ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କୋଟିଆବାସୀ, ବିନା ଦୋଷରେ ପୁଲିସ ମାଡ ମାରିଥିବା ଅଭିଯୋଗ

କୋରାପୁଟ: ପୁଣି ଚର୍ଚ୍ଚାକୁ ଆସିଛି କୋଟିଆ। ଏଥର ଆନ୍ଧ୍ର ସହ ବିବାଦ କିମ୍ବା କୌଣସି ଉନ୍ନୟନମୂଳକ କାମକୁ ନେଇ ନୁହେଁ। ବରଂ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ। ନକ୍ସଲ ଲିଙ୍କ ସନ୍ଦେହରେ ପୁଲିସ ଲୋକଙ୍କୁ ଉଠାଇ ଦେଇ ନିସ୍ତୁକ ପିଟୁଥିବା କୋଟିଆବାସୀ ଅଭିଯୋଗ କରିଛନ୍ତି। ଏଥିନେଇ ଶତାଧିକ ଲୋକ ଆଜି କୋରାପୁଟ ଜିଲ୍ଳାପାଳଙ୍କ କା‌ର୍ଯ୍ୟାଳୟ ଘେରିଥିଲାବେଳେ ପ୍ରଶାସନ ପାଖରୁ ପ୍ରତିଶ୍ରୁତି ମିଳିବା ପରେ ଫେରି ଯାଇଛନ୍ତି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଂଚାୟତର ୨୧ଟି ଗ୍ରାମକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ଏହି ବିବାଦୀୟ ଗ୍ରାମ ଭିତରେ ଥିବା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଓଡିଶା ସରକାର ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ଆନ୍ଧ୍ର ବି ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ଲୋଭ ଦେଖାଉଛି। କୋଟିଆକୁ ନେଇ ଦୁଇ ରାଜ୍ୟ ଭିତରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲାବେଳେ ଆଜି କୋଟିଆ ପଞ୍ଚାୟତବାସୀ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିନା କାରଣରେ ମାତଲାମ୍ବା ଗ୍ରାମର ୨ଜଣ ଯୁବକକୁ ଘରେ ଶୋଇଥିବା ବେଳେ ରାତି ଅଧିଆ ଉଠାଇନେଇ ପୁଲିସ ପ୍ରବଳ ମାଡ ମାରିଥିବାନେଇ ଲୋକମାନେ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ।

ପୁଲିସର ଏହି ଜୁଲମକୁ ବିରୋଧ କରି କୋଟିଆ ପଂଚାୟତର ମାତଲାମ୍ବା ସମେତ ଅନ୍ୟାନ୍ୟ ଗାଁରୁ ଶତାଧିକ ଗ୍ରାମବାସୀ ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ‌ଯେ, ମାଓବାଦୀଙ୍କୁ ସମର୍ଥନ କରି ସେମାନଙ୍କୁ ଖାଇବା ପିଇବା ଯୋଗାଉଥିବା ସନ୍ଦେହ କରି ଚଳିତ ମାସ ୧୧ ତାରିଖରେ ବେସୁ ଖିଲ ଓ ବିମଳ ଖିଲଙ୍କୁ କୋରାପୁଟ ଉଠାଇ ଆଣି ପୁଲିସ ବହୁତ ମାଡ଼ ମାରିଛି। ଏହା ସହ ପୁଲିସ ଅଧିକାରୀମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଏହା ଜଣାପଡିବା ପରେ କୋଟିଆବାସୀ ମେଳି ହୋଇ ପ୍ରତିବାଦ କରିବାପରେ ପୁଲିସ ସେମାନଙ୍କୁ ଛାଡି ଦେଇଛି। କିନ୍ତୁ କାହିଁକି ବିନା କ‌ାରଣରେ ଦୁଇ ଯୁବକଙ୍କୁ ଏମିତି ପୁଲିସ ନିର୍ଯାତନା ଦେଇଛି ତାହାର ଉତ୍ତର କେହି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିନେଇ ସେମାନେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜିଲ୍ଲାପାଳ ନ ଥିବାରୁ ସହକାରୀ ଜିଲ୍ଲାପାଳ ଜଗତ ଜୀବନ ଚୌଧୁରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ। ଏଥିନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର