ବୈପାରିଗୁଡ଼ା: କରୋନାର ଦ୍ଵିତୀୟ ଲହର ସାରା ଦେଶରେ ବିଭିଷିକା ସୃଷ୍ଟି କରିଥିବା ବେଳେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିବା ଶ୍ରମିକମାନେ ଏବେ ଘର ମୁହାଁ। ବାହାର ରାଜ୍ୟଗୁଡ଼ିକରେ ଯେଉଁ ଯେଉଁ ସ୍ଥାନରେ ସେମାନେ ଶ୍ରମିକ ଭାବେ କାମ କରୁଥିଲେ, କରୋନା ସଂକ୍ରମଣ ହେତୁ ସବୁଠି ତାଲାବନ୍ଦ ହେବା ଫଳରେ ଶ୍ରମିକମାନେ ଅନ୍ୟ କୌଣସି ଉପାୟ ନପାଇ ଗାଆଁକୁ ଫେରିବା ପାଇଁ ବାଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ବୈପାରିଗୁଡ଼ା ବ୍ଲକକୁ ମଧ୍ୟ ଦାଦନ ଶ୍ରମିକଙ୍କର ସୁଅ ଛୁଟିବା ଆରମ୍ଭ ହୋଇଛି। ଗ୍ରାମ ଫେରନ୍ତା ଶ୍ରମିକମାନଙ୍କୁ ବୈପାରିଗୁଡ଼ା ବ୍ଲକ ପ୍ରଶାସନ ଏବଂ ପୋଲିସ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ପ୍ରଦାନ କରିବା ସହ ବିଭିନ୍ନ ଅସ୍ଥାୟୀ କୋଭିଡ୍ ସେଣ୍ଟରରେ ରଖିବାର ବ୍ୟବସ୍ଥା କରାଯାଇଛି। ତେବେ ସେମାନେ କେତେ ଦୂର ସଂକ୍ରମଣ ମୁକ୍ତ ନିଜ ନିଜ ଗାଆଁକୁ ଯିବା ପରେ ସୁପର୍ ସ୍ପେଡରର ଭୂମିକା ଗ୍ରହଣ କରିବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ସେମାନଙ୍କ ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଆଶଂକାରେ ରହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସହ କରୋନା ଗାଆଁ ମୁହାଁ ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ସପ୍ତାହ ମଧ୍ୟରେ ମୋଟ ୯୪ ଜଣ ବୈପାରିଗୁଡ଼ାରେ ପହଞ୍ଚିଛନ୍ତି। ପ୍ରଥମ ଦଫାରେ ଏଗାର ଜଣ ପହଞ୍ଚିଥିବା ବେଳେ ଦ୍ବିତୀୟ ଦଫାରେ ଛବିଶ, ତୃତୀୟ ଦଫାରେ ପଚିଶ ଏବଂ ଗତକାଲି ଚତୁର୍ଥ ଦଫାରେ ୩୨ ଜଣ ଫେରିଛନ୍ତି। ପ୍ରତ୍ୟେକ ଦଳରେ ମହିଳାଙ୍କ ସମେତ ଶିଶୁ ମଧ୍ୟ ରହିଛନ୍ତି। ଆଜି ପହଞ୍ଚିଥିବା ୩୨ ଜଣିଆ ଦଳରେ ଜଣେ ଆଠ ମାସର ଗର୍ଭବତୀ ମହିଳା ରହିଥିବା ଦେଖିବାକୁ ମିଳିଛି। ଏମାନଙ୍କୁ ସ୍ଥାନୀୟ କିଛି ସାମ୍ବାଦିକ ଦେଖିବା ପରେ ବ୍ଲକ ପ୍ରଶାସନ ଏବଂ ପୁଲିସକୁ ଖବର ଦେଇଥିଲେ। ସେମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ପହଞ୍ଚେଇବା ପରେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଖବର ବୁଝିଥିଲେ। ବରିଷ୍ଠ ଆଇନଜୀବୀ ପି. ରମେଶ ପାତ୍ର ସମସ୍ତଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରିବା ପରେ ବିଡିଓ ଏବଂ ପୁଲିସ ସେମାନଙ୍କୁ ଦଣ୍ଡାବାଡି ସ୍ଥିତ ଟିଏମସିକୁ ପଠେଇବାର ବ୍ୟବସ୍ଥା କରିଥିଲେ।

Advertisment

publive-image

ଏହାବାଦ୍ ଗତକାଲି ଚିତ୍ରକୋଣ୍ଡା ଠାରେ କାମ କରୁଥିବା ୩୨ ଜଣ ଶ୍ରମିକ ନିଜ ଗ୍ରାମ ଉମରକୋଟ ଫେରୁଥିବା ବେଳେ ସେମାନଙ୍କୁ ଗାଡ଼ି ଡ୍ରାଇଭର ବୈପାରିଗୁଡା ଠାରେ ଓହ୍ଲାଇ ଦେଇଥିଲା। ଶ୍ରମିକମାନେ ଅସହାୟ ଅବସ୍ଥାରେ ବୈପାରିଗୁଡ଼ାରେ ପଡ଼ିରହିବା ପରେ କୁନ୍ଦୁରା ରାସ୍ତାରେ ଯାଉଥିବା ବେଳେ କିଛି ଯୁବକ ସେମାନଙ୍କୁ ଅଟକେଇ ବିଡ଼ିଓ ଏବଂ ପୋଲିସକୁ ଖବର ଦେଇଥିଲେ। ବିଡିଓ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ୟୁନିଟ୍ କ୍ଲବ ତରଫରୁ ସେମାନଙ୍କୁ ଜଳଖିଆ ପ୍ରଦାନ କରାଇବା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା। ବ୍ଲକ ପ୍ରଶାସନ ଏବଂ ପୁଲିସ ତରଫରୁ ଉମରକୋଟ ପୋଲିସ ତଥା ବ୍ଲକ ପ୍ରଶାସନକୁ ଖବର ଦିଆଯାଇଥିଲା। ପି. ରମେଶ ପାତ୍ର ରାତ୍ରି ଭୋଜନର ବ୍ୟବସ୍ଥା କରିବା ପରେ ଗାଡ଼ି ଯୋଗେ ସେମାନଙ୍କୁ ଉମରକୋଟ ପଠେଇ ଦିଆଯାଇଥିଲା। ତେବେ ଗୋଟିଏ ଦିନରେ କରୋନା ସଂକ୍ରମଣ ହେତୁ ତାଲା ବନ୍ଦ ଏବଂ ଆଗକୁ ବର୍ଷା ଋତୁ ଆରମ୍ଭ ହେବାକୁ ଥିବାରୁ ମାଲିକମାନେ ସେମାନଙ୍କ ପାଉଣା ଦେବା ସହ ଗାଆଁକୁ ଫେରିବା ପାଇଁ ବ୍ୟବସ୍ଥା କରିଦେଇଛନ୍ତି। ସାଧାରଣତଃ ଏହି ଶ୍ରମିକମାନେ ଇଟା ଭାଟିରେ କାମ କରୁଥିବାରୁ ବର୍ଷା ଋତୁରେ କାମ ବନ୍ଦ ହୋଇଯାଏ।

ଏହି ଶ୍ରମିକମାନେ ଯେ ସଂକ୍ରମଣ ବଢ଼ିବାର କାରଣ ନହେବ ବୋଲି କହିହେବ ନାହିଁ। କାରଣ ସେମାନେ କାମ କରୁଥିବା ରାଜ୍ୟ ଆନ୍ଧ୍ରପ୍ରଦେଶରେ ମଧ୍ୟ କରୋନା ମହାମାରୀ ରୂପ ନେଇଛି। ଯଦି ଏହା ହୁଏ, ତେବେ ଗ୍ରାମାଞ୍ଚଳରେ ମଧ୍ୟ ରୋଗ ବ୍ୟାପି ପାରେ। କେବଳ ଏତିକିରେ ସମସ୍ୟା ଦୂର ହୋଇନାହିଁ। ଆଗାମୀ ଦିନରେ ମଧ୍ୟ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଫେରିବାର ସମ୍ଭାବନା ରହିଛି।