ଭଦ୍ରକରେ ଦଲାଲଙ୍କ ଚକ୍ରବ୍ୟୁହରେ ଶ୍ରମିକ କାର୍ଡ

ଭଦ୍ରକ: ଭଦ୍ରକ ଜିଲ୍ଳାରେ ନିର୍ମାଣ ଶ୍ରମିକଙ୍କ କାର୍ଡ ସଂଖ୍ୟା ଏବେ ଦେଢ ଲକ୍ଷ ଟପିଛି। ନିର୍ମାଣ ଶ୍ରମିକମାନେ ପାଉଥିବା ଶ୍ରମିକ କାର୍ଡ ଦଲାଲଙ୍କ ଚକ୍ରବ୍ୟୁହରେ ରହିଛି। ଦଲାଲ ନଧରିଲେ କାର୍ଡ ହେଉ ନାହିଁ। କାର୍ଡ ପ୍ରସ୍ତୁତ ପାଇଁ ଭଦ୍ରକ ଶ୍ରମ କାର୍ଯ୍ୟାଳୟରେ ଛାଇ ହୋଇ ରହିଛନ୍ତି ଦଲାଲ। ଏଇ ଦଲାଲଙ୍କ କବ୍ଜାରେ ରହିଛି କାର୍ଡ। ଜଣେ ନିର୍ମାଣ ଶ୍ରମିକ ସିଧାସଳଖ ଭାବେ ଶ୍ରମ କାର୍ଯ୍ୟାଳୟ ଯାଇ କାର୍ଡଟିଏ ପାଇବା କଷ୍ଟକର ହୋଇପଡିଛି। ୫ ବର୍ଷ ପୂର୍ବରୁ ନିର୍ମାଣ ଶ୍ରମିକ ସଂଗଠନ ସଂଖ୍ୟା ଜିଲ୍ଲାରେ ହାତ ଗଣତି ଥିବାବେଳେ ଏବେ ଜିଲ୍ଲାରେ ଛତୁ ଫୁଟିଲା ଭଳି ଶ୍ରମିକ ସଂଗଠନ ଗଢି ଉଠିଛି। ଏଇ ଶ୍ରମିକ ସଂଗଠନର ବୈଧତା ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି। ଗାଁ ଗାଁ ରେ ଏବେ କିଛି ଶ୍ରମିକ ସଂଗଠନର ତଥାକଥିତ ଦଲାଲମାନେ ବ୍ୟାଗ ଧରି ବୁଲୁଛନ୍ତି। ଲୋକଙ୍କୁ ନିର୍ମାଣ ଶ୍ରମିକ କରିବା ପାଇଁ ଫର୍ମ ପୂରଣ କରି ଆଣୁଛନ୍ତି। ନିର୍ମାଣ ଶ୍ରମିକ କାର୍ଡଟିଏ ପାଇବା ପାଇଁ ଦଲାଲଙ୍କୁ ଦେବାକୁ ପଡୁଛି ପ୍ରାୟ ୧୫ ଶହ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା। ଅଫିସ୍ ଖର୍ଚ୍ଚଠାରୁ ଆରମ୍ଭ କରି ଫର୍ମ ପୂରଣ ବାବଦରେ ଏହି ଟଙ୍କା ଆଦାୟ କରାଯାଉଛି।

