କୋଶଲ ରାଜ୍ୟ ଦାବି ଆନ୍ଦୋଳନ ତୀବ୍ର ହେବ 

କୋଶଲ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ବୈଠକ

ସୁନ୍ଦରଗଡ଼: କୋଶଲ ରାଜ୍ୟ ଦାବିରେ ଉଠିଥିବା ସ୍ବରକୁ ଅଧିକ ଶାଣିତ ଓ ତୀବ୍ର କରିବା ପାଇଁ ପଶ୍ଚିମାଞ୍ଚଳର ଜିଲ୍ଲାଗୁଡ଼ିକରେ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ପରିପ୍ରେକ୍ଷିରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି କୋଶଳ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି। କମିଟିର ଆହ୍ବାନକ୍ରମେ ସୋମବାର ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳରେ ରାଜ୍ୟ ଆବାହକ ରାମଚନ୍ଦ୍ର ଅମାତଙ୍କ ସଭାପତିତ୍ବରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ କୋଶଲବାଦୀ ସଂଗଠନ କୋଶଲ କ୍ରାନ୍ତିଦଳ, କୋଶଲ ରାଜ୍ୟ ସମନ୍ବୟ ସମିତି, ଯୁବ ସମନ୍ବୟ ସମିତି, ମାଦ୍ରିକାଲୋ ଯୁବ ପରିଷଦ, କୋଶଳ ସେନା ପ୍ରତିନିଧିମାନେ ଯୋଗ ଦେଇ ସମସ୍ତ ସଂଗଠନ ଏକଜୁଟ ହୋଇ କୋଶଲ ରାଜ୍ୟ ଗଠନ ଆନ୍ଦୋଳନକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲେ।

ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ଜୁଲାଇ ୫ରେ ବିଧାନସଭା ଘେରାଉ ପରେ ଆସନ୍ତା ସେପ୍ଟେମ୍ବର ୭ରେ ହେବାକୁ ଥିବା କୋଶଲ ମହାବନ୍ଦ (ପଶ୍ଚିମ ଓଡ଼ିଶା) ଡାକରାକୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା। ଏହିକ୍ରମରେ କୋଶଲାଞ୍ଚଳର ବୃହତ୍ତର ସ୍ବାର୍ଥ ପାଇଁ ସମସ୍ତ ଜନସାଧାରଣ ସମର୍ଥନ ଓ ସହଯୋଗ କରିବାକୁ କୋଶଲ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ଆହ୍ବାନ ଦେଇଛି। ମହାବନ୍ଦ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ଗଣଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି। ସଭାରେ କୋଶଲକ୍ରାନ୍ତି ଦଳର କେଦାରନାଥ ପଟେଲ, ଜାଭିର ହୁସେନ, କୋଶଲ ଯୁବ ସମନ୍ବୟ ସମିତିର ଅଶୋକ ନାଏକ, ମାଦ୍ରିକାଲୋ ଯୁବ ପରିଷଦର ଚନ୍ଦ୍ରଭାନୁ ଜୁରା, କୋଶଲ ସେନାର ଧରଣୀଧର ରୋହିଦାସ ପ୍ରମୁଖଙ୍କ ସହ ପ୍ରସନ୍ନ କୁମାର କାଲୋ, ଈଶ୍ବର ରୋହିଦାସ, ବିକି ଗର୍ଡ଼ିଆ, ଦେବାଶିଷ ମୁଣ୍ଡା, ବିସ୍ମୟ ଭଏଁସା, ଭେଷଜ ରୋହିଦାସ, ଅରୁଣ ନାଏକ, ସାଗର କମାର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର