ସମାଧାନ ହେବ ତ କୋଟିଆ ବିବାଦ? ଏପଟେ ବିଚାର ବିମର୍ଷ, ସେପଟେ ଅନୁପ୍ରବେଶ

କୋରାପୁଟ : ଦିନ କେଇଟା ପରେ କୋରାପୁଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ରହିଥିବାବେଳେ ନିଇତି ଆନ୍ଦ୍ର ଏଜେଣ୍ଟଙ୍କ ମାଧ୍ୟମରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର ପ୍ରଶାସନ। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହାସହ ସୁପ୍ରିମକୋର୍ଟରେ ମାମଲା ବିଚରଣା ଚାଲିଥିବାବେଳେ  ଆଜି ସବୁ ସୀମା ଟପି ପଟାଙ୍ଗୀ ଥାନା ଓ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କୋଟିଆରେ କେତେ ସରପଞ୍ଚ, କେତେ ସମିତି ସଭ୍ୟ, କେତେ ୱାର୍ଡ ମେମ୍ବର ଓ କେଉଁ ଜିଲ୍ଲା ପରିଷଦ ଜୋନରେ କିଏ କିଏ ପ୍ରତିଦ୍ବନ୍ଦିତା କରୁଛନ୍ତି ତାହାର ତଥ୍ୟ ଲୋଡିଥିଲା ଆନ୍ଧ୍ର ସାଲୁର ସିଆଇ ଡି.ରୋହିନୀ ପତି, ରାମା ରାଓ ଓ ଇଶ୍ବର ରାଓ ସହ ତାଙ୍କ ଟିମ୍। ତେବେ ପଟାଙ୍ଗୀ ପ୍ରଶାସନଠାରୁ ସେପରି କୌଣସି ସନ୍ତୋଷଜନକ ତଥ୍ୟ ନ ପାଇ ଏହି ଟିମ ଫେରି ଯାଇଥିବା ଜଣାପଡିଛି।
କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ମତଦାନ ପାଇଁ ଯୋଜନା ଚଳାଇଥିବାବେଳେ ଆନ୍ଧ୍ର ଏଜେଣ୍ଟଙ୍କ ମାଧ୍ୟମରେ ମନମାନୀ ଜାରି ରଖିଛି। ରାସ୍ତାକଡରେ ଡିଜିଟାଲ ସେବା ପ୍ରଦାନ, ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସହ ଅନ୍ୟ ସେବା ଯୋଗାଇବାକୁ ପ୍ରତିଦିନ କାର୍ଯ୍ୟ ଜାରି ରଖିଛି। ଏହାକୁ ପ୍ରତିହତ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ଓ କୋରାପୁଟ ପୁଲିସ ସେପରି କଠୋର ବ୍ୟବସ୍ଥା ଗ୍ରହଣ କରୁ ନ ଥିବାରୁ ନାହିଁ ଦିନକୁ ଦିନ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଆନ୍ଧ୍ରର ଏଜେଣ୍ଟଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛିକୋଟିଆରେ ରହିଥିବା ମତଦାନକୁ ପ୍ରଭାବିତ କରିବାକୁ ଏହିମାନେ ଚେଷ୍ଠା ଜାରି ରଖିଥିବାବେଳେ କାହିଁକି ପୁଲିସ ଓ ଜଲ୍ଲା ପ୍ରଶାସନ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଗତକାଲି କୋଟିଆରେ ପ୍ରଚାର କରୁଥିବାବେଳେ କିଛି ପ୍ରାର୍ଥୀଙ୍କୁ ସେଠାକାର ଦଲାଲ୍ ଧମକଚମକ ଦେଇଥିବା ଜଣାପଡିଛି। ଓଡ଼ିଶାକୁ ଭୋଟ ଦେବୁ ନାହିଁ ବୋଲି ଜେଡପି ପ୍ରାର୍ଥୀ ଟିକାଇ ଗେମେଲ ଓ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବିଶ୍ବନାଥ ଖୀଲଙ୍କୁ କିଛି ଆନ୍ଧ୍ରଏଜେଣ୍ଟ ଧମକଚମକ ଦେଇଥିବା ଜଣାପଡିଛି ।
ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ କୌଣସି ପରିସ୍ଥିତିରେ କୋଟିଆରେ କିଏ ବି ଚାହିଁକିଲେ ନିର୍ବାଚନ ବନ୍ଦ କରାଇପାରିବେ ନାହିଁ। ସମ୍ବିଧାନ ଅନୁସାରେ ଏହିଠାରେ ନିର୍ବାଚନ ହେବ ହିଁ ହେବ। ଆମେ ସବୁ ଦିଗକୁ ଦେଖି ପଦକ୍ଷେପ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।
ପଟାଙ୍ଗୀ ବିଡିଓ ସୌମ୍ୟ ସାଥକ ମିଶ୍ର କହିଛନ୍ତି ଯେ ଆଜି ସାଲୁର ସିଆଇ ଓ ତାଙ୍କ ଟିମ୍ ଆମ ନିକଟକୁ ଆଇନଶୃଙ୍ଖଳା ପରିସ୍ଥିତି ଆଳ ଦେଖାଇ ନିର୍ବାଚନ ସମ୍ପର୍କିତ ତଥ୍ୟ ମାଗୁଥିଲେ, କିନ୍ତୁ ଆମେ ତାଙ୍କୁ କୌଣସି ସୂଚନା ଦେଇ ନାହିୁଁ । ଜିଲ୍ଲା କାର୍ଯ୍ୟଳୟରୁ ତଥ୍ୟ ଆଣିବାକୁ କୁହାଯାଇଥିବା ସେ କହିଛନ୍ତି ।
ଏନେଇ ଏଏସପି ଉତ୍କଳ କେଶରୀ ଦାସ କହିଛନ୍ତି ଯେ ମତଦାନକୁ ପ୍ରଭାବିତ କଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। କି ନେତା ହୁଅନ୍ତୁ ଅବା ଜନତା କିଏ ବି ଆଇନକୁ ହାତକୁ ନେଇ ପାରିବେ ନାହିଁ। କୋଟିଆ ପରି ସ୍ଥାନରେ ଏପରି କଲେ ଦୃଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସମ୍ବନ୍ଧିତ ଖବର