ସୁନ୍ଦରଗଡ଼: ତାମିଲନାଡ଼ୁର ଜୋଲାରପେଟ୍ଟାଇ ଷ୍ଟେସନରେ ସୁନ୍ଦରଗଡ଼ର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ସୁନ୍ଦରଗଡ଼ ଶ୍ରମ ବିଭାଗ ହାତ ଟେକି ଦେବା ଓ ଶବ ସତ୍କାର ପାଇଁ ସେଠାକାର ପୁଲିସ ଟଙ୍କା ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଏ ସମ୍ପର୍କିତ ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ଚେତିଲା ଶ୍ରମ ବିଭାଗ । ଶ୍ରମ ମନ୍ତ୍ରୀ ସାରଦା ନାୟକଙ୍କ ନିର୍ଦ୍ଦେଶରେ ତାମିଲନାଡୁରେ ଥିବା ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ଯୋଗାଯୋଗ କଲା ଶ୍ରମ ବିଭାଗ । ଆର୍ଥିକ ସହାୟତା ମିଳିଥିବାବେଳେ ଆରମ୍ଭ ହେଲା ଶବର ସଉଦା ଘଟଣା ତଦନ୍ତ। ମୃତ ଶ୍ରମିକଙ୍କ ଶବର ଦାହ ସଂସ୍କାର କରାଯାଇଛି। ପରିବାରକୁ ସେଠାରୁ ଆଣିବାର ବ୍ୟବସ୍ଥା କରାଯାଇଥିବା ବେଳେ ସୁନ୍ଦରଗଡ଼ ଫେରିବା ପରେ ପରିବାର ଲୋକଙ୍କ ନାମରେ ଶ୍ରମିକ କାର୍ଡ ପ୍ରସ୍ତୁତ କରାଯିବା ସହ ଆର୍ଥିକ ସହାୟତା ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ସବଡେଗା ବ୍ଲକ୍ ଫଗୁଆପଡାର ଶ୍ରମିକ ମନୋରଞ୍ଜନ ନାଏକ ଗତ ୬ ତାରିଖରେ ପତ୍ନୀ ମୁନୁମତି ଓ ପୁଅ ବିଶାଳକୁ ନେଇ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଚାହା ବଗିଚାକୁ ରେଳ ଯୋଗେ ଦାଦନ ଖଟିବାକୁ ଯାଉଥିଲେ। ପୂର୍ବରୁ ସେଠାରେ କାମ କରୁଥିବା ସୁନ୍ଦରଗଡ଼ର ଜଣେ ଯୁବକ ବଗିଚାରେ ଦୈନିକ ମଜୁରି ୬ ଶହ ଟଙ୍କା ମିଳୁଥିବା କହିବା ପରେ ସେ ରୋଜଗାର ଆଶାରେ ଘର ଛାଡ଼ିଥିଲେ। ୭ ତାରିଖରେ ତିରୁପାଥୁର ଜିଲ୍ଲାର ଜୋଲାରପେଟ୍ଟାଇ ଷ୍ଟେସନ ପହଞ୍ଚିବା ପରେ ସେ ବାଥରୁମକୁ ଯାଇ ଫେରି ନଥିଲେ। ପତ୍ନୀ, ପୁଅ ଏ ବଗି, ସେ ବଗି ଖୋଜିବା ପରେ ବି ତାଙ୍କୁ ନପାଇବାରୁ ଚେନ୍ ଟାଣି ରେଳକୁ ଅଟକାଇଥିଲେ। ଷ୍ଟେସନରୁ କିଛି ଦୂରରେ ଟ୍ରାକ କଡ଼ରେ ତାଙ୍କ ମୃତଦେହ ମିଳିଥିଲା। ଅସାବଧାନତା ଯୋଗୁ ରେଳରୁ ଖସି ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଥିଲା। ଅସହାୟ ହୋଇପଡ଼ିଲେ ମା’ ପୁଅ। ହାତରେ ଟିକଟ ଓ ମାତ୍ର ଟଙ୍କା ଦି’ ହଜାର ଥିଲା।

Advertisment

ଶବବାହକ ଗାଡ଼ି ଯୋଗେ ସୁନ୍ଦରଗଡ଼କୁ ଶବ ଆଣିବାକୁ ୯୦ ହଜାର ଟଙ୍କା ଦାବି କରିଥିଲା ଏକ ପରିବହନ ସଂସ୍ଥା। କାର୍ଗୋ ଫ୍ଲାଇଟ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ନେବ କହିଥିଲା ସଂସ୍ଥା। ଗରିବ ପରିବାର ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିବାରୁ ଗାଁକୁ ଶବ ଫେରାଇ ନେବା କଥା ମନରୁ କାଢ଼ି ଦେଇ ସେଠାରେ ସତ୍କାର କରିବାକୁ ମନସ୍ଥ କରିଥିଲେ। କିନ୍ତୁ ସେଥିପାଇଁ ବି ୧୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ରେଲବାଇ ପୁଲିସ କହିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ ମା’ପୁଅ। ଏହା ପରେ ସୁନ୍ଦରଗଡ଼ ଶ୍ରମ ବିଭାଗର ସହଯୋଗ ଲୋଡ଼ିଥିଲେ ପରିବାର। କିନ୍ତୁ ଶ୍ରମିକ ପଞ୍ଜୀକରଣ କରି ନଥିବା ଓ ତାମିଲନାଡ଼ୁ ସରକାର ସହ ଯୋଗସୂତ୍ର ନଥିବା ଦର୍ଶାଇ ଶ୍ରମ ବିଭାଗ ମୁହଁ ମୋଡ଼ି ଦେଇଥିଲା। ହତାଶ ମା’ପୁଅ ଶେଷକୁ ସୁନ୍ଦରଗଡ଼ର ସମର୍ପିତ ସେବା ସଂସ୍ଥାନର ସିଦ୍ଧାନ୍ତ ପଣ୍ଡାଙ୍କୁ କଲ୍ କରି ଦୁଃଖ ଜଣାଇଥିଲେ। ଏହା ପରେ ଶ୍ରୀ ପଣ୍ଡା ଜୋଲାରପେଟ୍ଟାଇ ରେଳବାଇ ପୁଲିସ ସହ ଯୋଗାଯୋଗ କରିଥିଲେ। କିନ୍ତୁ ୮ ହଜାର ଟଙ୍କା ନଦେଲେ ଶବସଂସ୍କାର ହୋଇ ପାରିବନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲା ରେଲବାଇ ପୁଲିସ ନିରୀକ୍ଷକ କେ.ରବିକୁମାର । ଶେଷକୁ ସଂସ୍ଥାନ ସଦସ୍ୟ ଅଶୋକ କୁମାର ବରାଇ, ନୀରଜ ଅଗ୍ରୱାଲ ଓ ସିଦ୍ଧାନ୍ତ ପଣ୍ଡା ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ୮ ହଜାର ଟଙ୍କା ରେଳବାଇ ପୁଲିସ ନିରୀକ୍ଷକ କେ.ରବିକୁମାରଙ୍କ ଆକାଉଣ୍ଟକୁ ପଠାଇବା ପରେ ଗୁରୁବାର ମୃତ ଶ୍ରମିକ ମନୋରଞ୍ଜନଙ୍କ ଶବର ପଞ୍ଚନାମା ଓ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଥିଲା। ଦାଦନ ଶ୍ରମିକ ପରିବାର ପ୍ରତି ଉଭୟ ଶ୍ରମ ବିଭାଗ ଓ ତାମିଲନାଡୁ ପୁଲିସର ଏଭଳି ଅମାନବୀୟ ଆଚରଣ ସାଧାରଣରେ ସମାଲୋଚିତ ହୋଇଥିଲା।