ଡେଥ ଜୋନ ପାଲଟିଛି କୁଆଖାଇ; ପୁଣି ଜଣେ ମୃତ, ବାପା ଆଗରେ ବୁଡ଼ିଗଲା ପୁଅ

ବାଲିଅନ୍ତା: ସ୍ଥାନୀୟ ଟଙ୍କପାଣି ବ୍ରିଜ ସଂଲଗ୍ନ ବାସୁଆଘାଇ ପାର୍ଶ୍ବ କୁଆଖାଇ ନଦୀରେ ବୁଡ଼ି ବୁଣି ଆଜି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ରାମେଶ୍ବର ପାଟଣା ଗ୍ରାମର କାହ୍ନୁ ଚରଣ ଜେନାଙ୍କ ପୁଅ ନିକ୍ଷିଳ ଜେନା (୧୨)। ଅପରାହ୍ନ ସାଢ଼େ ଗୋଟାଏ ସମୟରେ ଏହି ଅଘଟଣ ଘଟିଥିଲା। କାଲି ଯେଉଁ ସ୍ଥାନରେ ବୁଡ଼ି ଲକ୍ଷ୍ମୀସାଗର ମଝି ସାହିର ଗଣେଷ ଚନ୍ଦ୍ର ପୃଷ୍ଟିଙ୍କ ୧୩ ବର୍ଷର ନାବାଳକ ପୁଅ ରାମେଶ୍ବର ମୃତ୍ୟୁ ଘଟିଥିଲା, ଆଜି ଠିକ ସେହି ସ୍ଥାନରେ ବାପାଙ୍କ ସହ ଗାଧୋଇ ଆସିଥିବା ନିକ୍ଷିଳ ପାଣିରେ ଭାସିଯାଇଥିଲା। ଦୁଇଦିନ ମଧ୍ୟରେ କୁଆଖାଇରେ ଦୁଇଜଣ ପିଲାଙ୍କ ସଲିଳ ସମାଧି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ମୁତାବକ ନିକ୍ଷିଳ ପାଣିରେ ଭାସି ଯାଉଥିବା ଦେଖି ତାଙ୍କ ବାପା ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ପୁଅକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରି ନଥିଲେ। ପୁଅକୁ ଉଦ୍ଧାର କରିବା ପାଇଁ କୂଳକୁ ଆସି ଚିତ୍କାର କରି ଡାକ ପକାଇଥିଲେ। ତାଙ୍କ ପାଟିଶୁଣି ସ୍ଥାନୀୟ ଲୋକ ପହଞ୍ଚି ଖୋଜାଖୋଜି କରିଥିଲେ। ପରେ ବାଲିଅନ୍ତା ଓ କଳ୍ପନା ଛକସ୍ଥିତ ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ ପହଞ୍ଚି ମାତ୍ର ଅଧଘଣ୍ଟାଏ ସମୟ ଭିତରେ ନିକ୍ଷିଳଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ହେଲେ ସେତେବେଳେକୁ ନିକ୍ଷିଳ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସଂକଟାପନ୍ନ ଅବସ୍ଥାରେ ବାଲିଅନ୍ତା ଅଗ୍ନିଶମ ସେବା କର୍ମଚାରୀ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ।ହେଲେ ସେଠାରେ ଡାକ୍ତର ନିକ୍ଷିଳକୁ ମୃତ ଘୋଷଣା କରିଥଲେ। ଏପଟେ ଖବର ପାଇ ନିକ୍ଷିଳର ପରିବାର ଏବଂ ସଂପର୍କୀୟ ମାନଙ୍କର ହସ୍ପିଟାଲରେ ଭିଡ଼ ଲାଗିଥିଲା। କାନ୍ଦ ବୋବାଳିରେ ହସ୍ପିଟାଲ ପରିସର ଫାଟି ପଡ଼ିଥିଲା। ସହୀଦନଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଭିଯୋଗ ଆଧାରରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ପ୍ରାପ୍ତ ସୂଚନା ମୁତାବକ ରାମେଶ୍ବର ପାଟଣା ଅଞ୍ଚଳର କାହ୍ନୁ କାର ଯୋଗେ ପୁଅ ନିକ୍ଷିଳ ଓ ତାଙ୍କର ଅନ୍ୟଜଣେ ସାଙ୍ଗ ରୁଦ୍ର ନାରାୟଣ ଆଚାର୍ଯ୍ୟକୁ ଧରି କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ। କାର ପଠାରେ ରଖି ୩ ଜଣଯାକ ଗାଧୋଇବାକୁ ଯାଇଥିଲେ। କାହ୍ନୁ ପାଣିକୁ ଯିବା ପୂର୍ବରୁ ନିକ୍ଷିଳ ଓ ତାଙ୍କ ସାଙ୍ଗ ରୁଦ୍ର ପାଣିକୁ ଡେଇଁ ପଡ଼ିଥିଲେ। ହେଲେ ଗଭୀର ଗଣ୍ଡର ନିକ୍ଷଳ ଜଳସ୍ରୋତରେ ଭାସିଯାଇଥିଲେ। ତେବେ ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ଏବେ ଡେଥଜୋନ ପାଲଟିଛି। ଦୁଇଦିନ ମଧ୍ୟରେ ଦୁଇଜଣ ନାବାଳକଙ୍କର ପ୍ରାଣହାନୀ ଘଟିଛି।

ସେହିପରି ଗତବର୍ଷ ପହିଲି ରଜ ଦିନ ଅନୁରୂପ ଭାବେ ବାଲିପାଟଣା ଥାନା ଅଧୀନ ଚିତ୍ତଳପୁର ଗ୍ରାମର ଅନ୍ୟ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହାର କିଛିମାସ ପରେ ଟଙ୍କପାଣି ବ୍ରିଜର ଆରପାର୍ଶ୍ବରେ ଜଣେ ଶ୍ରମଜୀବୀ ମହିଳା ଗାଧୋଉଥିବା ବେଳେ ମଧ୍ୟ ପାଣିରେ ଭାସିଯାଇ ମୃତ୍ୟୁ ହୋଇଯାଇଥିଲା। କୁଆଖାଇ ନଦୀରୁ ବେଧଡ଼କ ବାଲି ଉଠାଣ ହେବା ଦ୍ବାରା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ବାଲିଅନ୍ତା ଓ ଭୁବନେଶ୍ବର ତହସିଲ କର୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅିଯୋଗ ହେଉଛି। କୁଆଖାଇରେ ବୁଡ଼ି ଜଣକ ପରେ ଜଣଙ୍କର ପ୍ରାଣହାନୀ ଘଟୁଥିଲେ ମଧ୍ୟ ଖୋର୍ଧା ଜିଲ୍ଲା ପ୍ରଶାସନ ମଧ୍ୟ ହାତବାନ୍ଧି ବସିଛି। ରାଜ୍ୟ ପ୍ରଦୂଷଣ ବୋର୍ଡ଼ ସତେଯେପରି ହାତ ଟେକି ଦେଇଛି। କମିସନରେଟ ପୁଲିସ ପିସିଆର ଗାଡ଼ି ମଧ୍ୟ ଏଠାରେ ପାଟ୍ରାଲିଂ କରି ଏଠାକୁ ଗାଧୋଇ ଆସୁଥିବା ଲୋକଙ୍କୁ ସତର୍କ କରାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଘଡ଼ିସନ୍ଧି ସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ଏଦିଗରେ ବରିଷ୍ଠ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର