କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷାଙ୍କ ପରଲୋକ

ବାଲେଶ୍ବର: କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଜଣେ ମହିୟସୀ ମହିଳା ସମଲେଶ୍ବରୀ ବର୍ଦ୍ଧନଙ୍କର ଗତ ୩ ତାରିଖ ରାତି ୧୧ଟା ୨୦ ସମୟରେ ବାଲେଶ୍ବର ସହରର ବାରବାଟୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।୧୯୫୬ରେ ଫକିରମୋହନ ମହାବିଦ୍ୟାଳୟରୁ ବିଏ ଓ ପରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିବାପରେ କଟକର ରେଭେନ୍ସା କଲେଜ, ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ବାଲେଶ୍ବରର କୁନ୍ତଳାକୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ଓ ପରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ ।

କମ୍ ବୟସରେ ତାଙ୍କର ମାତୃ ବିୟୋଗ ହୋଇଯିବା ଯୋଗୁଁ ସମସ୍ତ ଭଉଣୀମାନଙ୍କର ଦାୟିତ୍ବ ନିଜ କାନ୍ଧ ଉପରକୁ ନେଇ ସେ ନିଜେ ନିଜର ସଂସାର ଗଢ଼ି ନଥିଲେ । ସମସ୍ତ ଭାଇଭଉଣୀଙ୍କୁ ମଣିଷ କରି ସେମାନଙ୍କୁ ସେ ବହୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ କରାଇ ପାରିଥିଲେ । ସେମାନଙ୍କ ମଧ୍ୟରେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁକୋମଲ ବର୍ଦ୍ଧନ, ଜାତିସଂଘର ୟୁଏନଡିପିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପରିମଲ୍ ବର୍ଦ୍ଧନ,କୋଲକାତାରେ ଡାକ୍ତର ଭାବେ କାର୍ଯ୍ୟକରି ପରଲୋକ ଗମନ କରିଥିବା ଧୂଲିକନା ବର୍ଦ୍ଧନ, ଆମେରିକାରେ ଅବସ୍ଥାପିତ ଡାକ୍ତର ତୃପ୍ତି ବର୍ଦ୍ଧନ, ଆମେରିକାରେ ଅଧ୍ୟାପନା ପରେ ପରଲୋକଗତା ସ୍ମୃତି ବର୍ଦ୍ଧନ, ଅବସରପ୍ରାପ୍ତ ଲାଇବ୍ରେରିଆନ୍ ଷଷ୍ଠୀ ବର୍ଦ୍ଧନ ପ୍ରମୁଖ ଭାଇଭଉଣୀଙ୍କୁ ସେ ବହୁ ଶ୍ରମସ୍ବୀକାର କରି ମଣିଷ ପରି ମଣିଷ ଗଢ଼ି ଥିଲେ ।

ଜଣେ ପ୍ରଜ୍ଞାଶୀଳା ପରୋପକାରୀ ମହିୟସୀ ମହିଳା ଭାବରେ ସେ ଥିଲେ ବେଶ ପରିଚିତ । ବାଲେଶ୍ବରର ବହୁ ସାରସ୍ବତ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ସହିତ ସେ ଜଡିତ ଥିଲେ ଏବଂ ବହୁ ଅନୁଷ୍ଠାନ ଦ୍ବାରା ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ । ବିଶିଷ୍ଟ କବି ବ୍ରଜନାଥ ରଥ ଏବଂ ପୂର୍ବତନ ସ୍କୁଲ ଡିଆଇ ସୁଦର୍ଶନ ନାୟକ ପ୍ରମୁଖ ଥିଲେ ତାଙ୍କର ସହାଧ୍ୟାୟୀ ଏବଂ ବାଲେଶ୍ବର ରାଜନୀତିର ଭୀଷ୍ମ ପିତାମହ ଅରୁଣ ଦେ ଥିଲେ ତାଙ୍କର ଅନ୍ୟତମ ଛାତ୍ର ।

ସ୍ବର୍ଗତ ନିର୍ମଳ ଚନ୍ଦ୍ର ବର୍ଦ୍ଧନ ଓ ସୁପ୍ରଭା ବର୍ଦ୍ଧନଙ୍କର ପ୍ରଥମା କନ୍ୟା ସମଲେଶ୍ବରୀ ୧୯୩୬ ମସିହା ଏପ୍ରିଲ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।
ତାଙ୍କର ଶେଷ ଦର୍ଶନ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସାହିତ୍ୟିକ ଡକ୍ଟର ଭରତ ପାତ୍ର, ଡକ୍ଟର ଶାନ୍ତ୍ବନା ହାଲଦାର,ଅଭୟ ଦାସ, ପୂର୍ଯୁବତନ କାଉନସିଲର ସୁଜିତ ଦେବ, ଯୁଗଶ୍ରୀ ଯୁଗନାରୀର ସଂପାଦିକା ମମତା ମହାପାତ୍ର, ଆଡଭୋକେଟ୍ ଜୟନ୍ତ ସାହୁ, ଚଞ୍ଚଲ ବର୍ଦ୍ଧନ, ସାମ୍ବାଦିକ ବିପ୍ଳବ ମହାନ୍ତି, ବ୍ରହ୍ମନାଥ ରଥ , ଅର୍ଦ୍ଧେନ୍ଦୁ ମିଶ୍ର, ରବି ପାଣିଗ୍ରାହୀ ,ଡାକ୍ତର ସମର ସାମନ୍ତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି । ସମଲେଶ୍ବରୀଙ୍କ ବିୟୋଗରେ ତାଙ୍କର ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ ଶୋକାଭିଭୂତ ହୋଇପଡ଼ିଛନ୍ତି ।

ସମ୍ବନ୍ଧିତ ଖବର