ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା:ଅଭିଯୁକ୍ତକୁ ଗିରଫ ନକଲେ ଥାନା ଘେରାଉ

ବୈପାରିଗୁଡା: ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଅ ଭାଇରଲ ଘଟଣାକୁ ୭ଦିନି ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିପାରି ନାହିଁ ବୈପାରିଗୁଡା ଥାନା ପୁଲିସ। ତେଣୁ ଆଜି ପ୍ରତିବାଦ କରି ବୈପାରିଗୁଡା ଥାନା ଅନ୍ତର୍ଗତ ବୋଦାପୁଟ ପଂଚାୟତର ୨୦ରୁ ଊର୍ଧ୍ବ ମହିଳା ଥାନାକୁ ଆସିଥିଲେ। ଆସନ୍ତା ୫ଦିନ ମଧ୍ୟରେ ଯଦି ଅଭିଯୁକ୍ତକୁ ପୁଲିସ ଗିରଫ ନକରେ ତାହାହେଲେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ।
ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ କୁସପାର ଗାଁର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ଧମକ ଦେଇ ଦୁଷ୍କର୍ମ କରାଯାଇଥିଲା। ପରବର୍ତୀ ସମୟରେ ଅଭିଯୁକ୍ତ ଜଣକ ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରି ଦେଇଥିଲା। ଯାହାଫଳରେ ଯୁବତୀଙ୍କ ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା। ଏହାପରେ ସଂପୃକ୍ତ ଯୁବତୀ ଜଣକ ବୈପାରିଗୁଡା ଥାନାରେ ଦୀପକ ଛେଣ୍ତିଆ, ଦୁର୍ଯ୍ୟୋଧନ ଅଙ୍କୁଡିଙ୍କ ନାଁରେ ଏତଲା ଦେଇଥିଲେ। ମାମଲା ରୁଜୁ କରି ପୁଲିସ ଦୁର୍ଯ୍ୟୋଧନ ଆଙ୍କୁଡିକୁ ଗିରଫ କରିଥିଲା। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଦୀପକ ଛେଣ୍ଡିଆ ଘଟଣା ପରଠାରୁ ଫେରାର ରହିଛି। ଏତଲା ଦେଇ ୭ଦିନ ବିତି ଯାଇଥିଲେ ହେଁ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି। ତେଣୁ ଆଜି ମହିଳାମାନେ ଥାନାକୁ ଆସି ତୁରନ୍ତ ଗିରଫ କରିବାକୁ ଦାବି କରିବା ସହ ଥାନା ଘେରାଉ ଚେତାବନୀ ଦେଇଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚାଲିଛି ଏବଂ ଖୁବଶୀଘ୍ର ଗିରଫ କରାଯିବ ବୋଲି ବୈପାରିଗୁଡା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର