କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଧିନ କେମ୍ପସଡା ଠାରେ କୁଡୁମି ଅଧିକାର ସଙ୍ଘର୍ଷ ସମିତି ତରଫରୁ ଏକ ଜରୁରିକାଳୀନ ବୈଠକ ଜ୍ୟୋସ୍ନାରାଣୀ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ କୁଡୁମି ସମ୍ପ୍ରଦାୟ ତରଫରୁ କିଛିଦିନ ଧରି କୁଡୁମି ପୁରପଲ୍ଲୀରେ ଚାଲିଥିବା ପୋଷ୍ଟର ଅଭିଯାନର ସମୀକ୍ଷା କରାଯିବା ସହିତ ରାଜ୍ୟ ସରକାର ଆଦିବାସୀ ଉପଦେଷ୍ଟା ପରିଷଦ (ଟିଏସି) ଦ୍ଵାରା କେନ୍ଦ୍ର ସରକାରଙ୍କ ନିକଟକୁ ଅନୁସୂଚୀତ ଜନଜାତି ମାନ୍ୟତା ପାଇଁ ସୁପାରିଶ କରିବା, କୁଡୁମି ଦଖଲରେ ଥିବା ସାବିକ୍ ଓ ଜଙ୍ଗଲ ଜମିକୁ ସ୍ଥାୟୀ ପଟ୍ଟା ପ୍ରଦାନ ଏବଂ କୁଡ଼ମାଲି ଭାଷାକୁ ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ତରରେ ଝାଡଝଣ୍ଡ ଓ ପଶ୍ଚିମବଙ୍ଗ ଭଳି ପାଠ୍ୟକ୍ରମରେ ସାମିଲ ଦାବିରେ ଆଦିବାସୀ କୁଡୁମିମାନେ ରାଜପଥରେ ସତ୍ୟାଗ୍ରହ ନିର୍ବାଚନ ପୂର୍ବରୁ କରିବା ନେଇ ଏହି ବୈଠକରେ ସୂଚନା ପ୍ରଦାନ କରିଥିଲେ । କୁଡୁମି ଅଧିକାର ସଙ୍ଘର୍ଷ ସମିତିର ସଂଯୋଜକ ବିଦ୍ୟାଧର ମହାନ୍ତ ଅନୁସୂଚିତଜାତି ଓ ଜନଜାତି ବିଭାଗ ପକ୍ଷରୁ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କୁ ଜଳ, ଜଙ୍ଗଲ ଓ ଜମି ଉପରେ ନିର୍ଭର କରି ଚଳି ଆସୁଥିବା ଆଦିବାସୀ କୁଡୁମିଙ୍କୁ ମଧ୍ୟ ଜଙ୍ଗଲ ଅଧିକାର ଆଇନରେ ଜମି ଯୋଗାଇ ଦେବାକୁ ସୁପାରିଶ କରିଥିବା ।
୨୦୦୬ ମସିହାରେ ଓଡ଼ିଶା ସରକାରଙ୍କ ତରୁଣୀକାନ୍ତି ମିଶ୍ର କମିଟି ଆଦିବାସୀ କୁଡୁମିଙ୍କ ଜମିଜମାର ସୁରକ୍ଷା ପାଇଁ ଭୂମି ଅଧିନିୟମ ରେଗୁଲେସନ ୨, ୧୯୫୬ ଲାଗୁ କରିବା ପାଇଁ ସୁପାରିଶ କରିଥିବା ସତ୍ତ୍ୱେ ରାଜ୍ୟ ସରକାର କୁଡୁମିଙ୍କ କ୍ଷେତ୍ରରେ ଏସବୁକୁ ଲାଗୁ କରିନଥିବା ନେଇ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏ ସବୁ ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଚିଠି ଲେଖିଥିବା ବୈଠକରେ ପ୍ରକାଶ କରିଥିଲେ । ଏହି ବୈଠକରେ ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ ଯୋଗଦେଇ ଆଦିବାସୀ କୁଡୁମିଙ୍କର ଦାବି ପ୍ରତି ସରକାରଙ୍କ ଉଦାସୀନ ମନୋଭାବକୁ ସମାଲୋଚନା କରିବା ସହିତ ଆଗାମୀ ଦିନରେ କୁଡୁମି ସମ୍ପ୍ରଦାୟର ସାମ୍ବିଧାନିକ ଓ ସାମାଜିକ ନ୍ୟାୟ ପାଇଁ ରାଜପଥରେ ଲଢେ଼ଇ ହେବ ବୋଲି ସରକାରଙ୍କୁ ସେ ଚେତାବନି ଦେଇଥିଲେ । ଏହି ବୈଠକରେ ଭକ୍ତବନ୍ଧୁ ମହାନ୍ତ, କ୍ଷେତ୍ରବାସୀ ମହାନ୍ତ, ବୀରବର ମହାନ୍ତ, ଅଶୋକ ମହାନ୍ତ, ସୋନାଲି ମହାନ୍ତ, ଲଳିତ ମୋହନ ମହାନ୍ତ, ଗଣେଶ୍ୱର ମହାନ୍ତ, ଗୋପାଳ ଚନ୍ଦ୍ର ମହାନ୍ତ, ଲକ୍ଷ୍ମଣ ମହାନ୍ତ, କ୍ଷୀର ମହାନ୍ତ, ସନାତନ ମହାନ୍ତ, ନେତ୍ରାନନ୍ଦ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଏହି ସତ୍ୟାଗ୍ରହକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/337b1b92-a841-4e4a-b291-4e245e20e657.jpeg)