ଗରଦପୁର: ପତ୍ନୀଙ୍କୁ ହତ୍ୟା କରି କଟକରୁ ଧରା ପଡ଼ିଥିବା ତପନ ରାଉତ ଆଜି ପୁଲିସ ଆଗରେ ଡେମୋ ଦେଖାଇଛି। ପତ୍ନୀଙ୍କୁ କେମିତି ମାରିଲା ଗୋଟିଗୋଟି କରି ଓଗାଳିଛି। ତାକୁ ଆଜି ପୁଲିସ କୋର୍ଟଚାଲାଣ କରିଛି। ସୂଚନା ଥାଉକି, ପଶ୍ଚିମବଙ୍ଗରୁ ସାଥୀରେ ଆଣିଥିବା ଜଣେ ସହଯୋଗୀ ସହିତ ମିଶି ପତ୍ନୀ କଳ୍ପନାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲା ପାଟକୁରା ଥାନା କୁସୁନୁପୁରା ଗ୍ରାମର ତପନ। ସବୁ ପ୍ରମାଣ ଲିଭାଇ ଦେବା ଚେଷ୍ଟା କରି ରାତାରାତି ଫେରାର ହୋଇ ଯାଇଥିଲା। କେନ୍ଦ୍ରାପଡ଼ା ଏସ୍ପି ଏସଏମ ସମ୍ପଦ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲେ। ତପନ ଓ ତା’ର ସହଯୋଗୀ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବର ଟ୍ରାକିଂ କରିଥିଲା ପୁଲିସ। ତାକୁ ତା’ର ଭାଇ ପ୍ରସନ୍ନଙ୍କ କଟକ ମଙ୍ଗଳାବାଗସ୍ଥିତ ଭଡ଼ା ଘରୁ ଗିରଫ କରିଥିଲା। ତପନକୁ ପାଟକୁରା ଥାନାକୁ ଆଣି ପଚରାଉଚୁରା କରିଥିଲା। ସତ ଉଗାଳିବା ପରେ ଆଜି ଆଇଆଇସି ସରୋଜ ସାହୁ ତପନକୁ କୁସୁନୁପୁରାସ୍ଥିତ ଘଟଣାସ୍ଥଳକୁ ଡ଼େମୋ ଦେଖାଇବାକୁ ନେଇଥିଲେ। କଳ୍ପନା ମରି ପଡ଼ିଥିବା ଖଟତଳୁ ରକ୍ତ ଭିଜା ଲୁଙ୍ଗି ବାହାର କରିଥିଲା। କଳ୍ପନାଙ୍କ ହାର, ଓ ଭଙ୍ଗା ଚୁଡ଼ିକୁ କଦଳୀ ବଣରୁ ଆଣି ପୁଲିସକୁ ଦେଇଥିଲା। ପରେ ପାଟକୁରା ମେଡ଼ିକାଲରେ ତା’ର କୋଭିଡ୍ ପରୀକ୍ଷା କରାଯିବା ସହ କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟଚାଲାଣ କରାଯାଇଥିଲା। ତା’ର ସହଯୋଗୀ ପଶ୍ଚିମବଙ୍ଗର ମାନିଆ ଫେରାର ହୋଇଯାଇଛି।
ପଶ୍ଚିମବଙ୍ଗରୁ ମାନିଆକୁ ଧରି ଆସିଥିଲା
ଗଲା ୨୧ ତାରିଖ ରାତିରେ ତପନ ସହଯୋଗୀ ମାନିଆକୁ ପଶ୍ଚିମବଙ୍ଗରୁ ସାଙ୍ଗରେ ଆଣି ବସ୍ରେ ଭୁତମୁଣ୍ତାଇରେ ପହଞ୍ଚିଥିଲା। ସେଠାରୁ ଜାତୀୟ ରାଜପଥର ବଉଦ ଛକ ନିକଟସ୍ଥ ସିରିଙ୍ଗିପୁରସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ରହିଥିଲା। ୨୨ ତାରିଖ ଅପରାହ୍ନ ୪ଟାରେ ସେଠାରୁ ଏକ ବାଇକ୍ ଆଣି ମାନିଆ ସହିତ ପଳସୁଧା ପଂଚାୟତ କହଣା ଗ୍ରାମ ଶ୍ମଶାନ ନିକଟରେ ଥିବା ଏକ କଲଭର୍ଟ ପାଖରେ ପହଞ୍ଚିଥିଲା। ସେଇଠି ବାଇକ୍ ରଖି ସନ୍ଧ୍ୟା ୬ଟାରେ ତପନ ଓ ମାନିଆ ବିଲ ଭିତରେ ଚାଲି ଚାଲି ଯାଇ କୁସୁନୁପୁରାସ୍ଥିତ ଘରେ ପହଞ୍ଚିଥିଲେ।
୬ ମାସ ତଳୁ ମାରିବାକୁ ଯୋଜନା ପାଞ୍ଚିଥିଲା
ଦୀର୍ଘ ବର୍ଷ ଧରି ପତ୍ନୀଙ୍କ ସହ ଅପଡ଼ ଥିବା ବେଳେ ତାଙ୍କୁ ହତ୍ୟା କରିବାକୁ ସେ କିନ୍ତୁ ୬ ମାସ ହେଲା ଯୋଜନା ପାଞ୍ଚିଥିଲା। ଖାସ୍ ସେଇଥିପାଇଁ କିଛି ମାସ ହେଲା ତାଙ୍କ ସହ ଟେଲିଫୋନରେ ଯୋଗାଯୋଗରେ ରହିଥିଲେ। ଘରେ ପହଞ୍ଚି ପତ୍ନୀ କଳ୍ପନାଙ୍କୁ ଚା’ ପିଇବାକୁ ମାଗିଥିଲା। କଳ୍ପନା ପାଖ ଦୋକାନରୁ ଅମୂଲ ଆଣି ଚା’ କରି ଦେଇଥିଲେ। ଉଭୟ ଚା’ ପିଇ ସାରି ବସିଥିଲେ। ୨୮ ତାରିଖରେ ଘରକୁ ଆସିବା କଥା ଫୋନ୍ କରି କହିଥିବା ବେଳେ ଆଗରୁ କାହିଁକି ଆସିଲ ବୋଲି କଳ୍ପନା ପଚାରିଥିଲେ।
ବାପାଙ୍କ ଶ୍ରାଦ୍ଧ ପାଇଁ ଆଗୁଆ ଚାଲି ଆସିଛି ବୋଲି ତପନ କହିଥିଲା। ରାତିରେ ରହିବା କଥା ମଧ୍ୟ କହିଥିଲା। ସେଥିପାଇଁ କଳ୍ପନା ପଡ଼ୋଶୀ ଘରୁ ଲୁଙ୍ଗି ଆଣି ତପନକୁ ପିନ୍ଧିବାକୁ ଦେଇଥିଲେ। ପରେ ତପନ, କଳ୍ପନା ଓ ମାନିଆ ମିଶି ଟିଭି ଦେଖିଥିଲେ। କଳ୍ପନାଙ୍କ ନଜର ଟିଭିରେ ଥିବା ବେଳେ ତପନ ଉକ୍ତ ଲୁଙ୍ଗି ସାହାଯ୍ୟରେ ତାଙ୍କ ପାଟି, ମୁହଁ ଓ ନାକ ବନ୍ଦ କରି ଦେଇଥିଲା। ମାନିଆ କଳ୍ପନାଙ୍କ ଦୁଇ ହାତ ଓ ଗୋଡ଼ ମାଡ଼ି ବସିଥିଲା। ଶ୍ବାସରୁଦ୍ଧ ହୋଇ କଳ୍ପନା ସେଠାରେ ପ୍ରାଣ ହରାଇଥିଲେ ବୋଲି ତପନ ପୁଲିସ ଆଗରେ କହିଥିଲା।