କୁମାରୀ ବିବାହ ଧୂମଧାମରେ ପାଳିତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ସିଙ୍ଗିରିଶାସନ ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ କୁମାରୀ ବିବାହ ପାରଂପରିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି। ଏନେଇ ଆଜି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାମ ଉତ୍ସବ ମୁଖର ହୋଇପଡ଼ିଥିଲା। ଗାଁ ଦାଣ୍ଡରେ ଟେଣ୍ଟ ବନ୍ଧାଯାଇଥିଲା। ମାଇକ ବଜାଯିବା ସହ ବାଜା ବଜାଇ ରୋଶଣୀ କରାଯାଇଥିଲା। ରଙ୍ଗବେରଙ୍ଗର ଫୁଲ ଏବଂ ଆଲୋକମାଳାରେ ବିବାହ ବେଦୀକୁ ସଜ୍ଜା ଯାଇଥିଲା। ପୁରୋହିତର ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଶଙ୍ଖ ଓ ହୁଳହୁଳି ପକାଇ ବିବାହ କାର୍ଯ୍ୟ ସଂପାଦନ କରାଯାଇଥିଲା। ଆଉ ବର କନ୍ୟା ସାଜାଇ ଗ୍ରାମର ଦୁଇ କୁନି କୁନି ଝିଅଙ୍କ ମଧ୍ୟରେ ବିବାହ କରାଯାଇଥିଲା।

ପିଲାଙ୍କ ଠାରୁ ଆରମ୍ଭ କରି ଯୁବତୀ ଏବଂ ମହିଳାମାନେ ଏକତ୍ରିତ ହୋଇ ପ୍ରକୃତ ବିବାହ ଭଳି ସମସ୍ତ କାର୍ଯ୍ୟ ସଂପାଦନ କରିଥିଲେ। ଗ୍ରାମରେ ଅତିଥି ଏବଂ ବରଯାତ୍ରୀଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା। ସୂଚନା ମୁତାବକ କନ୍ୟା ସାଜିଥିଲେ ଜ୍ୟୋତ୍ସ୍ନା ନାୟକ ଏବଂ ବର ହୋଇଥିଲେ ସ୍ନେହମୟୀ ପରିଡ଼ା। କନ୍ୟାପିତା ଭୂମିକାରେ ଟିକିନା ପ୍ରଧାନ ଓ ବରପିତା ହୋଇଥିଲେ ପୂଜା ନାୟକ। ସେହିପରି ପୂରୋହିତ ହୋଇଥିଲେ ମାନିନୀ ଦାଶ।

ଆଜି ଅପରାହ୍ନରେ ଗ୍ରାମ କ୍ଷେତ୍ରପାଳୀଙ୍କ ନିକଟରେ ଦିଅଁ ମଙ୍ଗୁଳା କାର୍ଯ୍ୟ କରାଯିବା ସହ କନ୍ୟା ଜ୍ୟୋତ୍ସ୍ନାକୁ ବାଡ଼ୁହପାଣିରେ ଗାଧୋଇଥିଲେ। ବର ସ୍ନେହମୟୀ କାରରେ ବସି ରୋଶଣୀ କରି ସାଥୀ ଝିଅ ଓ ମହିଳାଙ୍କ ମେଳରେ ଏକ ଶୋଭାଯାତ୍ରାରେ ଯାଇ କନ୍ୟା ଜ୍ୟୋତ୍ସ୍ନାଙ୍କ ଘର ଆଡ଼କୁ ଯାଇଥିଲେ। ସେଠାରେ ବରପିତା ପୂଜା ବାଟବରଣି କରିଥିଲେ। ଏହାପରେ ବେଦୀରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବେଦୀ ଉପରେ ପୁରୋହିତର ମନ୍ତ୍ର ଉଚ୍ଚାରଣ ତାଳେ ତାଳେ ବିବାହ କାର୍ଯ୍ୟ କରାଯିବା ସହ ହାତଗଣ୍ଠି ପକାଯାଇଥିଲା। ବିବାହ ବେଦୀରେ ଉପସ୍ଥିତ ମହିଳା ଓ କୁମାରୀମାନେ ବରକନ୍ୟାଙ୍କୁ ବନ୍ଦାପନା କରିଥିଲେ। ବିଧି ଅନୁଯାୟୀ ଶାଳୀ ହାତଗଣ୍ଠି ଫିଟାଇବା ପରେ ବିବାହ କାର୍ଯ୍ୟ ଶେଷ ହୋଇଥିଲା। ଗ୍ରାମର ସବୁ କୁମାରୀ ଓ ମହିଳାମାନେ ପଂକ୍ତିଭୋଜନ କରିଥିଲେ। ସେହିପରି ସ୍ଥାନୀୟ ଯଶୁଆପୁର ଗ୍ରାମରେ ମଧ୍ୟ କୁମାରୀ ବିବାହ ଅନୁରୂପ ଢ଼ଙ୍ଗରେ ପାଳିତ ହୋଇଯାଇଛି।

ସମ୍ବନ୍ଧିତ ଖବର