କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ଶ୍ରମିକ ସଂଗଠନ

ବାଲେଶ୍ୱର: କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚର ‘ଦେଶ ବଞ୍ଚାଅ’ ଆହ୍ୱାନରେ ସୋମବାର ବାଲେଶ୍ୱରରେ ଶ୍ରମିକ କର୍ମଚାରୀମାନଙ୍କର ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଶ୍ରମ ଆଇନ, କୃଷି ଆଇନ, ପେଟ୍ରୋଲ୍, ଡିଜେଲ୍ ଓ ଜାଳେଣି ଗ୍ୟାସ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଶ୍ରମିକ ସଂଗଠନମାନଙ୍କ ତରଫରୁ ସ୍ଥାନୀୟ ବିଚାରଗଞ୍ଜ ଛକରୁ ଏକ ଶୋଭାଯାତ୍ରା ବାହାରିଥିଲା। ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରି ସେଠାରେ ସାଧାରଣ ସଭା କରିଥିଲେ।

ଐତିହାସିକ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଅନୁଷ୍ଠିତ ଏହି ସମାବେଶରେ ଏଆଇସିଟିୟୁ ନେତା ରବୀନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଆଇଏନ୍‌ଟିୟୁସିର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ସିଆଇଟିୟୁ ନେତା ଶିଶିର ହୁଇ, ଏଆଇଟିୟୁସି ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ଟିୟୁସିସି ସଂପାଦକ ସର୍ବେଶ୍ୱର ମିଶ୍ର, ବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ଉମାକାନ୍ତ ଦାସ, ପ୍ରତିରକ୍ଷା କର୍ମଚାରୀ ନେତା ନିରଞ୍ଜନ ଦାସ, ବସ୍ତିବାସିନ୍ଦା ସଂଘ ସଭାପତି ବେଣୁଧର ବାରିକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କର ସମସ୍ତ ନୀତିର ଦୃଢ଼ ସମାଲୋଚନା କରିଥିଲେ।

ମୋଦୀ ସରକାର ବିଦେଶୀ କଂପାନୀ ଜରିଆରେ ଭାରତବର୍ଷର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କ ମୋବାଇଲ୍ ତଥ୍ୟକୁ ଗୁପ୍ତଚର ବୃତ୍ତିରେ ଚୋରି କରିବା ଘଟଣାର ତଦନ୍ତ ଦାବି କରି ବକ୍ତାମାନେ ଦେଶ ଓ ସଂବିଧାନ ବଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ମୋଦୀ ସରକାରଙ୍କ ସମସ୍ତ ଜନବିରୋଧୀ ନୀତିକୁ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ସମର୍ଥନ କରୁଥିବାରୁ ସେମାନେ ଉଭୟଙ୍କୁ ବକ୍ତବ୍ୟରେ ବିରୋଧ କରାଯାଇଥିଲା। ବିଭିନ୍ନ ସଂଘ ତରଫରୁ ନିକୁଞ୍ଜ ବସନ୍ତ ରାୟ, ଉମାକାନ୍ତ ଜେନା, ଭରତ ସେଠୀ, ଶ୍ୟାମସୁନ୍ଦର ଜେନା, ଯତୀନ ପାତ୍ର, ଲକ୍ଷ୍ମୀଧର ଗିରି, ବଂଶୀଧର ବେହେରା, ମଧୁସୂଦନ ଜେନା, ବନ୍ଦନା ବିଶ୍ୱାସ ଓ ଶଶିକାନ୍ତ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ। ପରିବହନ ଶ୍ରମିକ ନେତା ରାଜକିଶୋର ଲେଙ୍କା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର