ରାୟଗଡା: ସମୟ ପୂର୍ବରୁ ବିକାଶର ଗତିକୁ ପଢ଼ି ପାରୁଥିଲେ ବୋଲି ବିକାଶର ନୂଆ ଅଧ୍ୟାୟକୁ ଲେଖି ଯାଇଛନ୍ତି।ଜୀବନକୁ ତଳେଇ ଦେଖି ପାରିଛନ୍ତି ବୋଲି ସମାଜରେ ଗ୍ରହଣୀୟ ହୋଇ ଚିରସ୍ମରଣୀୟ ରହିଛନ୍ତି। ନଗର ଉନ୍ନୟନର ସେ ଥିଲେ ଦିବ୍ୟଦ୍ରଷ୍ଟା। ସ୍ଵାଧୀନତା ସଂଗ୍ରାମରେ ରାୟଗଡ ମାଟିର ଅବଦାନ ଅତୁଳନୀୟ ରହିଥିବାବେଳେ ସ୍ବର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା। ଛାତ୍ର ଜୀବନରୁ ଦେଶପ୍ରେମର ବହ୍ନିରେ ସେ ଉଦ୍ଭାସିତ ହୋଇଥିଲେ ବୋଲି ରାୟଗଡ ପୌରପରିଷଦର ପ୍ରଥମ ଅଧ୍ୟକ୍ଷ, ସ୍ଵାଧୀନତା ସଂଗ୍ରାମୀ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ପୁରୋଧା କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ୯୭ତମ ଜନ୍ମ ଜୟନ୍ତୀ ସମାରୋହରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନୂଆ ରାୟଗଡର ନିର୍ମାଣ ପୁରୁଷ ସ୍ବର୍ଗତ ବକ୍ସିପାତ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି, ରାୟଗଡ ପକ୍ଷରୁ କମିଟିର ସଭାପତି ଗୋପୀନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସମାରୋହରେ ସମ୍ମାନିତ ଅତିଥି ଭାବେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ ଓ ପୌରାଧ୍ୟକ୍ଷ ମହେଶ ପଟ୍ଟନାୟକ ନିଜ ବକ୍ତବ୍ୟରେ ସ୍ବର୍ଗତ ବକ୍ସିପାତ୍ରଙ୍କ ସହ ନିଜ ଅନୁଭୂତିକୁ ଉପସ୍ଥାପନା କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ କବି ଓ ପଞ୍ଚବଟୀର ସମ୍ପାଦକ ସୁଶାନ୍ତ କୁମାର ନାୟକ ଯୋଗ ଦେଇ ନିଜ ବକ୍ତବ୍ୟରେ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ବିଶଦ ଭାବେ ବ୍ୟାଖ୍ୟା କରିଥିଲେ।
ସ୍ମାରକୀ ଅଭିଭାଷଣ କ୍ରମରେ ବିଶିଷ୍ଟ ପ୍ରତ୍ନତତ୍ତ୍ଵବିଦ, ଐତିହାସିକ ତଥା ଗବେଷକ ଶ୍ରୀରଙ୍ଗ ନାୟକ ରାୟଗଡ଼ରେ ସ୍ଵାଧୀନତା ସଂଗ୍ରାମ ବିଷୟକ ଆଲୋଚନାରେ ସ୍ଵାଧୀନତା ଆନ୍ଦୋଳନରେ ଏଇ ମାଟିର ଭୂମିକା ଓ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସାହିତ୍ୟିକ ତଥା ଜନଜାତି ଗବେଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ସୁପୁତ୍ର ଡ଼ଃ ନିରଞ୍ଜନ ବକ୍ସିପାତ୍ର ମଞ୍ଚ। ସୀନ ଥିବାବେଳେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ନିଜ ଅନୁଭୂତିକୁ ପ୍ରକାଶ କରିଥିଲେ। ପ୍ରଥମେ ନଗର ଭବନ ନିକଟରେ ଥିବା କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସାହିତ୍ୟ, ସଂସ୍କୃତି ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଗବେଷକ ଶ୍ରୀରଙ୍ଗ ନାୟକ, କବି ସୁଶାନ୍ତ କୁମାର ନାୟକ ଓ କଥାଶିଳ୍ପୀ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅରୁଣ କୁମାର ପାଣିଗ୍ରାହୀ, ରବି ଶତପଥୀ, ବିପିନ ବିଶ୍ବାଳ ପ୍ରମୁଖ ମାନପତ୍ର ପାଠ କରିଥିବାବେଳେ ଦେବାଶିଷ ଖାଡାଙ୍ଗା, ଜଗଦୀଶ ପଣ୍ଡା, ରଜତ ଖଟୁଆ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୌରଉପାଧ୍ୟକ୍ଷ ସତ୍ୟବାଦୀ ପତି, ଅରୁଣ ପାଣିଗ୍ରାହୀ, ମଞ୍ଜୁଶ୍ରୀ ମୁଖାର୍ଜୀ, ସୁନୀଲ କର, ଲାବଣ୍ୟ ମୋହନ ପଟ୍ଟନାୟକ, ପ୍ରଣତି ପାତ୍ର, ସୁନୀଲ ପଣ୍ଡା, ଟୁନା ଟନ ଟନ, ତ୍ରିବେଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।