ଆଜିଠୁ ସିୟୁଓରେ କୁଇ ଓ ଦେଶିଆ ଭାଷା କର୍ମଶାଳା

କୋରାପୁଟ: କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଅବିଭକ୍ତ କୋରାପୁଟ, କନ୍ଧମାଳ, ଗଜପତି ଜିଲ୍ଲାରେ ମୁଖ୍ୟତଃ କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ , ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ସୋମବାରଠାରୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ଏକ ପାଞ୍ଚଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ(ସିୟୁଓ) ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁଇ’ ବା ‘ଦେଶିଆ’ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କର ମୌଖିକ ଭାଷା ବିକାଶ, ପଠନ ଓ ଲିଖନ ଦକ୍ଷତା ବିକାଶ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଶିକ୍ଷାର୍ଥୀ ତଥା ଶିକ୍ଷକମାନଙ୍କୁ ଯୋଗାଇଦେବା । ଏହି କର୍ମଶାଳାଟି ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକଲାନି ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ମିଳିତ ସହଯୋଗ କ୍ରମେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ । ଏଥିରେ ସଦସ୍ୟ ଡ. ମହେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଗୋପବନ୍ଧୁ ମହାନ୍ତି, ଡ. ପରମାନନ୍ଦ ପଟେଲ, ଡ. ରାଜେନ୍ଦ୍ର ପାଢ଼ୀ, ଡ. କପିଳ ଖେମଣ୍ଡୁ, ଡ. ରୁଦ୍ରାଣୀ ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଡେଇ, ସୁରେଶ ଖରା, ସନା ସାନ୍ତା, ତ୍ରିନାଥ ଖରା, ସୋମନାଥ ଅମାନତ୍ୟ, ଗୀତାଞ୍ଜଳି ପୂଜାରୀ, ନାରାୟଣ ମାଝି, ଗୋବିନ୍ଦ କୁମ୍ଭରିଆ, ସୁରେନ୍ଦ୍ର ତନ୍ତୀ ଏବଂ ଶିବଶଙ୍କର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିବେ ।

ସମ୍ବନ୍ଧିତ ଖବର