ରାଇରଙ୍ଗପୁର: ଓଡିଶା-ଝାଡଖଣ୍ଡ ସୀମାରେ ନିର୍ମାଣ ହେବାକୁ ଥିବା ଇଚ୍ଚା ଡ୍ୟାମ୍ (କୁଜୁ ଡ୍ୟାମ୍) ପାଇଁ ପ୍ରାୟ ୧୨୩ଟି ରାଜସ୍ୱ ଗ୍ରାମ ପାଣିରେ ବୁଡିବାକୁ ଯାଉଛି । ଶିମିଳିପାଳରୁ ବାହାରିଥିବା ଖଡଖାଇ ନଦୀ ପାଣିକୁ ଉପଯୋଗ କରାଯାଇ ସ୍ଥାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ଏହି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ବିଚାରଧୀନ ରହିଛି । ତେବେ ଇଚ୍ଚା ଡ୍ୟାମ୍ ନିର୍ମାଣ ହେଲେ ସ୍ଥାନୀୟ ଅଂଚଳବାସୀଙ୍କୁ ଫାଇଦା ଅପେକ୍ଷା ସୁବର୍ଣ୍ଣରେଖା ନଦୀର ତଳମୁଣ୍ଡରେ ରହୁଥିବା ଝାଡଖଣ୍ଡ,ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟବାସୀ ଅଧିକ ଲାଭବାନ ହେବେ । ଜଳସେଚନ ଉଦେ୍ଦଶ୍ୟରେ ନିର୍ମାଣଧୀନ ସୁବର୍ଣରେଖା ବହୁମୁଖୀ ପ୍ରକଳ୍ପର କାର୍ଯ୍ୟ ଦୀର୍ଘ ୪୫ ବର୍ଷ ଧରି ଜାରି ରହିଛି ।ଏହି ପ୍ରକଳ୍ପରେ ହଜାର ହଜାର କୋଟି ଟଙ୍କା ବିନିଯୋଗ ହୋଇଥିଲେ ମଧ୍ୟ ଚାଷୀଙ୍କ କ୍ଷେତକୁ ପାଣି ପହଂଚି ପାରିନାହିଁ । ଏଭଳି ପରିସ୍ଥିତିରେ ସୀମାନ୍ତବର୍ତୀ ଆଦିବାସୀ ଗ୍ରାମବାସୀଙ୍କ ସାମୂହିକ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ନିର୍ମାଣଧୀନ ଇଚ୍ଚା ଡ୍ୟାମ୍ ପ୍ରକଳ୍ପରୁ ଆଗାମୀ ଦିନରେ କେତେ ଉପକୃତ ହେବେ ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Advertisment

୧୯୮୨-୮୩ ମସିହାରେ ଇଚ୍ଚା ଡ୍ୟାମ୍ ନିର୍ମାଣ (ସୂବର୍ଣରେଖା ବହୁମୁଖୀ ପ୍ରକଳ୍ପ) ସକାଶେ ଅନୁମୋଦନ ମିଳିଥିଲା । ଝାଡଖଣ୍ଡ, ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟର ଚାଷ ଜମିକୁ ଜଳସେଚନ ନିମନ୍ତେ ଉକ୍ତ ପ୍ରକଳ୍ପର ମୂଳ ଲକ୍ଷ୍ୟ ଥିଲା । ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତୀ ଝାଡଖଣ୍ଡର ଚାଇଁବସା ସହର ନିକଟସ୍ଥ ଖଡଖାଇ ନଦୀ ଉପରେ କୁଜୁ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା ।ଏହାଫଳରେ ପ୍ରାୟ ୩.୬ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବାର ଯୋଜନା ଥିଲା । ଏହି ପ୍ରକଳ୍ପ ଦ୍ୱାରା ମୋଟ୍ ୮.୪୯୮ ହେକ୍ଟର ଅଂଚଳ ପ୍ରଭାବିତ ହେବାକୁ ଥିବା ବେଳେ ପାଖାପାଖି ୭୦୦ କୋଟି ଟଙ୍କାର ପୁଞି ବିନିଯୋଗ ହେବାକୁ ଥିଲା । ତେବେ ପ୍ରକଳ୍ପ ଦ୍ୱାରା ୨୮,୦୦୦ ରୁ ୩୦,୦୦୦ ଜନସାଧାରଣ ପ୍ରଭାବିତ ହେବାକୁ ଥିବାରୁ ୧୯୮୨ ମସିହାରେ ଏହି ପ୍ରକଳ୍ପକୁ ନେଇ ବିବାଦ ଉପୁଜିଥିଲା ।

ସୁବର୍ଣ୍ଣରେଖା ପ୍ରକଳ୍ପର ଇଚ୍ଚା ଡ୍ୟାମ୍ ବିସ୍ଥାପିତ ସଂଘ ଓ ସୁର୍ମୀ ଧୁର୍ମୀ ୱେଲଫାୟାର କମିଟି ନିର୍ମାଣ କାର୍ଯ୍ୟକୁ ତୀବ୍ର ବିରୋଧ କରୁଥିଲେ । ପ୍ରଭାବିତ ଅଂଚଳରେ ଜଙ୍ଗଲ,ଚାଷଜମି,ଜନବସତି ବିସ୍ଥାପନ ଆଦି ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଇଚ୍ଚା ଡ୍ୟାମ୍ ପ୍ରକଳ୍ପ କାର୍ଯ୍ୟାକାରୀ ହେଲେ ଓଡିଶା ଓ ଝାଡଖଣ୍ଡର ମୋଟ୍ ୧୨୩ଟି ଗ୍ରାମର ପ୍ରାୟ ୫୦ ହଜାର ପରିବାର ବିସ୍ଥାପିତ ହେବେ ବୋଲି ୧୯୮୧ ମସିହା ସର୍ଭେ ରିପୋର୍ଟରୁ ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ସୀମାନ୍ତବର୍ତୀ ତିରିଂ ଓ ଜାମଦା ବ୍ଲକର ୩୬ଟି ରାଜସ୍ୱ ଗ୍ରାମ ଏହା ଦ୍ୱାରା ପ୍ରଭାବିତ ହେଉଥିବାରୁ ତିରିଂ ବ୍ଲକର ବଡନାରାଣୀ, କୁଲୁଘୁଟୁ, ଲୁପୁଙ୍ଗ, ପଣ୍ଡୁପାଣି ପଂଚାୟତ ଓ ଜାମଦା ବ୍ଲକର ବଡଦୁନ୍ଦୁ ପଂଚାୟତର ପ୍ରଭାବିତ ଗାଁ ଗୁଡିକରେ ଏହି ପ୍ରକଳ୍ପକୁ ତୀବ୍ର ବିରୋଧ କରାଯାଉଛି । ବିସ୍ଥାପିତ ଗ୍ରାମବାସୀଙ୍କୁ ୧୯୯୦ ମସିହାରେ ପ୍ରଥମ ପର୍ଯ୍ୟାୟରେ କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ସେହି ସମୟରେ ସରକାରଙ୍କ ବିସ୍ଥାପନ ନୀତି ଓ କ୍ଷତିପୂରଣ ରାଶିକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ରହିଛି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଡ୍ୟାମ ପ୍ରଭାବିତ ପରିବାର ଗୁଡିକୁ ନୂତନ ବିସ୍ଥାପନ ନୀତି ଅନୁସାରେ କ୍ଷତି ପୂରଣ କେତେ ମିଳିବ ଏବଂ ନିର୍ମାଣ ସମ୍ପୂର୍ଣ ହେଲେ କେତେ ଚାଷୀ ଉପକୃତ ହେବେ ?