ଭଦ୍ରକ: ଧାମରା ବନ୍ଦରରେ ପୁଣି ଦୁର୍ଘଟଣା, କମ୍ପାନି ଶ୍ରମିକଙ୍କ ଉପରେ ଚଢ଼ିଗଲା ଗାଡ଼ି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ବନ୍ଦର କମ୍ପାନିକୁ ଏବେ ଶନିଦଶା ପଡ଼ିଛି। ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁନେଇ ଶ୍ରମିକଙ୍କୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଇଥକୋଲା ପଂଚାୟତ ବଳଭଦ୍ର ପ୍ରସାଦ ଗାଁର ଯୋଗେନ ଭୂୟାଁଙ୍କ ପୁଅ କାର୍ତ୍ତିକ ଭୁୟାଁ ଓରଫ ବାପି (୩୫ ) ଧାମରା ବନ୍ଦର କମ୍ପାନି ଅଧିନରେ କାର୍ଯ୍ୟକରୁଥିବା ଏମ.ଏମ.ସି. କମ୍ପାନିର ହେଲପର ଭାବରେ କାର୍ଯ୍ୟକରୁଥିଲେ। ସେ ଆଜି ସାଢ଼େ ୮ଟା ବେଳେ କମ୍ପାନି ଡ୍ୟୁଟିକୁ ଯାଉଥିବା ବେଳେ ଗେଟ ଠାରୁ ମାତ୍ର ୫୦ ମିଟର ଦୂରରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଦୃତ ଗତିରେ କମ୍ପାନି ମଧ୍ୟକୁ ପଳାଇ ଯାଇଥିଲା କାର୍ତ୍ତିକଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ତାର ଅଂଟାରେ ଗାଡ଼ି ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବର ପ୍ରଚାରିତ ହେବା ପରେ ଶହଶହ ଶ୍ରମିକ ଘଟଣାସ୍ଥଳରେ ପହଁଚି ଉତ୍ତେଜନା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ କିଛି ଦିନ ତଳେ କମ୍ପାନିର ଜଣେ ଶ୍ରମିକ ଉପରେ କ୍ରେନ ଛିଡ଼ି ଖସିପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେଦିନର ଘଟଣା ମନରୁ ନଲିଭୁଣୁ ପୁଣି ଏକ ଦୁର୍ଘଟଣାରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଯାଉଥିବା ବେଳେ କୋଇଥକୋଲା ଠାରେ ବଳଭଦ୍ର ପ୍ରସାଦ ଗାଁର ଦୁଇ ଶହରୁ ଉର୍ଦ୍ଧ୍ୱ ମହିଳା ଆମ୍ବୁଲାନ୍‌ସକୁ ଅଟକାଇଛନ୍ତି। ଖବର ପାଇ ଧାମରା ଥାନା ପୁଲିସ ଘଟଣାସ୍ଥଳରେ ପହଁଚିଛି। ଖବର ଲେଖାହେଲା ବେଳକୁ ଉତେଜନା ଜାରି ରହିଛି।

ସମ୍ବନ୍ଧିତ ଖବର