ଯାଜପୁରସଦର: ଆସନ୍ତା ୧୨ ତାରିଖରୁ ଖୋଲିବାକୁ ଯାଉଛି କୁସୁମା। ଦୀର୍ଘ ୧୦ ମାସ ହେବ କେରୋନା କଟକଣା ପାଇଁ ବନ୍ଦ ରହିବା ପରେ ପୁଣି ଥରେ କୋଳାହଳମୟ ହେବ ଯାଜପୁର ସହରର ଏହି ବହୁଚର୍ଚ୍ଚିତ ଉଦ୍ୟାନ ତଥା ପୋଖରୀ। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ଆସନ୍ତା ୧୨ ତାରିଖ ମଙ୍ଗଳବାରଠାରୁ ଖୋଲିବ ଏବଂ ପ୍ରତି ସୋମବାର ବନ୍ଦ ରହିବ। ସପ୍ତାହର ୬ ଦିନ ସକାଳ ୮ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। ପ୍ରବେଶ ଦେୟ ୩୦ ଟଙ୍କା ରହିଥିବା ବେଳେ କୁସୁମାରେ ନୌବିହାର ପାଇଁ ଜଣପ୍ରତି ଟିକଟ ଦର ୫୦ ଟଙ୍କା ରହିଛି।
କୁସୁମା ପରିସରରେ ବିଭିନ୍ନ ପ୍ରଜାତିର ଭଳିକି ଭଳି ଫୁଲଗଛ ଲାଗିଛି। ଏହାର ପରିବେଶକୁ ନୀବକରଣ କରାଯାଇଛି। ଏହା ଭିତରେ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ରହିଛି। କୁନି ପିଲାଙ୍କ ପାଇଁ ପାର୍କରେ ଖେଳାବୁଲାର ବ୍ୟବସ୍ଥା ରହିଛି। ସାବାଳକଙ୍କ ନିମନ୍ତେ ନୌବିହାର କରିବାର ସୁବିଧା ରହିଛି। ସନ୍ଧ୍ୟା ପରେ ପରିବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରଙ୍ଗିନ ଆଲୋକ ସଂଯୋଗ ହୋଇଛି। କୁସୁମା ଖୋଲିବାକୁ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନରଠାରୁ ସବୁଜ ସଙ୍କେତ ମିଳିଥିବା ପୌରପାଳିକାର ଓଏସଡି ସୁଦର୍ଶନ ମିଶ୍ର କହିଛନ୍ତି।
ଯାଜପୁର ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ କୁସୁମା ପୋଖରୀର ପୁନରୁଦ୍ଧାର କରାଯାଇ ଏହାକୁ ଆକର୍ଷଣୀୟ ରୂପ ଦିଆଯାଇଛି। ଏକ ପରିତ୍ୟକ୍ତ ଜଳାଶୟକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାରେ ଏହା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି। ଏହାର ପରିବେଶ, ସୌନ୍ଦର୍ଯ୍ୟ ଓ ଚିତ୍ତବିନୋଦନ ବ୍ୟବସ୍ଥା ସମସ୍ତଙ୍କୁ ବାନ୍ଧି ରଖୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/66bfc779-b98a-4d8e-ae83-876d341be02a.jpg)