର ତଥା ସହର ଉପକଣ୍ଠରେ ବହୁ ସଂଖ୍ୟାରେ ସରକାରୀ ତଥା ବେସରକାରୀ କୋଠା ନିର୍ମାଣ କାମ ଚାଲିଛି। ଏଥିପାଇଁ ଯେଉଁ ଇଟା ଆବଶ୍ୟକ ହେଉଛି ତାହାର ସିଂହଭାଗ ବେଆଇନ ଇଟାଭାଟିରୁ ହିଁ ସଂଗ୍ରହ କରାଯାଉଛି। ପ୍ରତିବନ୍ଧକ ସତ୍ତ୍ବେ କେମିତି ମାଟି ଇଟା ନିର୍ମାଣ କାମରେ ବ୍ୟବହାର ହେଉଛି ତାହା ଚକିତ କରୁଛି। କାରଣ ଜୟପୁର ତହସିଲ ଅଧୀନସ୍ଥ ଅଞ୍ଚଳରେ ମାଟି ଇଟାଭାଟି କରିବାକୁ କାହାରିକୁ ଅନୁମତି ଦିଆଯାଇନି। ବଡ଼କଥା ହେଲା ମାଟି ଇଟାଭାଟି ପାଇଁ ଜଣେ ବି ମାଲିକଙ୍କ ନିକଟରେ ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ) ନାହିଁ। ତଥାପି ଜୟପୁର ତହସିଲ ଅଞ୍ଚଳରେ ୮୦ରୁ ଅଧିକା ଇଟା ଭାଟି ରହିଛି। କାଁଭାଁ ଚଢ଼ଉ ହେଲେ ଜରିମାନା ଦେ‌ଇ ପୁଣି ଭାଟିକୁ ସ୍ବାଭାବିକ ଭାବେ ଚଲାଉଛନ୍ତି ବ୍ୟବସାୟୀ।
ଜୟପୁର ତହସିଲ ଅଧୀନସ୍ଥ ବାରିଣୀପୁଟ, ନନ୍ଦଗୁଡା, ରଣ୍ଡାପାଲି, ଗଡପଦର, ଟାଙ୍କୁଆ, ଫାମ୍ପୁଣି, ଘାଟବାଗ୍ରା ଓ କୁମୁଲିପୁଟ ଭଳି ବହୁ ସ୍ଥାନରେ ଇଟାଭାଟି ଚାଲିଛି। ଭାଟି ଗୁଡିକରେ ତମ୍ବୁ ଟାଣି ଶ୍ରମିକମାନ‌େ ପରିବାର ସହ ରହୁଛନ୍ତି। ଉଭୟ ପୁରୁଷ ଓ ମହିଳା ଶ୍ରମିକ ଏହି ଭାଟି ଗୁଡ଼ିକରେ ନିୟୋଜିତ ହୋଇଛନ୍ତି। ହଜାରେ ଇଟା ତିଆରି ପାଇଁ ୧ ହଜାର ଟଙ୍କା ପାରିଶ୍ରମିକ ମିଳୁଛି। ଇଟା ପ୍ରସ୍ତୁତ ପରେ ତାହାକୁ ଭାଟିରେ ସଜାଇ ରଖି ପୋଡିବା ପାଇଁ ହଜାରେ ଇଟା ବାବଦରେ ୨୫୦ ଟଙ୍କା ପାଉଛନ୍ତି। ସେହିପରି ପୋଡା ଇଟାକୁ ଭାଟିରୁ ବାହାର କରିବା ପାଇଁ ହଜାରେ ଇଟା ପିଛା ୫ଶହ ଟଙ୍କା ଶ୍ରମିକଙ୍କୁ ଦିଆଯାଉଛି। ଇଟା ପୋଡିବା ପାଇଁ ତସୁ କିମ୍ବା କାଠ ବ୍ୟବହାର କରୁଛନ୍ତି। ଗୋଟିଏ ଥରରେ ଭାଟିରୁ ୬ରୁ ୧୫ ହଜାର ପର୍ଯ୍ୟନ୍ତ ଇଟା ବାହାରୁଛି। ଲକ୍ଷ ଲକ୍ଷ ଟଙ୍କାର ଇଟା ମାସକ ମଧ୍ୟରେ ବିକ୍ରି ହେଉଛି। ଯଦି ରାଜସ୍ବ ବିଭାଗ କର୍ମଚାରୀ ଚଢ଼ଉ କରିବାକୁ ଯାଉଛନ୍ତି, ଶ୍ରମିକଙ୍କୁ ଛାଡ଼ି ମାଲିକ ସେଠାରୁ ଫେରାର ହୋଇଯାଉଛନ୍ତି।
ଜନବସତି ଠାରୁ ଅଳ୍ପ ଦୂରରେ ଇଟାଭାଟି ଚାଲିଥିବାରୁ ଭାଟି ନିଆଁ ଆଖପାଖ ଅଞ୍ଚଳକୁ ଉତ୍ତପ୍ତ କରୁଛି। ଏପରିକି ଅପରାଧିକ ପୃଷ୍ଠଭୂମି ରହିଥିବା ବ୍ୟକ୍ତି ବି ଏହି ବ୍ୟବସାୟରେ ସିଧାସଳଖ ସଂପୃକ୍ତ ଥିବା କୁହାଯାଉଛି। ତେଣୁ ପ୍ରତିବାଦ କରିବାକୁ ସଚେତନ ନାଗରିକ ସାହସ ଜୁଟାଇ ପାରୁନାହାନ୍ତି। ସେହିପରି ଇଟାଭାଟି ପାଇଁ ବେଆଇନ ଭାବେ ମାଟି ଖନନ ହେଉଥିବାରୁ ଉର୍ବର ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ପୁଣି ଜଳସ୍ତର ପ୍ରଭାବିତ ମଧ୍ୟ ହେଉଛି। ପ୍ରଶାସନ ନିରବ ରହିବା ତଳିଆ ଅସାଧୁ କର୍ମଚାରୀଙ୍କ ପାଇଁ ଟଙ୍କା ଆଦାୟର ମାଧ୍ୟମ ପାଲଟିଛି। ସିମେଣ୍ଟ ତିଆରି ସାନ ଇଟାର ଦର ୫ ଟଙ୍କା ହେଉଥିବା ବେଳେ ମାଟି ଇଟା ୩ଟଙ୍କା ୫୦ ପଇସାରେ ମିଳୁଛି। ଦର କମ ରହୁଥିବାରୁ ଏହି ଇଟାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି। ବେଆଇନ ମାଟି ଇଟା ପାଇଁ ଟିକସ ଦେବାକୁ ପଡ଼ୁନଥିବା ବେଳେ ସିମେଣ୍ଟ ଇଟା ପାଇଁ ଟିକସ ମଧ୍ୟ ଦେବାକୁ ପଡ଼ୁଛି। ବେଆଇନ ଭାଟି ବନ୍ଦ ନହେବା ଫଳରେ ସରକାର ରାଜସ୍ବ ହରାଇବା ସହ ପରିବେଶ ନଷ୍ଟ ହେଉଛି। ତେଣୁ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ନେଇ ଜୟପୁର ତହସିଲଦାର ପ୍ରଧାନ ଟୁଲିଆମ୍ମାଙ୍କୁ ଯୋଗାଯୋଗ କରିବାରୁ ମାଟି ଇଟାଭାଟି ସଂପର୍କିତ ତଥ୍ୟ ରାଜସ୍ବ ନିରୀକ୍ଷକଙ୍କୁ ମଗାଯାଇଛି। ଆଗାମୀ ଦିନରେ ବେଆଇନ ଇଟାଭାଟି ଗୁଡ଼ିକରେ ଚଢ଼ଉ କରି ରାଜସ୍ବ ଆଦାୟ ସହ ଜରିମାନା ସଂଗ୍ରହ କରାଯିବ ବୋଲି କହିଛନ୍ତି।