ସଫଳ କାହାଣୀ, ପରିବା ଚାଷ ଦେଇଛି ପରିଚୟ

ଗରଦପୁର: ୧୦ ଗୁଣ୍ଠ ଜମି। ଏଥିରେ ଚାଷ କରାଯାଇଛି ବାଇଗଣ। ସ୍ଥାନୀୟ ହାଟ ବଜାରରେ ବିକ୍ରି ସହ କେନ୍ଦ୍ରାପଡ଼ା, ପାରାଦୀପକୁ ଯୋଗାଣ ହେଉଛି। ପ୍ରତ୍ୟେକ ଦିନ ତୋଳା ଯାଉଛି କୁଇଂଟାଲ କୁଇଂଟାଲ ବାଇଗଣ। ଏହି ଚାଷ କରିଛନ୍ତି ୬ ଜଣ ଯୁବ ଶିକ୍ଷିତ ଚାଷୀ। ଏହି ବାଇଗଣ ଫସଲରୁ ସେମାନଙ୍କ ପରିବାର ଚଳୁଛି। ଏମାନେ ସମସ୍ତେ ଗରଦପୁର ବ୍ଲକ୍ ତିକନପୁର ଗ୍ରାମର ଏକ ପ୍ରତିଷ୍ଠିତ କୃଷକ କ୍ଲବର ସଦସ୍ୟ। ହରିପୁର, ବେହୁଳ ଓ ତିକନପୁର ଗ୍ରାମର ୨୦ ଜଣ ସଦସ୍ୟଙ୍କୁ ନେଇ ୨୦୦୫ ରେ ପ୍ରତିଷ୍ଠା ହୋଇଥିଲା ଏହି କୃଷକ କ୍ଲବ୍। କ୍ଲବ୍‌ର ପ୍ରତିଷ୍ଠାତା ଥିଲେ ସ୍ବର୍ଗତ ସୁରେଶ ଚନ୍ଦ୍ର ରାଉତ। ସେ ଏକାଧାରରେ ଜଣେ ସ୍ଥାନୀୟ ଜନ ପ୍ରତିନିଧି, କବି, ଲେଖକ ଓ ସୁସାହିତ୍ୟିକ ସାଙ୍ଗକୁ ଜଣେ ସମାଜସେବୀ ଥିଲେ। କୃଷି ଓ କୃଷକର ଉନ୍ନତି ପାଇଁ କୃଷକ କ୍ଲବ୍‌ଟିଏ ଗଠନ କରିଥିଲେ। ତାଙ୍କ ପ୍ରେରଣା ଓ ଉତ୍ସାହ ପାଇ ଗାଁର ଯୁବକ ଓ କୃଷକମାନେ ବହୁ ସମୟରେ ଅନୁପ୍ରାଣିତ ହୋଇ କୃଷି ବୈଜ୍ଞାନିକଙ୍କ ସହଯୋଗ ଓ ପରାମର୍ଶରେ ଚାଷ କାର୍ଯ୍ୟ କରିଆସିଥାନ୍ତି। ସେହି ପରିପ୍ରେକ୍ଷୀରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି କୃଷକ କ୍ଲବ ପକ୍ଷରୁ ବାଇଗଣ ଚାଷ କରାଯାଇଛି। ଏହି ସଦସ୍ୟ ମାନଙ୍କ ମଧ୍ୟରେ ବହୁ ଶିକ୍ଷିତ ଯୁବ ବର୍ଗ ଅଛନ୍ତି।

ଡାକ୍ତର ଅମିୟ ରଂଜନ ରାଉତଙ୍କ ସମେତ ଯୁବଚାଷୀ ତ୍ରୈଲୋକ୍ୟ ନାଥ ବିଶ୍ବାଳ, ଅଭୟ ସାହୁ, ଜଟାଧାରୀ ବେହେରା, ସର୍ବେଶ୍ବର ରାଉତ, ଚନ୍ଦ୍ରମଣି ରାଉତ ପ୍ରମୁଖ ଚାଷୀମାନଙ୍କ ସହିତ ମିଶି ୮ ଗୁଂଠ ଜମିରେ ତାରେଣି ଓ ୨ ଗୁଂଠରେ ଜେକେ କିସମ ବାଇଗଣ ଚାଷ କରିଛନ୍ତି। ରୋଗପୋକ ଦମନ ସହିତ ରୀତିମତ ଜଳ ଯୋଗାଇ ଓ ବେଉଷଣ କରିଛନ୍ତି। ଫଳରେ ଗତ ୩ ମାସ ହେଲା ଏହି ଜମିରେ ପ୍ରଚୁର ବାଇଗଣ ପରିବା ଅମଳ ହେଉଛି। ଯାହା ଅଂଚଳର ଅନ୍ୟ ଚାଷୀମାନଙ୍କ ପାଇଁ ‌ସେମାନେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପ୍ରତ୍ୟେକ ଦିନ ବାଇଗଣ ତୋଳାଯାଇ ସ୍ଥାନୀୟ ପୁନ୍ଦାଳ, ତିକନପୁର, କଳାବୁଦା, ଗରଦପୁର, ପାଟକୁରା, ନୂଆପଡ଼ା ସାପ୍ତାହିକ ହାଟକୁ ଯୋଗାଇ ଦିଆଯାଉଥିବା ବେଳେ କେନ୍ଦ୍ରାପଡ଼ା ଗୋପ ହାଟ ଓ ପାରାଦୀପ ନୂଆ ବଜାରକୁ ମଧ୍ୟ ପଠାଯାଉଛି। ଏହି ବାଇଗଣ ଚାଷରେ ବେଶ ଦୁଇ ପଇସା ଲାଭ ବି ହେଉଛି। ଏହି ଚାଷରେ ଅଗ୍ରଦୂତ ସାଜିଥିବା ଆୟୁଷ ଡ଼ାକ୍ତର ଶ୍ରୀ ରାଉତ କୁହନ୍ତି, ଗତ ମାର୍ଚ୍ଚ ମାସରେ ଏହି ବାଇଗଣ ଚାଷ ଆରମ୍ଭ ହୋଇଛି। ମେ’ ମାସ ପ୍ରଥମ ସପ୍ତାହରୁ ବାଇଗଣ ଅମଳ ଓ ବିକ୍ରିବଟା ଚାଲିଛି। ଏହି ବାଇଗଣ ଚାଷରେ ଆଜି ସୁଦ୍ଧା କ୍ଲବ୍‌ ପକ୍ଷରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ବାଇଗଣ ବିକ୍ରି କରାଯାଇ ୧୭ ହଜାର ଟଙ୍କା ଆୟ ହୋଇଛି। ଶିକ୍ଷିତ ଯୁବ ବର୍ଗ ଚାକିରି ପାଇଁ ବାହାରକୁ ନ ଯାଇ ଆର୍ଥିକ ସଶକ୍ତ ଓ ଆତ୍ମନିର୍ଭରଶୀଳ ହେବା ପାଇଁ କୃଷି ଓ ବିଶେଷ କରି ପରିବା ଚାଷ ଉପରେ ନିର୍ଭର କଲେ ପରିବାର ପ୍ରତିପୋଷଣ କରିବାରେ କିଛି ଅସୁବିଧା ହେବ ନାହିଁ।

ସମ୍ବନ୍ଧିତ ଖବର