ମହିଳାଙ୍କୁ ହତ୍ୟା ମାମଲା:ଅଭିଯୁକ୍ତ ପ୍ରେମିକ ଗିରଫ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସଦର ମହକୁମାର ସନ୍ତୋଷୀ ନଗରର ଏକ ଘରୁ ଗତ ୧୬ତାରିଖ ରାତିରେ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା। ତେବେ ଝିଅକୁ ହତ୍ୟା କରାଯାଇଥିବା ନେଇ ମହିଳାଙ୍କ ମା’ ବୋରିଗୁମ୍ମା ଥାନାରେ ଏତଲା ଦେବା ପରେ ପୁଲିସ ମୃତ ମହିଳାଙ୍କ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ବୋରିଗୁମ୍ମା ଗ୍ରାମର ବବିତା ପଟ୍ଟନାୟକଙ୍କ ଝିଅ ଆଶାଲତା ପଟ୍ଟନାୟକ(୨୦) ଗତ କିଛି ବର୍ଷ ତଳେ ପାପଡାହାଣ୍ଡି ଗ୍ରାମରେ ବିବାହ କରିଥିଲେ। ଆଶାଲତାଙ୍କ ସହ ବୋରିଗୁମ୍ମା ଗ୍ରାମର ଭିକି ସାହୁ(୨୨)ଙ୍କ ସହ ପୂର୍ବରୁ ପ୍ରେମ ସଂପର୍କ ରହିଥିଲା। ଗତ ମାର୍ଚ ମାସରେ ଆଶାଲତାଙ୍କୁ ପ୍ରେମିକ ଭିକି ନିଜ ଘରକୁ ନେଇ ଆସିଥିଲା। ତେବେ ଭିକିଙ୍କ ପରିବାର ଲୋକ ଏହାକୁ ବିରୋଧ କରୁଥିଲେ। ଗତ ସୋମବାର ରାତିରେ କୌଣସି କାରଣରୁ ଆଶାଲତା ସନ୍ତୋଷୀ ନଗରରେ ରହୁଥିବା ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଭିକି ଓ ପଡୋଶୀ ଆଶାଲତାଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପଟେ ପ୍ରେମିକ ଭିକି ହିଁ ଆଶାଲତାଙ୍କୁ ହତ୍ୟା କରିଥିବା ନେଇ ବବିତା ପଟ୍ଟନାୟକ ଥାନାରେ ଏତଲା ଦେବା ପରେ ପୁଲିସ କେଶ୍‌ ନଂ-୧୨୪/୧୮ ଓ ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ କରି ଆଜି ଭିକିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର