ମନରେଗାରେ କାମ କରି ଫସିଗଲେ ଶ୍ରମିକ ନେତା, ମାଡ଼ ଭୟରେ ଦିନ କଟୁଛି ଜଙ୍ଗଲରେ

ଦେଶୀ କୁକୁଡ଼ା ୧୫ ହଜାର ଲାଞ୍ଚ ପରେ ବି ପାସ୍ ହେଉନି ବିଲ୍, ଶ୍ରମିକଙ୍କ ଜବକାର୍ଡକୁ ବି ହାତେଇ ନେଇଛନ୍ତି ଯନ୍ତ୍ରୀ, ଜିଆରଏସ୍

ରାୟଗଡ଼ା: ବର୍ଷେ କି ଦୁଇବର୍ଷ ନୁହେଁ କାମ କରିବାର ୬ ବର୍ଷ ପରେ ମିଳିଲାନି ମ‌ନରେଗା ମଜୁରୀ। ଫଳରେ ମାଡ଼ ଭୟରେ ଜଙ୍ଗଲରେ ଲୁଚୁଛନ୍ତି ଶ୍ରମିକ ନେତା। ଦିନ ତମାମ୍‌ ଜଙ୍ଗଲରେ କାଟିବା ପରେ ରାତିରେ ଘରକୁ ଫେରୁଛନ୍ତି। ଏପରିକି ବିଲ୍ କରାଇ ଦେବା ନାଁରେ ଜିଆରଏସ୍ ଦୁଇଟି ଦେଶୀ କୁକୁଡା ଓ ୧୫ ହଜାର ଟଙ୍କାର ଲାଞ୍ଚ ନେଇ ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ଶ୍ରମିକ।

୨୦୧୫-୧୬ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ଆରଡି ରାସ୍ତାରୁ ଗୁମ୍ମା ପଞ୍ଚାୟତର ଲେଲିବାଡି ଗ୍ରାମକୁ ରାସ୍ତା ନିର୍ମାଣ ହୋଇଥିଲା। ୯୦୦ ମିଟର ଲମ୍ବ ରାସ୍ତାର ନବୀକରଣ କାମରେ ଦୁଇ ଗ୍ରାମର ୫୦ ଶ୍ରମିକ ନିୟୋଜିତ ହେଲେ। ଲେଲିବାଡିର ୪ ଶ୍ରମିକ ନେତା ସାହେବ କୁଲେସିକା, ଦଶରୁ ପ୍ରାସ୍କା, ପେଣ୍ଟିଆ ପ୍ରାସ୍କା, ଜଗବନ୍ଧୁ ପ୍ରାସ୍କା ଜଣକ ପିଛା ୩୫ ହଜାର ଟଙ୍କା ଲେଖାଏଁ ବାହାର କରି ଦୁଇ ଗ୍ରାମର ଶ୍ରମିକଙ୍କୁ ନେଇ ରାସ୍ତା କାମ କରିଥିଲେ।

ଦୀର୍ଘ ୨୫ ଦିନର କାମ ପରେ ରାସ୍ତା କାମ ସରିଥିଲା। କାମ ଶେଷ ପରେ ମଜୁରି ଓ ମ୍ୟାଟେରିଆଲ୍‌ସ ବାବଦ ବିଲ୍ ପାଇଁ ଶ୍ରମିକ ନେତା ବ୍ଲକରେ ସମସ୍ତ କାଗଜପତ୍ର ଦାଖଲ କରିଥିଲେ। କିନ୍ତୁ ବିଲ୍ କରିବା ପାଇଁ ଦିନ ଗଡ଼ାଇ ଚାଲିଥିଲେ ଯନ୍ତ୍ରୀ ଓ ଜିଆରଏସ୍। ଆଜି କାଲି କହି ବର୍ଷକ ପରେ ମଧ୍ୟ ବିଲ୍ ନ କରିବାରୁ ଶ୍ରମିକ ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ କାମ କରିଥିବା ଗ୍ରାମବାସୀ। ରାୟଗଡ଼ା ବ୍ଲକ କାର୍ଯ୍ୟାଳୟକୁ ଦୌଡି ନିରାଶ ହେବା ପରେ ଶେଷରେ ଶ୍ରମିକ ନେତା ବିଲ୍ କରିବାକୁ ଯନ୍ତ୍ରୀ ଓ ଜିଆରଏସ୍‌ଙ୍କୁ ଦୁଇଟି ଦେଶୀ କୁକୁଡା ସହ ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ।

Sambad

କାମରେ ନିୟୋଜିତ ଦୁଇ ଗ୍ରାମର ୫୦ ଶ୍ରମିକ ଦୈନିକ ୧୫୦ ଟଙ୍କା ହିସାବରେ ୨୫ ଦିନର ମଜୁରୀ ନ ପାଇବାରୁ ଶ୍ରମିକ ନେତାଙ୍କ ଘରକୁ ଯାଇ ହଟ୍ଟଗୋଳ କରୁଛନ୍ତି। ମଜୁରୀ ଟଙ୍କା ନ ଦେଲେ ମାଡ଼ ମାରିବାକୁ ଶ୍ରମିକମାନେ ଚେତାବନୀ ଦେବା ପରେ ଏବେ ଦିନ ତମାମ୍‌ ଜଙ୍ଗଲରେ କାଟି ରାତିରେ ଘରକୁ ଫେରୁଥିବା କହିଛନ୍ତି ଶ୍ରମିକ ନେତା। କେବଳ ସେତିକି ନୁହେଁ ଚଞ୍ଚକତା କରି ଶ୍ରମିକଙ୍କ ଜବକାର୍ଡକୁ ମଧ୍ୟ ହାତେଇ ନେଇଛନ୍ତି ତତ୍କାଳୀନ କନିଷ୍ଠ ଯନ୍ତ୍ରୀ, ଜିଆରଏସ୍। ଇତି ମଧ୍ୟରେ ସମ୍ପୃକ୍ତ ଯନ୍ତ୍ରୀ, ଜିଆରଏସ୍‌ଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ଶ୍ରମିକ ନେତା ଓ ଯୋଜନାରେ କାମ କରିଥିବା ଶ୍ରମିକ ନିରୁପାୟ ହୋଇ ପଡିଛନ୍ତି। ଏ ସମ୍ପର୍କରେ ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ। ମଜୁରୀ ହଡ଼ପ ହୋଇଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର