କୋଟିଆ ବିବାଦର ସମାଧାନ ହେବ ତ?

ଆଇନର ଗୋଲକଧନ୍ଦାରେ ଛନ୍ଦି ହୋଇ ଯିବା ଆଶଙ୍କା

କୋରାପୁଟ: ଆଇନର ଗୋଲକ ଧନ୍ଦାରେ ଛନ୍ଦି ହୋଇ ଯିବକି କୋରାପୁଟ ଜିଲ୍ଲା କୋଟିଆ ବିବାଦ। ମାମଲା ତାରିଖରୁ ତାରିଖରେ ଘୁଞ୍ଚୁଥିବାରୁ ଦୀର୍ଘ ବର୍ଷ ଧରି ଯେଉଁ ସମସ୍ୟା ଲାଗି ରହିଛି ତାହାକୁ ଆନ୍ଧ୍ର ସରକାର ବାସ୍ତବରେ ପରିଣତ କରି ଦେବ କି ? ଯେଉଁ ସମସ୍ୟା ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହିଛି ସେହି ଧାରା ପୁଣିଥରେ ଜାରି ରହିବ କି ? ଆଜି ସୁପ୍ରିମକୋର୍ଟରେ ରାଜନୈତିକ ସମାଧାନ କରିବାକୁ ମୌଖିକ ଭାବେ କହିଥିବାବେଳେ ମାମଲାର ଶୁଣାଣି ୬ ସପ୍ତାହ ମଧ୍ୟରେ ହେବ। ତେବେ ଦିନ ଧାର୍ଯ୍ୟ ହୋଇ ନଥିବାରୁ ଏହାକୁ ନେଇ ଆଶା ଓ ଆଶଙ୍କା ଦେଖିବାକୁ ମିଳିଛି। ତେବେ ଏହି ରାଜନୈତିକ ସମାଧାନ କେଉଁ ସ୍ତରରେ ହେବ ତାହାକୁ ନେଇ ଶଙ୍କା ପ୍ରକାଶ ପାଇଛି। ଏହା ମୁଖ୍ୟମନ୍ତ୍ରୀ ସ୍ତରୀୟ ରାଜନୈତିକ ହେବ, ଜିଲ୍ଲା ସ୍ତରୀୟ ରାଜନୈତିକ ହେବ, ସରପଞ୍ଚ ସ୍ତରୀୟ ସମାଧାନ ହେବ କି ବିଧାୟକ କିମ୍ବା ସାଂସଦ ସ୍ତରୀୟ ହେବ ତାହା ଅସ୍ପଷ୍ଟ ହୋଇ ପାରିନି। ତେବେ କୋଟିଆ ବିବାଦରେ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଯାଇଥିବାବେଳେ ଏହାର ସମାଧାନ ବାହାରି ପାରୁ ନ ଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ସୁପ୍ରିମକୋର୍ଟ ଆପୋଷ ବୁଝାମଣା ପାଇଁ କହିଥିବାବେଳେ ଆଜି ଯେଉଁ ମୌଖିକ ରାଜନୈତିକ ବୁଝାମଣା ପାଇଁ କହିଛନ୍ତି ତାହାର ବହୁ ଦିଗକୁ ସୂଚାଉଛି। ଏବେ ସୁପ୍ରିମକୋର୍ଟ ରାଜନୈତିକ ସମାଧାନ କଥା କହିଛନ୍ତି ତାହା ପୂର୍ବରୁ ମଧ୍ୟ କୁହାଯାଇ ପାରିଥାନ୍ତା। ଏତେ ସମୟ ନଷ୍ଟ ହୋଇ ନ ଥାନ୍ତା।

ଦିନକୁ ଦିନ ସମୟ ଗଡି ଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ଷ୍ଟାଷ୍ଟସକୋକୁ ଅମାନ୍ୟ କରି ଚାଲିଛି ଆନ୍ଧ୍ର ସରକାର। ପ୍ରତିଦିନ କୋଟିଆ ଗ୍ରାମପୁଞ୍ଜରେ ପ୍ରବେଶ କରି ଲୋକଙ୍କୁ ନିଜ ଆଡକୁ ପ୍ରଭାବିତ କରିବାକୁ ଯୋଜନା କରିଛି। ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ଯେ, ପୂର୍ବରୁ ସୁପ୍ରିମକୋର୍ଟ ତାରିଖ ଘୁଞ୍ଜାଇଥିଲେ, ଆଜି ୬ ସପ୍ତାହ ଘୁଞ୍ଚାଇଛନ୍ତି। ଆସନ୍ତା ଦିନରେ ପୁଣି ଏହି ବିବାଦ ଘୁଞ୍ଜାଇବେ | ତେବେ ମୋତେ ଲାଗୁଛି ଯେ ଏହା ଆଇନର ଜାଲରେ ଫସିଯିବ। ମୁଖ୍ୟମନ୍ତ୍ରୀ ପ୍ରଥମରୁ ହିଁ ଭୁଲ କରିଛନ୍ତି, ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ସର୍ବଦଳୀୟ ନେତାଙ୍କୁ ଡାକି ବୈଠକରେ ଆଲାଚନା କରିବାର ଥିଲା ତାହା କରି ନ ଥିଲେ। ଏବେ ଆନ୍ଧ୍ର ସରକାର ଦିନକୁ ଦିନ କୋଟିଆରେ ପ୍ରବେଶ କରି ମାଡି ବସିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ନେତୃତ୍ବ ଯୋଗୁଁ ସମସ୍ୟା ବୃଦ୍ଧି ପାଇଛି। ଏହାର ସମାଧାନ ହେଉଛି ଯେ ଓଡ଼ିଶାରୁ ବିଜେପିର ୮ ଜଣ ସାଂସଦ ଓ ୩ ଜଣ ମନ୍ତ୍ରୀ ସଂସଦରେ ପ୍ରତିନିଧିତ୍ବ କରୁଛନ୍ତି। ଯଦି ଏନେଇ ରାଜ୍ୟସଭାରେ ଆଲୋଚନା ହେବା ଉଚିତ। ସଂସଦୀୟ ପ୍ରଣାଳୀରେ ଏହାର ସମାଧାନ ହେବା ଦରକାର ବୋଲି ସେ କହିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଥିବାବେଳେ ମୁଁ ଏନେଇ ସଂସଦରେ ଏହା ଉଠାଇ ପାରୁନି। ଯଦି ଓଡ଼ିଶାର ସବୁ ଏମପି ଓ କେନ୍ଦ୍ରୀୟ ମନ୍ତ୍ରୀ ଏନେଇ ଆଲୋଚନା କରିବେ ତେବେ ସମାଧାନ ହୋଇପାରିବ।

ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ଏକ ହାଉସ କମିଟି ରହିଛି। ଏହି କମିଟି କାହିଁକି ଓଡ଼ିଶା ଆସୁନି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ କହିଛନ୍ତି ଯେ ନବୀନ ସରକାର ଓ ଜଗନ ସରକାର କୋଟିଆ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। କୋଟିଆକୁ ହା‌ତେଇବାକୁ ଏହା କେବଳ ଢାଲ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ, ଓଡ଼ିଶା ସରକାର ସେତିକି ଶାନ୍ତିପ୍ରିୟ ବୋଲି ଘଟଣାକୁ ନେଇ ସୁପ୍ରିମକୋର୍ଟକୁ ଯାଇଛନ୍ତି। ରାୟ ନିଶ୍ଚିତ ଭାବେ ଓଡ଼ିଶା ସପକ୍ଷରେ ଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର