ରାଉରକେଲା : ଦୁର୍ଘଟଣାରେ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ମୃତ୍ୟୁ

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲାର ବିର୍ସାମୁଣ୍ଡା ଛକ ନିକଟରେ ଏକ କାର ଦୁର୍ଘଟଣାରେ ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ମନୋଜ ନାୟକଙ୍କର ମୃତ୍ୟୁ ଘଟିଛି। ଶ୍ରୀ ନାୟକ ଡ୍ୟୁଟି ସାରି ରାଉରକେଲାସ୍ଥିତ ନିଜ ସରକାରୀ କ୍ୱାର୍ଟରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲାର ପ୍ଲାଣ୍ଟ ସାଇଟ୍‌ ଥାନାରେ ସବ୍‌ ଇନସ୍‌ପେକ୍ଟର ଥିବା ମନୋଜ ନାୟକଙ୍କର ଗତ ବର୍ଷକ ତଳେ ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଭାବେ ବଦଳି ହୋଇଥିଲା। ତେବେ ଗତକାଲି ରାତି ପ୍ରାୟ ୧ଟା ବେଳେ ଶ୍ରୀ ନାୟକ ଡ୍ୟୁଟି ସାରି ନିଜ କାର ଯୋଗେ ରାଉରକେଲା ସେକ୍ଟର ୧୯ସ୍ଥିତ ନିଜ ସରକାରୀ କ୍ୱାର୍ଟରକୁ ଫେରୁଥିବା ବେଳେ ବିର୍ସାମୁଣ୍ଡା ଛକ ନିକଟେରେ ସେ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ କାରଟି ଡିଭାଇଡ଼ରରେ ପିଟି ହୋଇଯାଇଥିଲା। ଶ୍ରୀ ନାୟକ କାର ଭିତରେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶ୍ରୀ ନାୟକଙ୍କୁ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଜଣେ ନିର୍ଭିକ ଓ କର୍ତ୍ତବ୍ୟନିଷ୍ଠ ପୁଲିସ ଅଫିସର ଭାବେ ଶ୍ରୀ ନାୟକ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପୂର୍ବରୁ ସେ ରାଜ୍ୟର ଶ୍ରେଷ୍ଠ ପୁଲିସ ସବ୍‌ ଇନସପେକ୍ଟର ଭାବେ ମଧ୍ୟ ପୁରସ୍କୃତ ହୋଇଥିଲେ। ତାଙ୍କ ଅକାଳ ବିୟୋଗରେ ରାଉରକେଲାରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର