ମାହାଙ୍ଗା: ସାହିତ୍ୟ ଓ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟିରେ ବହୁ ବରପୁତ୍ର ଜନ୍ମଗ୍ରହଣ କରି ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି। ସେମାନଙ୍କ ସ୍ମୃତିରକ୍ଷା ପାଇଁ ବିଗତ ଦିନରେ ବିଭିନ୍ନ ଅନୁଷ୍ଠାନ ଓ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି। କୁସୁପୁରରେ ମଧ୍ୟ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ସ୍ମୃତିରକ୍ଷା ପାଇଁ ୪୮ବର୍ଷ ତଳେ ଉଦ୍ୟମ କରାଯାଇଥିଲା। ହେଲେ, ‘ପଲ୍ଲୀକବି ସ୍ମୃତି ଭବନ’ ନାମରେ ଉକ୍ତ ଭବନ କାର୍ଯ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିଲା। ସ୍ମୃତି ଭବନ ଚତୁଃପାର୍ଶ୍ବ ଜଙ୍ଗଲିଆ ଗଛଲତାରେ ପରିପୂର୍ଣ୍ଣ ହୋଇଯାଇଥିଲା। ଏ ସମ୍ପର୍କରେ ‘ସମ୍ବାଦ’ରେ ଏକାଧିକ ଖବର ପ୍ରକାଶ ପାଇଥିଲା। ସେହିପରି ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀମାନେ ସ୍ମୃତି ଭବନ ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଥିଲେ। ଏହାପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ ଅର୍ଦ୍ଧନିର୍ମିତ ‘ପଲ୍ଲୀକବି ସ୍ମୃତି ଭବନ’ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି। ଆସନ୍ତା ୨୩ ତାରିଖରେ ଏହାର ଉଦ୍ଘାଟନ କରାଯିବ ବୋଲି ସୂଚନା ମିଳିଛି। ୧୯୬୨ ମସିହାରେ କୁସୁପୁର ଗ୍ରାମର କେତେକ ଉତ୍ସାହୀ ଯୁବକ ‘ପଲ୍ଲୀକବି ସ୍ମୃତି ସଂସଦ’ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ସଂସଦର କର୍ମକର୍ତ୍ତାମାନେ ପଲ୍ଲୀକବି ସ୍ମୃତି ଭବନ ନିର୍ମାଣର ପରିକଳ୍ପନା କରିଥିଲେ। ଏଥିପାଇଁ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ବଡ଼ପୁଅ କୃଷ୍ଣକିଶୋର ବଳ ୩୯ ଡେସିମିଲ୍ ଜମି ପ୍ରଦାନ କରିଥିଲେ। ୧୯୭୨ ନଭେମ୍ବର ୭ ତାରିଖରେ ତତ୍କାଳୀନ କୃଷି, ସମବାୟ ଓ ଶିଳ୍ପ ବିଭାଗ ମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟ ଓ ‘ସମାଜ’ର ପ୍ରାକ୍ତନ ସମ୍ପାଦକ ରାଧାନାଥ ରଥ ନନ୍ଦକିଶୋର ବଳଙ୍କ ଜନ୍ମଭୂମି କୁସୁପୁରରେ ଭବନର ଶିଳାନ୍ୟାସ କରିଥିଲେ।
ଏହି ଭବନ ନିର୍ମାଣ ପାଇଁ ସେତେବେଳେ କେନ୍ଦ୍ର ସରକାର ୧ଲକ୍ଷ ୩୧ ହଜାର ୨୫୦ ଟଙ୍କା ଓ ରାଜ୍ୟ ସରକାର ୮୮ ହଜାର ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ଉକ୍ତ ଅନୁଦାନରେ ସ୍ମୃତି ଭବନର କାର୍ଯ୍ୟ ଅଧା ରହି ଯାଇଥିଲା। ଏହାପରେ ଅର୍ଥାଭାବରୁ ଅଟକି ରହିଥିବା ଭବନ ନିର୍ମାଣ କାର୍ଯ୍ୟ ପାଇଁ କେହି ଉଦ୍ୟମ କରି ନ ଥିଲେ। କାଳକ୍ରମେ ଭବନ ଚାରିପଟେ ଅନାବନା ଗଛ ଉଠି ଏକପ୍ରକାର ଭୂତକୋଠିରେ ପରିଣତ ହୋଇଥିଲା। ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ସେହିପରି ସ୍ଥାନୀୟ ସରପଞ୍ଚ ପଙ୍କଜ କୁମାର ସାହୁ ଓ ସମିତି ସଭ୍ୟ ପ୍ରଶାନ୍ତ କୁମାର ରାଉତରାୟ ଏ ନେଇ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା ଏହାକୁ ଗୁରତ୍ବ ଦେଇ ନିଜସ୍ବ ହାତପାଣ୍ଠି ପ୍ରଦାନ କରିଥିଲେ। ସେହିପରି ପଞ୍ଚାୟତ ସମିତି ଓ ପଞ୍ଚାୟତର ବିଭିନ୍ନ ଯୋଜନାରେ ଅର୍ଥ ମଞ୍ଜୁର ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବର୍ଷକ ତଳେ ଅର୍ଦ୍ଧନିର୍ମିତ ‘ପଲ୍ଲୀକବି ସ୍ମୃତି ଭବନ’ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ଏହା ନୂଆ ରୂପ ନେଇଛି। ଆସନ୍ତା ୨୩ ତାରିଖ ଦିନ ସ୍ମୃତି ଭବନକୁ ମନ୍ତ୍ରୀ ଶ୍ରୀ ଜେନା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମାହାଙ୍ଗାବାସୀଙ୍କ ଦୀର୍ଘଦିନର ଆଶା ପୂରଣ କରାଇଥିବାରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଦିଆଯାଇଛି।