ଜୟପୁର: ଜିଅନ୍ତା ଜଳିଗଲେ ୫ ବର୍ଷର ଝିଅ,ମାଆ ଓ ସାନଭାଇ ଗୁରୁତର

ଜୟପୁର: ଆଜି ସକାଳେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ଘର ଭିତରେ ଥିବା ବେଳେ ସର୍ଟ ସର୍କିଟ୍‌ ଯୋଗୁଁ ଘରେ ନିଆଁ ଲାଗିଯିବାରୁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ୫ ବର୍ଷର କୁନି ଝିଅ ଜୀବନ୍ତ ଦଗ୍‌ଧ ହୋଇ ଯାଇଥିିବା ବେଳେ ଏହି ଅଗ୍ନିକାଣ୍ଡରେ ମୃତ ଶିଶୁ କନ୍ୟାର ମାଆ ଓ ସାନ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ବୋରିଗୁମ୍ମା ଡାକ୍ତରଖାନା ଓ ପରେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୋରିଗୁମ୍ମା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତର ତାରାଗାଁର ବଳରାମ ହରିଜନ, ପତ୍ନୀ ଧନମତି ହରିଜନ,୫ ବର୍ଷର ଝିଅ ଦିନେଶ୍ୱରୀ ହରିଜନ ଓ ବର୍ଷକର ପୁଅ ରଇଲ ହରିଜନ ସହିତ ରୁହନ୍ତି। ଦିନେଶ୍ୱରୀ ଗାଁ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢ଼ନ୍ତି। ତେବେ ଶ୍ରାବଣ ମାସ ପାଇଁ ବଳରାମ ହରିଜନ ତୀର୍ଥ କରିବା ଲାଗି ହରିଦ୍ୱାର ଯାଇଥିବା ବେଳେ ଘରେ ଧନମତି, ରଇଲ ଓ ଦିନେଶ୍ୱରୀ ରହୁଥିଲେ। ଆଜି ଭୋରରୁ ହଠାତ ଘର ଭିତରେ ନିଆଁ ଜଳି ଉଠିଥିଲା। କୁହାଯାଉଛି ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଦିନେଶ୍ୱରୀ ଜୀବନ୍ତ ଦଗ୍ଧ ହୋଇ ଯାଉଥିବା ବେଳେ ଧନମତି ଓ ରଇଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର