‘ବିମୁଲ ପାଣ୍ଡୁମ’ ପର୍ବ ପରେ ବାହାଘର ପାଇଁ ବର-କନ୍ୟା ଦେଖାଦେଖି କରନ୍ତି କୋୟା ଆଦିବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଶୀ ପ୍ରତିଶତ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରିଆସୁଛନ୍ତି। ନିଜର ପାରଂପାରିକ ଶୈଳୀରେ ଏମାନ ଜୀବନଯାପନ କରୁଛନ୍ତି। କାହିଁ କେଉଁ କାଳରୁ ଏମାନେ ନିଜର ସଂସ୍କୃତିକୁ ବଜାୟ ରଖିପାରିଛନ୍ତି। ସେହି ସଂସ୍କୃତି ଆଜି ବି ଏହି ଆଦିବାସୀ ସଂପ୍ରଦାୟରେ ଦେଖିବାକୁ ମିଳେ। ଆମେ ଯେଭଳି ବାର ମାସରେ ତେର ପର୍ବ ପାଳନ୍ତି, ସେହିପରି ଆଦିବାସୀମାନେ ମଧ୍ୟ ବାର ମାସରେ ତେର ପର୍ବ ପାଳନ କରନ୍ତି। ପ୍ରତ୍ୟେକ ପର୍ବରେ କିଛି ନା କି ଭିନ୍ନତା ଦେଖିବାକୁ ମିଳିଥାଏ।

ମାଲକାନଗିରି ଜିଲ୍ଳାରେ ବସବାସ କରୁଥିବା ଆଦିମ ଜନଜାତି ବଣ୍ଡା, ଡିଡିୟୀ, କୋୟା, ପରଜା, ଦୁରୁଆ, ଗାଦବା, କନ୍ଧ ଭଳି ସଂପ୍ରଦାୟରେ ପାଳନ ହେଉଥିବା ପର୍ବଗୁଡ଼ିକ ଏକାପରି। ତେବେ ମାଲକାନଗିରିରେ ବାସ କରୁଥିବା କୋୟା ସଂପ୍ରଦାୟର ଲୋକେ ଏବେ ବିମୁଲ ପାଣ୍ଡୁମ ନାମକ ଏକ ପର୍ବ ପାଳନ କରିଛନ୍ତି। ପ୍ରତିବର୍ଷ ମାଘ ମାସରେ ବିମୁଲ ପାଣ୍ଡୁମ ପର୍ବ କୋୟା ଆଦିବାସୀମାନେ ପାଳନ କରିଆସୁଥିବା ବେଳେ ଏହାର ମାନ୍ୟତା ହେଲା, ଏହି ପର୍ବ ପରେ ଆଦିବାସୀ ଲୋକେ ମହୁଲ ଫୁଲ ଗୋଟାଇ ପାରିବେ ଏବଂ ଆଗକୁ ଝିଅପୁଅର ବାହାଘର ସ୍ଥିର କରିପାରିବେ। ସେଥିପାଇଁ ଗ୍ରାମଗୁଡିକରେ ଲୋକେ ଏକ ମହୁଲ ଫୁଲ ଗଛ ତଳେ ଏକତ୍ର ହୋଇ ପାରିଂପାରିକ ରୀତିନୀତିରେ ପୂଜାର୍ଚ୍ଚନା କରନ୍ତି।

ଏଠାରେ ସେମାନେ କୁକୁଡା କିମ୍ବା ଛେଳି ବଳି ଦେଇ ଗ୍ରାମଦେବୀଙ୍କୁ ଶାନ୍ତ କରିଥାନ୍ତି। ଗ୍ରାମର ଛୋଟରୁ ବଡ ସମସ୍ତେ ନାଚଗୀତରେ ମସଗୁଲ ହୁଅନ୍ତି। ସକାଳରୁ ସଂଧ୍ୟା ଏବଂ ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ଏହି ପର୍ବ ଚାଲେ। ଏହି ପର୍ବ ପରେ ହିଁ ଅନ୍ୟାନ୍ୟ ପର୍ବ ମଧ୍ୟ ପାଳନ କରିପାରିବେ। ତେଣୁ ଏହି ପର୍ବକୁ ଆଡମ୍ବର ସହ ଆଦିବାସୀମାନେ ପାଳନ କରନ୍ତି। ତେବେ ମହୁଲ ଗଛ ନିକଟରେ ପୂଜାର୍ଚ୍ଚନା ପରେ ଏଠାରେ ବରକନ୍ୟାଙ୍କୁ ମଧ୍ୟ ବିବାହ କରାଯାଇଥାଏ। ଏହା ପରେ ଗ୍ରାମର ଅନ୍ୟ ଆଦିବାସୀ ଭାଇଭଉଣୀମାନେ ନିଜ ନିଜର ପୁଅ ଝିଅ ପାଇଁ ପ୍ରସ୍ତାବ ଦେଖିବା ସହ ବାହାଘର କରିପାରିବେ ବୋଲି ମାନ୍ୟତା ରହିଛି।

ସେହିପରି ନୂତନ ବିହନକୁ ମଧ୍ୟ ସେଠାରେ ସମର୍ପିତ କରାଯାଇଥାଏ। ଏହାପରେ ଗାଁ ଗାଁରେ ଲୋକେ ମହୁଲ ଗୋଟାଇବା ଆରମ୍ଭ କରିଥାନ୍ତି। ଆଦିବାସୀମାନେ ପ୍ରତିବର୍ଷ ମହୁଲ ଗୋଟାଇ ତାକୁ ବଜାରରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିଥାନ୍ତି। ସେମାନଙ୍କର ପର୍ବପର୍ବାଣୀରେ ଡିସାରିଗୁଣିଆଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ। ସେମାନେ ହିଁ କେବେ ପର୍ବ ପାଳନ କରାଯିବ ଓ କେବେ ବିବାହ ଉତ୍ସବ ହେବ, ସେ ତାରିଖ, ସମୟ ଠିକ କରିଥାନ୍ତି। ତେଣୁ ଆଦିବାସୀଙ୍କ ଏହି ପର୍ବର ବିଶେଷ ଗୁରୁତ୍ବ ରହିଛି।

ସମ୍ବନ୍ଧିତ ଖବର