ଜୟପୁର: ୬ଦିନ ପରେ ବି ନିଖୋଜ ଆଇନଜୀବୀ ତଥା ପୂର୍ବତନ ୧ନଂ ୱାର୍ଡର କାଉନସିଲର ଆରତୀ ମିଶ୍ରଙ୍କର ପତ୍ତା ମିଳୁନି। ପରିବାରବର୍ଗ ନିଜର ସମସ୍ତ ସଂପର୍କୀୟଙ୍କ ଘରେ ଖୋଜି ସାରିଲେଣି। ତେବେ କେଉଁ ଠାରୁ ବି ତାଙ୍କ ସଂପର୍କରେ ସୂଚନା ମିଳୁନି ବୋଲି ପରିବାରର ଜଣେ ସଦସ୍ୟ କହିଛନ୍ତି। ଆରତୀ ମାନସିକ ଦୁଶ୍ଚିନ୍ତାରେ ଯଦିଓ ଥିଲେ ହେଁ ପରିବାରକୁ ସୁନ୍ଦର ଭାବେ ପରିଚାଳନା କରୁଥିଲେ। ଗତ ଦିନର କିଛି ଘଟଣାକ୍ରମକୁ ନେଇ ସେ ମାନସିକସ୍ତରରେ ଭାରାକ୍ରାନ୍ତ ଥିଲେ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ତେବେ ସେ ଗତ କିଛି ଦିନ ହେବ ଅଧ୍ୟାତ୍ମିକତା ଆଡକୁ ମୁହାଁଇଥିବା ସହ ୨ଥର ରାଜସ୍ଥାନର ମାଉଣ୍ଟ ଆବୁ ଯିବାକୁ ବି ପ୍ରୟାସ କରିଥିଲେ। ତେବେ ଘରେ ସେ ନିଜର ୨ ପିଲାଙ୍କୁ ସମ୍ଭାଳିବା ସହ ଓକିଲାତି ବି କରୁଥିଲେ। କୋର୍ଟରେ ସମସ୍ତଙ୍କ ସହ ଭଦ୍ର ବ୍ୟବହାର କରୁଥିବା ଆରତୀ ଘର ଛାଡି ଏଭଳି ଯିବ ବୋଲି ସହ ଆଇନଜୀବୀ ମାନେ ବିଶ୍ବାସକୁ ନେଇପାରୁ ନାହାନ୍ତି। ଅନ୍ୟ ପକ୍ଷରେ ଗତ ସୋମବାର ଠାରୁ ପରିବାରବର୍ଗ ଖୋଜିବା ଆରମ୍ଭ କରିଥିଲେ ହେଁ କିଛି ସୁରାକ୍ ପାଇ ପାରିନାହାନ୍ତି। ଶେଷରେ ପରିବାରର ଜଣେ ସଭ୍ୟ ମାଉଣ୍ଟ ଆବୁ ଯାଇଥିବା ଜଣାପଡିଛି। ତେବେ ସେ ପହଞ୍ଚିବା ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ସେ ଯିବା ପୂର୍ବରୁ ନିଜର ମୋବାଇଲ ଫୋନ ବି ଘରେ ଛାଡି ପଳାଇଥିଲେ। ସେ ଛାଡି ଯାଇଥିବା ଚିଠିରେ ପିଲାଙ୍କ ଦାୟିତ୍ବ ଠିକ ଭାବେ ନେବା ପାଇଁ ସ୍ବାମୀଙ୍କୁ ଜଣାଇଥିଲେ। ସୂଚନା ଥାଉକି, ସେ ନିଜେ ହୀରାଖଣ୍ଡ ଟ୍ରେନରେ ଟିକେଟ୍ କରି ଯାଇଥିଲେ। ତେବେ ରାସ୍ତାରେ କେଉଁ ସ୍ଥାନରେ ସେ ଓହ୍ଲାଇ ପଡିଥିଲେ ଟ୍ରେନରେ ଥିବା ତାଙ୍କ ସଂପର୍କୀୟ ମଧ୍ୟ ଜାଣିପାରି ନଥିଲେ। ପୁଲିସ ଏସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ସେ ଛାଡିଯାଇଥିବା ମୋବାଇଲ ଫୋନକୁ ଆଣି କଲ୍ ରେକର୍ଡ ଏବଂ ମେସେଜ୍ କରିଥିବା ବିବରଣୀକୁ ଯାଞ୍ଚ କରୁଛି। ତେବେ ଜଣେ ମହିଳା ଓକିଲ ତଥା ପୂର୍ବତନ କାଉନସିଲର ନିଖୋଜର ୬ଦିନ ପରେ ପୁଲିସ ଯେଭଳି ପଦକ୍ଷେପ ନେଇ ଯାଂଚ କରିବା କଥା କରୁନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଜଣେ ଉଚ୍ଚ ଶିକ୍ଷିତ ତଥା ଉଚ୍ଚାଭିଳାଶୀ ମହିଳା କାହିଁକି ଏତେ ବଡ ପଦକ୍ଷେପ ନେଇ ଘର ଛାଡିଲେ ତାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।
ମାଉଣ୍ଟ ଆବୁ ଗଲେ ସଂପର୍କୀୟ
ମହିଳା ଆଇନଜୀବୀ ନିଖୋଜ ଘଟଣା
/sambad/media/post_attachments/wp-content/uploads/2019/07/missing-people.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)