କୋଟିଆ ବିବାଦରେ କରୋନା ମାଡ଼ : ଆଇନର ଜାଲରେ ଛନ୍ଦି ହୋଇଯିବନି ତ ଓଡ଼ିଶା ପକ୍ଷ ? 

କୋରାପୁଟ : କୋଟିଆ ବିବାଦକୁ ନେଇ ଆନ୍ଧ୍ର ପ୍ରଦେଶ ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳ‌େ ଏହାର ଶୁଣାଣି ହୋଇପାରୁନି। ଏପ୍ରିଲ ପ୍ରଥମ ସପ୍ତାହରେ ଏନେଇ ଶୁଣାଣି ରହିଥିବାବେଳେ କରୋନାର ଦ୍ବିତୀୟ ଲହର ଯୋଗୁଁ ଏପର୍ଯ୍ୟନ୍ତ ଶୁଣାଣି ହୋଇପାରୁନି। କେବେ ହେବ ତାହା ମଧ୍ୟ ସ୍ତିର ହୋଇପାରୁନି। ଏବେ ସୁପ୍ରିମକୋର୍ଟରେ କେବଳ ଜରୁରୀ ମାମଲାର ବିଚାରଣା କରାଯାଉଥିବାବେଳେ କୋଟିଆ ବିବାଦ ଆଇନର ଅଡୁଆ ଜାଲରେ ଛନ୍ଧି ହୋଇଗଲା ପରି ମନେ ହେଲାଣି। ପ୍ରଥମ‌େ ଶୁଣାଣି ଘୁଞ୍ଚିଲା ଏହାପରେ ଗ୍ରୀଷ୍ମ ଅବକାଶ ଚାଲିଥିବାବେଳେ ଜୁନ ପରେ ପୁଣି ଏହାର ବିଚାରଣା ହେବା ଆଶା କରାଯାଉଛି। ଚୁଲାଇ ଆଡକୁ ଓଡ଼ିଶା ପ୪ରୁ ପକ୍ଷ ରଖାଯିବାକୁ ଯୋଜନା ରହିଥିବା ଜଣାପଡିଛି। ଏହା ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ପିଟିସନର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆପିଡେଭିଟ ଦାଖଲ କରି ଉତ୍ତର ରଖିଥିଲେ ବିଜୟନଗରମ ଜିଲ୍ଲାପାଳ ମୁଦେ ହରି ଜବାହାରଲାଲ । ତେବେ ବିଜୟନଗରମ ଜିଲ୍ଲାପାଳଙ୍କ ପକ୍ଷରୁ କୋର୍ଟରେ ଆନ୍ଧ୍ରପ୍ରଦେଶ ସପକ୍ଷରେ ଉତ୍ତର ଦାଖଲ କରାଯାଇଛି । ବିଜୟନଗରମ ଜିଲ୍ଲାପାଳ ନିଜ ଉତ୍ତରରେ କହିଥିଲେ ଯେ ସଂପୃକ୍ତ ତିନିଟି ଗାଁ ଗଞ୍ଜ‌େଇବଦରା, ପଟ୍ଟୁଚେନ୍ନୁରୁ ଓ ପଗୁଲ୍ଲୁଚେନ୍ନୁରୁ ଆନ୍ଧ୍ରପ୍ରଦେଶର ଆରାକୁ ସଂସଦୀୟ ନିର୍ବାଚନମଣ୍ଡଳୀ ଏବଂ ସାଲୁରୁ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୫୨ ମସିହାରୁ ଆନ୍ଧ୍ରପ୍ରଦେଶ ଗାଁରେ ଲୋକସଭା ଓ ବିଧାନସଭା ନିର୍ବାଚନ ଚାଲିଆସୁଥିବାବେଳେ ୨୦୦୬ ଏବଂ ୨୦୧୩ ମସିହାରେ ଏହି ଗାଁଗୁଡିକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ସେପଟେ କୋଟିଆ ପ୍ରସଙ୍ଗରେ ତତ୍ପରତା କରିଥିଲେ ରାଜ୍ୟସରକାର। ଆନ୍ଧ୍ର ପ୍ରଦେଶ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଖଲ ହୋଇଥିବାବେଳେ ଦସ୍ତାବିଜ ପ୍ରସ୍ତୁତ କରୁଥିଲେ ରାଜ୍ୟ ସରକାର।
ପୂର୍ବରୁ ସମସ୍ତ ଦସ୍ତାବିଜ୍‌ପ୍ରସ୍ତୁତ ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।କୋଟିଆରେ ଆନ୍ଧ୍ରପ୍ରେଶର ନିର୍ବାଚନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ଆବେଦନ ଦାଖଲ କରିଥିଲେ ରାଜ୍ୟ ସରକାର । କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ଅଦାଲତ ଅବମାନନା ନେଇ ମାମଲା ରୁଜୁ କରିଥିଲେ । ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ଆବେଦନ ଦାଖଲ କରାଯାଇଥିଲା । ଅନ୍ୟପକ୍ଷରେ ଓଡ଼ିଶା ପକ୍ଷ କିପରି ବଳିଷ୍ଠ ରହିବ ସେ‌ଥିନେଇ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହାୟତା ଲୋଡିଥିଲେ ରାଜ୍ୟ ସରକାର । ଏଜି ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ଲୋଡିଥିଲେ ସହାୟତା । ଏନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶାର ପକ୍ଷ ରଖୁଥିବା ଶିବ ପ୍ରସାଦ ମିଶ୍ର କହିଛନ୍ତି ଯେ କରୋନା ହେତୁ ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରିଲାନାହିଁ। ଏହାପରେ ଗ୍ରୀଷ୍ମ ଅବକାଶ ଚାଲିଥିବାରୁ ଏଥିରେ ବିଳମ୍ବ ହୋଇଛି। ଗ୍ରୀଷ୍ମ ଅବକାଶ ଶେଷ ହେବାପରେ କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ଆଉ ଏକ ସ୍ୟୁଟ ଫାଇଲ ହେବ। ସେନେଇ ପ୍ରସ୍ତୁତି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର