ପାଟପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଏଭଳି ପରିସ୍ଥିତିରେ ପରିବାର ପ୍ରତିପୋଷଣ ପାଇଁ ସୁରତକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କ ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି। ମୃତକଜଣକ ହେଲେ, ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳେଇ। ଗତ ୧୯ ତାରିଖରେ ହୃଦ୍ଘାତରୁ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସୁରତରୁ ଶବକୁ ଆଣିବା ଲାଗି ପଦକ୍ଷେପ ନେବାକୁ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଶ୍ରୀ ପ୍ରଧାନ ଏନେଇ ସାନଖେମୁଣ୍ଡି ବ୍ଲକ୍ ପ୍ରଶାସନକୁ ଅବଗତ କରିଥିଲେ। ବିଡିଓ ଗାୟତ୍ରୀଦତ୍ତ ନାୟକଙ୍କ ଉଦ୍ୟମ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଜିତେନ୍ଦ୍ରଙ୍କ ଶବକୁ ଜନ୍ମମାଟି କଉଡ଼ିଆ ଗ୍ରାମକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଏହାସହ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ବିଡିଓ ଶ୍ରୀ ନାୟକ, ତହସିଲଦାର ଡ.ଶ୍ରୀନିବାସ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଧାନ ଓ ସରପଞ୍ଚ ରୋହିତ ଖୁଣ୍ଟିଆଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ସମବେଦନା ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/75bea64f-2b8a-46df-a1c3-41abf4b88277.jpg)