କୋରାପୁଟ : ନିଜ ବୁଥ୍କୁ ଜାଣ। କେତେ ଭୋଟର ଅଛନ୍ତି, କେତେ ଘର ଅଛି ତାହାର ହିସାବ ରଖ। ନିଜ ବୁଥ୍ରେ କେମିତି ଅଧିକ ଲୋକ ଭୋଟ ଦେବେ ଏବଂ ଏହାର ସିଂହଭାଗ କେମିତି ବିଜେଡି ଝୋଲିରେ ପଡ଼ିିବ ସେଥିପ୍ରତି ଧ୍ୟାନ ଦେବାକୁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ କହିଛନ୍ତି। ଆଜି ସ୍ଥାନୀୟ ହୋଟେଲ ଆଲିସାନରେ ଯୁବ ବିଜେଡିର ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ନିଜ ବୁଥ୍କୁ ମଜବୁତ କରିବା ପାଇଁ ଯୁବକ ମାନଙ୍କୁ ଆହ୍ବାନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ଯୁବ ବିଜେଡିର ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ୧୪ଟି ବ୍ଲକରୁ ଯୁବ ବିଜେଡିର କର୍ମକର୍ତ୍ତା ଯୋଗ ଦେଇଥିଲେ। ସେମାନଙ୍କୁ ମାର୍ଗଦର୍ଶନ ଦେଇ ସୌମ୍ୟ ରଂଜନ କହିଥିଲେ ଯେ, ବୟସର ମାପକାଠିରେ ଯୁବକମାନଙ୍କୁ ମାପିବା ଠିକ୍ ନୁହେଁ। ମନ ଓ ପ୍ରାଣରେ ଯେଉଁମାନେ ସତେଜ ସେମାନେ ଯୁବକ। ଓଡ଼ିଶାକୁ ମଜବୁତ କରିବା ପାଇଁ ଏହି ଯୁବକମାନେ ଏକାଠି ହେବା ଦରକାର। ଏହା ହେଲେ ଓଡ଼ିଶା ବେଶ୍ ଆଗକୁ ବଢ଼ି ପାରିବ।
ଏହି ପ୍ରଶିକ୍ଷଣ ଶିବିରକୁ ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡା ପରିଚାଳନା କରିଥିଲାବେଳେ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀ , ସାଂସଦ ଝିନ୍ନ ହିକକା, ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।