ଲେବର କାର୍ଡ କରାଇଦେବା ଆଳରେ ଠକେଇ, ଠକ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଗରିବ ଶ୍ରମିକମାନଙ୍କୁ ଲେବର କାର୍ଡ କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩୦୦ ଟଙ୍କା ଆଦାୟ କରୁଥିବା ଠକ ଗିରଫ ହୋଇଛି। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଖଡ଼ିଆଳ ପୁଲିସ ଆଇଆଇସି କୈଳାସ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, ତ୍ରିନାଥ ତାଣ୍ଡି ନାମକ ବ୍ୟକ୍ତି ପ୍ରୟାସ ଫାଉଣ୍ଡେସନ ନାମରେ ଏକ ସଂସ୍ଥା ଖୋଲି ଏଥିରେ ନୂଆପଡ଼ା ଜିଲ୍ଲାର ୭ଜଣଙ୍କୁ ନିଯୁକ୍ତି କରିଥିଲା । ସମସ୍ତ ୭ ଜଣଙ୍କୁ ଦରମା ଦେବା ପାଇଁ କହିଥିଲା । ନିଯୁକ୍ତି କରିଥିବା ୭ଜଣ ମଧ୍ୟରୁ ସିନାପାଲି ଥାନା ଅଞ୍ଚଳର ଚାମ୍ପା ତାଣ୍ଡିଙ୍କୁ ମଧ୍ୟ ଏହି ସଂସ୍ଥାରେ ନିଯୁକ୍ତି ମିଳିଥିଲା । ପ୍ରୟାସ ଫାଉଣ୍ଡେସନ ତରଫରୁ ଲେବର କାର୍ଡ କରାଇଦେବା ନାଁରେ ହଜାର ହଜାର ଗରିବ ଶ୍ରମିକ ମାନଙ୍କଠାରୁ ୩୦୦ସହ ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲା । କିନ୍ତୁ ମାସ ମାସ ଧରି କାର୍ଡ ନଦେବା ଦ୍ୱାରା ଶ୍ରମିକ ମାନେ ୩୦୦ଟଙ୍କା ଲେଖାଏଁ ଆଦାୟ କରିଥିବା ଚମ୍ପା ତାଣ୍ଡିଙ୍କୁ ଗାଳି ଗୁଳଜ କରିଥିଲେ । ଚମ୍ପା ତାଣ୍ଡିଙ୍କୁ ଗାଳିଗୁଲଜ କଲା ପରେ ଚମ୍ପା ତାଣ୍ଡି ଖଡ଼ିଆଳ ଥାନାରେ ପ୍ରୟାସ ଫାଉଣ୍ଡେସନର ନିର୍ଦ୍ଦେଶକ ତ୍ରିନାଥ ତାଣ୍ଡିଙ୍କ ନାମରେ ଏକ ଏତଲା ଦେଇଥିଲେ ।

ଏତଲାରେ ସେ କହିଥିଲେ ଯେ, ପ୍ରୟାସ ଫାଉଣ୍ଡେସନର ନିର୍ଦ୍ଦେଶକ ତ୍ରିନାଥ ତାଣ୍ଡିଙ୍କ ସଂସ୍ଥାରେ ମୋତେ ନିଯୁକ୍ତି ଦିଆଯାଇଥିଲା । ଲେବରମାନଙ୍କଠାରୁ ୩୦୦ସହ ଟଙ୍କା ଆଦାୟ କରି ସେମାନଙ୍କୁ ଲେବର କାର୍ଡ ଦେବା କାମ ମୋତେ ଦିଆଯାଇଥିଲା। ହେଲେ ଦୀର୍ଘ ମାସ ହେବ ସଂସ୍ଥା ଲେବର କାର୍ଡ କରୁନଥିବାରୁ ମୋତେ ଶ୍ରମିକମାନେ ଗାଳି ଗୁଳଜ କରୁଛନ୍ତି ବୋଲି ଏତଲାରେ ଲେଖିଥିଲେ । ମୋତେ ନିଯୁକ୍ତି ସମୟରେ ଦରମା ଦିଆଯିବ ବୋଲି କହିଥିଲେ । ହେଲେ ଦରମା ମଧ୍ୟ ଦିଆଯାଇନାହିଁ ବୋଲି ଏତଲାରେ ଲେଖିଥିଲେ  ଚାମ୍ପା ତାଣ୍ଡି।

ଖଡ଼ିଆଳ ପୁଲିସ ଆଇଆଇସି କୈଳାସ ଚନ୍ଦ୍ର ସେଠି ସବ ଇନିସ୍ପେକ୍ଟର ଜିତେନ୍ଦ୍ର କୁମାର ନାଏକଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ସବ ଇନିସ୍ପେକ୍ଟର ଜିତେନ୍ଦ୍ର ନାଏକ ତଦନ୍ତ କଲା ପରେ ପ୍ରୟାସ ଫାଉଣ୍ଡେସନ ଏକ ଠକ ସଂସ୍ଥା ଓ ଏହାର ନିର୍ଦ୍ଦେଶକ ଜଣେ ଠକ ବ୍ୟକ୍ତି ବୋଲି ଜାଣିବାକୁ ପାଇଥିଲେ । ପରେ ଖଡ଼ିଆଳ ପୁଲିସ ତ୍ରିନାଥ ତାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର