ଗଞ୍ଜାମରେ ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ଦାବି: ଜିଲ୍ଲାରେ ୨ଲକ୍ଷ ୧୦ହଜାର ପଞ୍ଜୀକୃତ, ୭୬ହଜାର ସ୍ଥାଣୁ

ଛତ୍ରପୁର/ବ୍ରହ୍ମପୁର : ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କୁ ସଂଗଠିତ କରି ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଲାଗି କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ମଧ୍ୟ ରହିଛି। ନିର୍ମାଣ ଶ୍ରମିକଙ୍କ ପରିଚୟପତ୍ର ଓ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଜିଲ୍ଲାରେ ସମୁଦାୟ ୨ଲକ୍ଷ ୧୦ହଜାର ୮୪୩ଜଣ ନିର୍ମାଣ ଶ୍ରମିକ ପଞ୍ଜୀକରଣ କରି କାର୍ଡ଼ ପାଇଥିବା ବେଳେ ୧ଲକ୍ଷ ୩୨ହଜାର ୮୨୭ ଜଣ ନିର୍ମାଣ ଶ୍ରମିକଙ୍କ କାର୍ଡ଼ ସଚଳ ରହିଛି। ଅର୍ଥାତ ସେମାନେ ନିର୍ଦ୍ଧାରିତ ସମୟରେ ପରିଚୟପତ୍ର ନବୀକରଣ କରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାର ୭୬ହଜାର ୩୦୮ ନିର୍ମାଣ ଶ୍ରମିକ କାର୍ଡ଼ ସ୍ଥାଣୁ ପାଲଟିଯାଇଛି।

ଏଥି‌ରୁ କିଛି ନିର୍ମାଣ ଶ୍ରମିକଙ୍କୁ ୬୦ ବର୍ଷ ହୋଇଯାଇଛି ତ, କିଛି ନିର୍ମାଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଆଉ କିଛି ଦୀର୍ଘ ଦିନ ହେଲା ନବୀକରଣ କରିନାହାନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୨୦ ମାର୍ଚ୍ଚରୁ କରୋନା ମହାମାରୀର ପ୍ରକୋପ ଦେଖାଦେଇଥିଲା। ଲକ୍‌ଡାଉନ୍‌ ଓ ସଟଡାଉନ୍ ଯୋଗୁଁ ଜୀବନଯାତ୍ରା ଠପ୍ ହୋଇଯାଇଥିଲା। ସବୁ କିଛି ବନ୍ଦ ଯୋଗୁଁ ନୂତନ କାର୍ଡ଼ ପ୍ରଦାନ ଓ ନବୀକରଣ ପ୍ରକ୍ରିୟା ମଧ୍ୟ ବନ୍ଦ ରହିଥିଲା। ତେଣୁ ଏବେ ଛତ୍ରପୁର ଓ ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାରେ ଶ୍ରମ ବିଭାଗର ସ୍ଥାଣୁତା ଓ ନିଷ୍କ୍ରିୟତା ଯୋଗୁଁ ନିର୍ମାଣ ଶ୍ରମିକମାନେ ‌ପରିଚୟପତ୍ର ଓ ସହାୟତା ରାଶି ପାଇବା ଲାଗି ଦଲାଲ ହାବୁଡ଼ରେ ପଡ଼ି ଶୋଷଣର ଶିକାର ହେଉଛନ୍ତି। ଜିଲ୍ଲାର ଦୁଇ ଶ୍ରମ କାର୍ଯ୍ୟାଳୟରେ ଦଲାଲ ମାଳମାଳ ବୁଲୁଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଭଳି ସ୍ଥିିତିରେ ନକଲି ନିର୍ମାଣ ଶ୍ରମିକ ଯୋଗାଣକାରୀ ରାକେଟ୍‌ ଗଞ୍ଜାମ ଜିଲ୍ଲାରେ ସକ୍ରିୟ ହୋଇ ଉଠିଛନ୍ତି।

ଜିଲ୍ଲାର ଅନ୍ୟତମ ବୃହତ୍ତମ ଜିଲ୍ଲା ଗଞ୍ଜାମ। ସଂରଚନା ଦୃଷ୍ଟିରୁ ଜିଲ୍ଲାର ଶ୍ରମ ବିଭାଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଜିଲ୍ଲାରେ ୨ଜଣ ଶ୍ରମ ଅଧିକାରୀ କାର୍ଯ୍ୟ କରୁଥିବା ବେଳେ ବ୍ରହ୍ମପୁର ଓ ଛତ୍ରପୁରରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ ଅଧୀନରେ ଜିଲ୍ଲାର ୧୪ଟି ଏବଂ ଛତ୍ରପୁର ଶ୍ରମ ଅଧିକାରୀଙ୍କ ଅଧୀନରେ ୮ଟି ବ୍ଲକ ରହିଛି। ଏହି କାର୍ଯ୍ୟାଳୟ ଦ୍ବୟ ଜରିଆରେ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ ଓ ପରିଚୟପତ୍ର ପ୍ରଦାନ ସହ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ପୂର୍ବରୁ ନିର୍ମାଣ ଶ୍ରମିକମାନେ ସିଧାସଳଖ ଏବଂ ବିଭିନ୍ନ ନିର୍ମାଣ ଶ୍ରମିକ ସଂଗଠନ ଜରିଆରେ ପରିଚୟ ପତ୍ର ପାଉଥିଲେ। କିନ୍ତୁ ଏବେ କାର୍ଯ୍ୟସ୍ଥଳକୁ ଶ୍ରମ ବିଭାଗ କର୍ମଚାରୀ ଗସ୍ତ କରି ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ ପରେ ପରିଚୟପତ୍ର ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଏଥିସହ ମନରେଗା ଯୋଜନାରେ ୯୦ ଦିନ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ବିଡିଓଙ୍କ ଅନୁମୋଦନ ପରେ ନିର୍ମାଣ ଶ୍ରମିକ ପରିଚୟପତ୍ର ଦିଆଯାଉଛି। ଯାଞ୍ଚ‌ କରିବା ପରେ ହିଁ ପରିଚୟ ପତ୍ର ପ୍ରଦାନ କରାଯାଉଛି। ପ୍ରତିବର୍ଷ ନିର୍ମାଣ ଶ୍ରମିକମାନେ ପରିଚତ୍ରପତ୍ର ନବୀକରଣ କରିବାର ବ୍ୟବସ୍ଥା ରହିଛି। ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ଜରିଆରେ ୧ ଲକ୍ଷ ୬ ହଜାର ୨୯୮ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ଯୋଗାଇ ଦିଆଯାଇଛି।

ସେଥିମଧ୍ୟରୁ ମାତ୍ର ୬୬ହଜାର ୫୧୯ଜଣଙ୍କ ପରିଚୟପତ୍ର ସଚଳ ରହିଥିବା ଜଣାପଡ଼ିଛି। ୨୨୯୪ଟି ଆବେଦନ ପତ୍ର ବିଚାରାଧୀନ ରହିଛି। ସେହିପରି ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟ ଜରିଆରେ ସମୁଦାୟ ୧ଲକ୍ଷ ୪ହଜାର ୫୪୫ଜଣଙ୍କୁ ପରିଚୟପତ୍ର ଦିଆଯାଇଛି। ଗତ ୩ବର୍ଷ ମଧ୍ୟରେ ୨୬ହଜାର ୪୭୨ଜଣଙ୍କ ପରିଚୟ ପତ୍ର ଦିଆଯାଇଛି। କିନ୍ତୁ ଏଥିରୁ ମାତ୍ର ୭୬ହଜାର ୩୦୮ କାର୍ଡ଼ ସଚଳ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର