ଭିଜିଲାନ୍ସ ହାତରେ କୁବେର ଡେପୁଟି ମ୍ୟାନେଜର୍‌: ୩୩ ବର୍ଷ ଚାକିରି, ୧୫କୋଟିରୁ ଅଧିକ ସମ୍ପତ୍ତି!

ଖୋର୍ଦ୍ଧା, ଭୁବନେଶ୍ବର, ଭଦ୍ରକରେ ୨୭ ପ୍ଲଟ୍‌, ୫ କୋଠା, ଫ୍ଲାଟ୍, ୩୮ଲକ୍ଷ ନଗଦ ଟଙ୍କା ଜବତ, ଚଢଉ ଜାରି

କଟକ/ବାଲେଶ୍ୱର/ସିମୁଳିଆ/ବାସୁଦେବପୁର: ଓଡ଼ିଶା ପୁଲିସ ହାଉସିଂବୋର୍ଡ ଓ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା ହୋଇଯାଇଛି। ଡେପୁଟି ମ୍ୟାନେଜର ଶ୍ରୀ ସାମଲ ୩୩ ବର୍ଷର ଚାକିରି କାଳରେ କୁବେର ଭଳି ସଂପତ୍ତି ଠୁଳ କରିଛନ୍ତି। ପ୍ରାଥମିକ ଆକଳନରୁ ତାଙ୍କର ସଂପତ୍ତି ୧୫ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ସଂପତ୍ତିର ସଂପୂର୍ଣ୍ଣ ଆକଳନ ସରିଲା ବେଳକୁ ଏହା କେତେ ଟଙ୍କାରେ ପହଞ୍ଚିବ, ତାହାକୁ ନେଇ ଭିଜିଲାନ୍ସ ବିଭାଗ କର୍ମଚାରୀ ବି ଏବେ ଆଶ୍ଚର୍ଯ୍ୟଚକିତ ସ୍ଥିତିରେ ଅଛନ୍ତି। ଏବେ ସୁଦ୍ଧା ଶ୍ରୀ ସାମଲ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଭୁବନେଶ୍ବର-ଖୋର୍ଦ୍ଧ‌ା, ଭଦ୍ରକ ବାସୁଦେବପୁରରେ ମୂଲ୍ୟବାନ ୨୭ଟି ପ୍ଲଟ ସମେତ ୫ଟି କୋଠା ଓ ଏକ ଫ୍ଲାଟ ଠାବ କରାଯାଇଛି। ଶ୍ରୀସାମଲଙ୍କ ପାଖରୁ ନଗଦ ୩୮ଲକ୍ଷ ୧୨ ହଜାର ୯୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

ତଥ୍ୟ ମୁତାବକ, ଆଜି ଭୁବନେଶ୍ବର ଭିଜିଲାନସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ପୁଲିସ ହାଉସିଂବୋର୍ଡ ଓ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘ‌‌ରେ ଚଢଉ କରାଯାଇଥିଲା। ଭିଜିଲାନ୍ସର ୧୦ଟି ଟିମ୍ ଏକକାଳୀନ ଭୁବନେଶ୍ବର ପୁଲିସ ହାଉସିଂବୋର୍ଡ ଅଫିସ ସମେତ ୧୦ଟି ସ୍ଥାନ‌ରେ ଚଢଉ କରିଥିଲା। ଏଥିରେ ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ଜଣ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ଶ୍ରୀ ସାମଲ ଓ ତାଙ୍କ ପତ୍ନୀଙ୍କ ନାମରେ ଭୁବନେଶ୍ବର-ଖୋର୍ଦ୍ଧରେ ୧୭ଟି ପ୍ଲଟ, ୩ଟି କୋଠା ଓ ଏକ ଫ୍ଲାଟ ଥିବାବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁରେ ୫ଟି ପ୍ଲଟ୍ ଓ ଏକ ତିନି ମହଲା କୋଠା, ବାଲେଶ୍ବର ସିମୁଳିଆ ବେତଡାରେ ଦୁଇ ମହଲା କୋଠା ଥିବା ଜଣାପଡିଛି। ଭୁବନେଶ୍ବର ଗୋଠପାଟଣାରେ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଥିବା ୨୦ ହଜାର ୩୫୦ ବର୍ଗ ଫୁଟର ୫ ମହଲା କୋଠା ରହିଛି। ଯାହାର ବଜାର ମୂଲ୍ୟ ଜମି ସହିତ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ସେହିଭଳି ଶ୍ରୀ ସାମଲଙ୍କ ଭୁବନେଶ୍ବର ଆଇଆରସି ଭିଲେଜ ପ୍ଲଟ୍ ନଂ ଏନ/୬-୪୧୬ର ତିନି ମହଲା କୋଠା, ଜୟଦେବ ବିହାର, ବିଜୁ ପଟ୍ଟନାୟକ କଲେଜ ଛକ ମା’ ମଙ୍ଗଳ ମନ୍ଦିର ଅପରପାର୍ଶ୍ବରେ ଥିବା ୬ ମହଲା କୋଠା, ଖଣ୍ଡଗିରି ସରକନ୍ତରାର ପ୍ଲଟ ନଂ ୩/୬୦୫ ଏକ ମହଲା ଘର (ଯାହା ଭଡାରେ ଦିଆଯାଇଥିଲା), ଜୟଦେବ ବିହାର ନରେନ୍ଦ୍ର ଭିଲାରେ ଫ୍ଲାଟ ଇତ୍ୟାଦି ରହିଛି। ଖୋର୍ଦ୍ଧାର ଗଡଜାଗସରା, ଆଇଗିଣିଆ, ବରମୁଣ୍ଡା, ଗୋଠପାଟଣା, ଶଙ୍କରପୁର, ଚୈତନ୍ୟ ପ୍ରସାଦ, ହରପୁର, ଜୟଦେବ ବିହାର, ଖଣ୍ଡଗିରିରେ ମୂଲ୍ୟବାନ ପ୍ଲଟ ରହିଛି।

ସୂଚନାଯୋଗ୍ୟ ଯେ ଶ୍ରୀ ସାମଲ ୧୯୮୮ରେ ଜୁନିଅର ଇଂଜିନିୟର ଭାବେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନରେ ଯୋଗ ଦେଇଥିଲେ। ୧୯୯୪-୯୫ରୁ ଏଷ୍ଟିମେଟର ଭାବେ କାମ କରୁଥିଲେ। ସେ କେନ୍ଦ୍ରାପଡା ଓ ଦେବଗଡ‌‌ରେ ବି କାମ କରିଥିଲେ। ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପଦୋନ୍ନତି ପାଇ ରାଉରକେଲା, ବଲାଙ୍ଗୀର, କେନ୍ଦୁଝର, କଟକରେ କାମ କରିବା ପରେ ୨୦୧୯ରୁ ସେ ଭୁବନେଶ୍ବରରେ କାମ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର