କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା: ପୁଲିସ ଉପଯୁକ୍ତ ତଦନ୍ତ ନ କରି ଫାଇନାଲ୍ ଫର୍ମ ଦାଖଲ କରିଥିବା ପରିବାରବର୍ଗର ଅଭିଯୋଗ

ଆଇନସେବା ପ୍ରାଧିକରଣ ସହାୟତାରେ ମାମଲା ଲଢ଼ିବାକୁ ଆବେଦନ

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା: ପୁଲିସ ଉପଯୁକ୍ତ ତଦନ୍ତ ନ କରି ଫାଇନାଲ୍ ଫର୍ମ ଦାଖଲ କରିଥିବା ପରିବାରବର୍ଗର ଅଭିଯୋଗ

ଜୟପୁର: ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଗତ କାଲି ଶୁଣାଣି ରହିଥିଲା। ତାଙ୍କ ମା, ଖୁଡି ଓ ବଡ଼ ଭାଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ କୁମାର ନାୟରଙ୍କ କୋର୍ଟରେ ଉପସ୍ଥିତ ହୋଇଥିଲେ। କୋରାପୁଟଜିଲ୍ଲା ପୁଲିସ ପକ୍ଷରୁ ମାମଲାର ତଦନ୍ତ କରି ଫାଇନାଲ ଫର୍ମ ଦାଖଲ କରାଯାଇଛି। ଏଥିରେ ନୋ କ୍ଲୁ  ଓ ‘ମିଷ୍ଟେକ୍ ଅଫ୍ ଫ୍ୟାକ୍ଟସ୍’ ବୋଲି ଉଲ୍ଲେଖ କରିବା ସହ ମାମଲାକୁ ଖାରଜ କରିବାକୁ ମାନ୍ୟବର କୋର୍ଟକୁ ଅନୁରୋଧ କରାଯାଇଥିଲା।

ଏହି ମାମଲାରେ ଅଭିଯୋଗକାରୀ ଥିବା ପରିବାରବର୍ଗ ପୂର୍ବକୁ ଆଉ ଲଢ଼ିବେ ନା ପୁଲିସର ଫାଇନାଲ ଫର୍ମରେ ଦିଆଯାଇଥିବା ସୂଚନା ଠିକ ବୋଲି ମାନ୍ୟବର କୋର୍ଟ ପରିବାରବର୍ଗକୁ ପଚାରିଥିଲେ। ପରିବାରବର୍ଗ ପୁଲିସ ଠିକରେ ତଦନ୍ତ ନ କରି ମାମଲାକୁ ଖାରଜ୍ କରିବା ପାଇଁ ଆବେଦନ କରିଥିବା ଅଭିଯୋଗ କରିଥିଲେ। ଆଗାମୀ ଦିନରେ ସେମାନେ ବେସରକାରୀ ଓକିଲ ଦେଇ ମାମଲା ଲଢ଼ିବେ ବୋଲି ଜଣାଇଥିଲେ।

ଏହା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀ ସହଯୋଗ ଦେବାକୁ ପ୍ରାଧିକରଣର ଫ୍ରଣ୍ଟ ଅଫିସର ରିଟେନରଙ୍କ ନିକଟରେ ଆବେଦନପତ୍ର ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ତାରିଖ ଦିନ ହେବ ବୋଲି ସୂଚନା ମିଳିଛି।

ଆଇନସେବା ପ୍ରାଧିକରଣର ଫ୍ରଣ୍ଟ ଅଫିସ ରିଟେନରର ଦିବାକର ରାଓଙ୍କୁ ଭେଟି ଏହି ପରିବାରବର୍ଗ ଆବେଦନପତ୍ର ଦେଇଥିଲେ। ସେ ଏହାକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି। ଆଗାମୀ ଦିନରେ ଲିଗାଲ୍ ଏଡ୍ କାଉନସିଲ ବସିବା ପରେ ଏହି ମାମଲା ପାଇଁ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ପ୍ରାଧିକରଣ ପକ୍ଷରୁ ନିଯୁକ୍ତି ଦିଆଯିବ। ତା’ ପରେ ପରିବାରବର୍ଗଙ୍କ ପକ୍ଷରୁ ପ୍ରାଧିକରଣ ଦ୍ବାରା ନିଯୁକ୍ତ ଆଇନଜୀବୀ ମାମଲାରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବେ। ଏହା ପରେ କୋର୍ଟ ପକ୍ଷରୁ ୱାନସିସି ମାମଲା ରୁଜୁ କରାଯିବ ଏବଂ ପରିବାରବର୍ଗ ନିଜ ଆଡ଼ରୁ ସାକ୍ଷ୍ୟ ଦେବେ ବୋଲି କହିଛନ୍ତି ରିଟେନର ଦିବାକର ରାଓ।

ପ୍ରକାଶଯୋଗ୍ୟ, ଏହି ମାମଲାରେ ଏସଆଇଟି ପକ୍ଷରୁ ହୋଇଥିବା ତଦନ୍ତର ରିପୋର୍ଟ ଏବଂ ପ୍ରମାଣ ଆଦି ବି କୋର୍ଟରେ ଦାଖଲ ହୋଇଛି। ଏହା ସହ ରାଜ୍ୟ ସରକାର ଏହି ମାମଲା ପାଇଁ ଗଠନ କରିଥିବା କମିଶନ ବି.କେ ମିଶ୍ରଙ୍କ ରିପୋର୍ଟ ବି ମାନ୍ୟବର କୋର୍ଟରେ ଦାଖଲ  ହୋଇ ସାରିଛି। ଏଥିରେ ୧୫ଜଣ ସରକାରୀ କର୍ମଚାରୀ ଓ ପୀଡିତାଙ୍କ ପରିବାର  ଏଭଳି ୧୯ଜଣ ସାକ୍ଷୀଙ୍କ ଠାରୁ ଗ୍ରହଣ କରାଯାଇଥିବା ଦସ୍ତାବିଜ , ସତ୍ୟପାଠ ଆଦି ବି ଦାଖଲ କରାଯାଇଥିଲା।

ଦାଖଲ ବେଳେ ଏହାକୁ କମିଶନ ବି.କେ. ମିଶ୍ରଙ୍କ ସମେତ କମିସନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳ ଓ ସରକାରୀ ଓକିଲ ର୍ସ୍ବଗତ ପ୍ରଭାକର ପଟ୍ଟନାୟକ ଉପସ୍ଥିତ ରହି ତନଖି କରିଥିଲେ। କମିଶନ ଏହି ମାମଲାରେ ମୁଖ୍ୟତଃ ୪ଟି ଦିଗ ଉପରେ ତଦନ୍ତ କରିଥିଲେ। କେଉଁ ପରିସ୍ଥିତିରେ ଅପରାଧ ଘଟିଲା ତାହାର ଘଟଣାକ୍ରମ, ଏହି ଅପରାଧ ପାଇଁ କିଏ କିଏ ଦାୟୀ, କେଉଁ ପରିସ୍ଥିତିରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କଲେ ଏବଂ ମାମଲା ସହ ଜଡିତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା କମିଶନ ତଦନ୍ତ ସାପେକ୍ଷ ବୋଲି ମନେ କରିଥିଲେ ତାହାକୁ ତଦନ୍ତ ପରିସରଭୁକ୍ତ କରିଥିଲେ। ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ବି କମିଶନ ଦାଖଲ କରିସାରିଛି।

ମାମଲାରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆର୍ଥିକ କ୍ଷତିପୁରଣ ଏବେ ପର୍ଯ୍ୟନ୍ତ ପରିବାରବର୍ଗ ପାଇ ନଥିବା ସୂଚନା ମିଳିଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ନାବାଳିକାକୁ ଦୁଷ୍କର୍ମ ହେଲା, କାଖି ପୋଷାକ ପିନ୍ଧି ଦୁଷ୍କର୍ମ କରିଥିବା ୪ଜଣ କିଏ? ଯବାନ ନା ଆଉ କିଏ  ଏବେ ପର୍ଯ୍ୟନ୍ତ ଏହା ଲୋକଲୋଚନକୁ ଆସି ପାରିନି। ଅନ୍ୟ ପକ୍ଷରେ ଆଇନର ପଶାପାଲି ମଧ୍ୟରେ ଏହି ମାମଲା ସେଭଳି ଲଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe