ନାରାୟଣପାଟଣା/ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଜାଗୁଗୁଡ଼ା ପଞ୍ଚାୟତର କୁନ୍ତେସୁ ଗ୍ରାମ ନିକଟରେ ଥିବା ପାହାଡ଼ରୁ ଖଣିଜ ପଦାର୍ଥ ଉତ୍ତୋଳନ କରିବାକୁ  ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଜନଶୁଣାଣିରେ ପାହାଡ଼ରୁ ମୂଲ୍ୟବାନ ମାର୍ବଲ୍ ପଥର ଖନନ କରିବା ପାଇଁ ଉପସ୍ଥିତ ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ସମର୍ଥନ ଜଣାଇଥିଲା ବେଳେ ଆଉ କିଛି ଗୋଷ୍ଠୀ ଏହାକୁ ତୀବ୍ର ବିରୋଧ କରିଥିଲେ।

Advertisment

ସୂଚନା ଥାଉକି, କୁନ୍ତେସୁ ଗ୍ରାମ ନିକଟସ୍ଥ ପାହାଡ଼ରେ ମୂଲ୍ୟବାନ ପଥର ରହିଥିବା ଅନୁସନ୍ଧାନ ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ସର୍ଭେ କରାଯାଇଥିଲା। ତେବେ ଏଠାରେ ମାର୍ବଲ୍ ପଥର ରହିଥିବା ଜଣାପଡ଼ିବା ପରେ ଏହାର ଉତ୍ତୋଳନ ନିମନ୍ତେ ଡେକୋରେଟିଭ୍ ଷ୍ଟୋନ୍ ମାଇନ୍ସ ନାମକ କମ୍ପାନିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିଲା। ଏଥିପାଇଁ ଆଜି କୁନ୍ତେସୁ ଗ୍ରାମରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୋରାପୁଟ ପ୍ରଶାନ୍ତ କରଙ୍କ ଓ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ଉପସ୍ଥିତ ଥିଲେ।

ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜନଶୁଣାଣି ଶିବିରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥିରେ କୁନ୍ତେସୁ, ଜାଗୁଗୁଡ଼ା ଗ୍ରାମବାସୀ ସମେତ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, କୋରାପୁଟ ଉପଜିଲ୍ଲାପାଳ ଲଳିତ କହଁର, ଲକ୍ଷ୍ମୀପୁର ଏସଡିପିଓ, ବନ୍ଧୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର, ବିଡିଓ ଆକାଶ ପଟ୍ଟନାୟକ, ନାରାୟଣପାଟଣା ତହସିଲଦାର ଏନ୍.ଜଗଜୀବନ ଚୌଧୁରୀ, ବନ୍ଧୁଗାଁ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରଥମେ ଡେକୋରେଟିଭ୍ ପଥର ଖଣିର ଅଜିତ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରକଳ୍ପର ସମସ୍ତ ପ୍ରକାର କାର୍ଯ୍ୟ ସଂପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା। ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଉପସ୍ଥିତ ଜନସାଧାରଣଙ୍କୁ ପରିବେଶ ସମ୍ବନ୍ଧୀୟ ନିଜ ନିଜର ସୁଚିନ୍ତିତ ମତାମତ ଦେବା ପାଇଁ ଅନୁରୋଧ କରିଥିଲେ।

ତେବେ ଖଣି ଖନନ ପାଇଁ ପ୍ରାୟ ୯୦ ପ୍ରତିଶତ ଲୋକ ସମର୍ଥନ ଜଣାଇଥିଲା ବେଳେ କିଛି ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। କିନ୍ତୁ ସମର୍ଥନକାରୀ ଏହି ପାହାଡ଼ରୁ ଖଣି ଖନନ ପାଇଁ ଆନ୍ଧ୍ରର କମ୍ପାନି ହାତକୁ ଟେକି ନଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାର ଖନନ କରାଯାଉ ବୋଲି ଦାବି କରାଯାଇଥିଲା। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ସ୍ଥାନୀୟ ବେକାରୀ ଯୁବକଙ୍କୁ ଚାକିରି, ସ୍ୱାସ୍ଥ୍ୟ, ଶିକ୍ଷା, ଯାତାୟାତ ସୁବିଧା, ପରିବେଶ ସୁରକ୍ଷା ହୋଇପାରିବ ବୋଲି କୁହାଯାଇଥିବା। ତେବେ ଏଥିପାଇଁ ବ୍ଲକର ୧୩ଟି ପଞ୍ଚାୟତରୁ କିଛି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନେଇ କମିଟି କରି କାମ କରିବା ପାଇଁ ଅନୁରୋଧ କରାଯାଇଥିଲା।