ଏଥିରେ ପୁଣି ରହୁଛି ଦଲାଲଙ୍କର ସିଂହ ଭାଗ ଅର୍ଥ। ଏଭଳି ପ୍ରକ୍ରିୟା ଭଦ୍ରକରେ ଗତ ପାଞ୍ଚ ବର୍ଷ ହେବ ଚାଲୁଥିବାବେଳେ ଶ୍ରମ କାର୍ଯ୍ୟାଳୟର କିଛି କର୍ମଚାରୀ ଓ ଦଲାଲ ମାଲାମାଲ ହୋଇଛନ୍ତି। ସୂଚନାରୁ ପ୍ରକାଶ ଯେ, ୨୦୨୨ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ପଂଜିକୃତ ନିର୍ମାଣ ଶ୍ରମିକ ସଂଖ୍ୟା ୧ ଲକ୍ଷ ୫୩ ହଜାର ୬୯୬ ରେ ପହଞ୍ଚିଛି। ନିର୍ମାଣ ଶ୍ରମିକ କାର୍ଡ ପାଇବା ପାଇଁ ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ପ୍ରତିଦିନ ଭିଡ ଲାଗୁଛି । ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଏହି ସବୁ ସୁବିଧାସୁଯୋଗ ହାତେଇବା ପାଇଁ ଶ୍ରମିକ ନହୋଇ ମଧ୍ୟ ଅନେକ ଲୋକଙ୍କୁ ନିର୍ମାଣ ଶ୍ରମିକ କାର୍ଡ ମିଳୁଛି। କୋଭିଡ୍ ସମୟରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ସହାୟତା ହାତେଇବା ପାଇଁ ନିର୍ମାଣ ଶ୍ରମିକ ସଂଗଠନମାନେ ବହୁ ସଂଖ୍ୟାରେ ଲୋକଙ୍କର ଫର୍ମ ପୂରଣ କରି ସେମାନଙ୍କୁ ନିର୍ମାଣ ଶ୍ରମିକ ସଜାଇ ଦେଇଛନ୍ତି। ଜିଲ୍ଲାରେ ଯେଉଁ ହାରରେ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରାଯାଉଛି, ଆଉ କିଛି ମାସ ପରେ ଭଦ୍ରକ ଜିଲ୍ଲାରେ ନିର୍ମାଣ ଶ୍ରମିକ ସଂଖ୍ୟା ୨ ଲକ୍ଷ ଟଙ୍କା ଟପିଯିବ ବୋଲି ଜଣାପଡିଛି। ଆହୁରି ହଜାର ହଜାର ସଂଖ୍ୟାରେ ଫର୍ମ ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ପଡି ରହିଛି। ଏହା ଭିତରେ ଜିଲ୍ଲାରେ ଦେଢ ଲକ୍ଷ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୭୦ ହଜାରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ୫୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୨୬ ହଜାର ୬୭୭ ଜଣ ଶ୍ରମିକଙ୍କୁ ୧୫ କୋଟି ଟଙ୍କାର ଶିକ୍ଷା ସହାୟତା ଯୋଗାଇ ଦିଆଯାଇଛି।

ସେହିପରି ଜିଲ୍ଲାରେ ୧୪ ହଜାର ୬୦ ଜଣ ନିର୍ମାଣ ଶ୍ରମିକଙ୍କୁ ୫ କୋଟି ୫୩ ଲକ୍ଷ ଟଙ୍କାର ବିଭିନ୍ନ ଶ୍ରମିକ ଯନ୍ତ୍ରପାତି ସହାୟତା ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଳାରେ ୭ ହଜାର ୭୭୨ ଜଣ ନିର୍ମାଣ ଶ୍ରମିକଙ୍କୁ ୨ ‌କୋଟି ୬୯ ଲକ୍ଷ ଟଙ୍କାର ସାଇକେଲ ପାଇଁ ସହାୟତା ଯୋଗାଇ ଦିଆଯାଇଛି। ୨ ହଜାର ୪୩୬ ଜଣ ଶ୍ରମିକଙ୍କୁ ୨୪ ଲକ୍ଷ ୩୬ ହଜାର ଟଙ୍କାର ସୁରକ୍ଷା ଯନ୍ତ୍ରପାତି ଯୋଗାଣ କରାଯାଇଛି। ଜିଲ୍ଳାର ୪ ହଜାର ୫୯୦ ଜଣ ଶ୍ରମିକଙ୍କୁ ମୋଟ ୧୪ କୋଟି ୩୬ ଲକ୍ଷ ଟଙ୍କା ସେମାନଙ୍କ ଝିଅ ବିବାହ ପାଇଁ ସହାୟତା ଯୋଗାଇ ଦିଆଯାଇଛି। ୧୩୫ ଜଣ ଶ୍ରମିକଙ୍କୁ ୧୩ ଲକ୍ଷ ଟଙ୍କାର ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଛି। ୪୩୦ ଜଣ ନିର୍ମାଣ ଶ୍ରମିକଙ୍କୁ ୬ କୋଟି ୨୮ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦିଆଯାଇଥିବାବେଳେ ୪୩୦ ଜଣଙ୍କୁ ଅନ୍ତିମ ସଂସ୍କାର ପାଇଁ ଆର୍ଥିକ ସହାୟତା ବାବଦକୁ ମୋଟ ୨୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକମାନଙ୍କୁ ସରକାରୀ ଯୋଜନାରେ ଏଇ ସବୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବାରୁ ଏଇ ସହାୟତା କିଭଳି ଅଧିକରୁ ଅଧିକ ଶ୍ରମିକ ପାଇବେ, ସେଥିପାଇଁ ପ୍ରତି ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ ନେତାଙ୍କଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକ ସଂଗଠନର ନେତାଙ୍କ ଭିଡ ଲାଗିଛି |

ସମ୍ବନ୍ଧିତ ଖବର