ରାଉରକେଲା: ପ୍ରତାରିତ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକ। ଜିଲ୍ଲାରେ ଅଦ୍ୟାବଧି ୨ ଲକ୍ଷ ୪୨ ହଜାର ୬୩୫ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ପଞ୍ଜୀକରଣ ତାଲିକା ବର୍ଷକୁବର୍ଷ ଲମ୍ବି ଚାଲିଛି। ମାତ୍ର ସହାୟତା ତାଲିକା କମୁଛି। କୁହାଯାଉଛି ଘରେ ବସି ଅନ୍‌ଲାଇନ୍‌ରେ ଆବେଦନକାରୀ ନିର୍ମାଣ ଶ୍ରମିକ ସହାୟତା ପାଇପାରିବେ। କିନ୍ତୁ ଜିଲ୍ଲାରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସହାୟତା ପାଇବାକୁ ଆବଦେନକାରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ମାସମାସ ଧରି ଦୌଡୁଛନ୍ତି। ହେଲେ ସେମାନଙ୍କୁ ସହାୟତା ମିଳୁନି। ଆଜି ପର୍ଯ୍ୟନ୍ତ ୨/୩ ଶହ ନୁହେଁ ୩ ହଜାର ୮୩୦ ଆବେଦନକାରୀଙ୍କ ସହାୟତା ବାବଦରେ ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ଅଟକିଛି। ଏଥି ମଧ୍ୟରେ ଗତ ୬ ମାସ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଆବେଦନକାରୀଙ୍କ ସଂଖ୍ୟା ହେଉଛି ୨,୬୭୬ ଜଣ। ଏଥି ମଧ୍ୟରେ ଅଟକିଛି ୪୬୪ ମୃତ୍ୟୁକାଳୀନ, ୫୪୭ ଅନ୍ତେଷ୍ଟିକ୍ରିୟା, ୩୬୭ ବିବାହ, ୯୭ ପ୍ରସୂତି ଓ ୧୨୦୧ ଜଣଙ୍କ ଶିକ୍ଷା ସହାୟତା ଅର୍ଥ।

Advertisment

ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଏମିତି ତଥ୍ୟ ହସ୍ତଗତ ହୋଇଛି। ହେଲେ ଆବେଦନକାରୀଙ୍କୁ ଅଟକିଥିବା ଅର୍ଥ କେବେ ମିଳିବ ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳାରୁ ଏମିତି ହେଉଥିବା ନିର୍ମାଣ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୮୦୭ ମୃତ୍ୟୁକାଳୀନ ସହାୟତା ବାବଦରେ ୧୬ କୋଟି ୧୪ ଲକ୍ଷ, ୮୫୮ ଜଣଙ୍କ ଅନ୍ତେଷ୍ଟିକ୍ରିୟା ବାବଦରେ ୪୨ ଲକ୍ଷ ୯ହଜାର, ୫୪୮ ଜଣଙ୍କ ବିବାହ ସହାୟତା ବାବଦରେ ୨ କୋଟି ୭୪ ଲକ୍ଷ ଅଟକିଛି। ସେମିତି ୧୫୦ ଜଣଙ୍କ ପ୍ରସୂତିକାଳୀନ ସହାୟତା ବାବଦରେ ୧୫ ଲକ୍ଷ, ୧ ହଜାର ୪୬୭ ଜଣଙ୍କ ଶିକ୍ଷା ସହାୟତା ବାବଦରେ ପାଖାପାଖି ୧ କୋଟି ୪୫ ଲକ୍ଷରୁ ଅଧିକ ଟଙ୍କା ମିଳିନି। ସେପଟେ ଜିଲ୍ଲାର ପଞ୍ଜିକୃତ ୨ ଲକ୍ଷ ୪୨ ହଜାର ୬୩୫ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ କେତେ ଜଣଙ୍କୁ ଶ୍ରମିକ କାର୍ଡ ମିଳିଛି, ତା’ର କୌଣସି ତଥ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପାଖରେ ନ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିର୍ମାଣ ଶ୍ରମିକଙ୍କ ପାଇଁ କେତେ ତତ୍ପର ତାହା ସ୍ପଷ୍ଟ ବାରି ହେଉଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ବିଭିନ୍ନ ବ୍ଲକ ଅଞ୍ଚଳରେ ବିଭାଗ ପକ୍ଷରୁ କୌଣସି ସଚେନତା କାର୍ଯ୍ୟକ୍ରମ ହେଉ ନଥିବାରୁ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ସଂକ୍ରାନ୍ତରେ ନିର୍ମାଣ ଶ୍ରମିକମାନେ ଜାଣିପାରୁ ନାହାନ୍ତି। ଫଳରେ ଜିଲ୍ଲାରେ ପଞ୍ଜୀକରଣର ପ୍ରାୟ ୨୦ରୁ ୩୦% ପଞ୍ଜିକୃତ ଶ୍ରମିକ ହିଁ ସହାୟତା ପାଇଁ ଆବେଦନ କରୁଛନ୍ତି। ସେତିକି ଲୋକଙ୍କୁ ବି ଠିକ୍‌ ସମୟରେ ସହାୟତା ମିଳିପାରୁ ନାହିଁ। କେବଳ ବ୍ଲକ ନୁହେଁ ସହରରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ତେବେ ଆବେଦନ କରିଥିବା ୨୦-୩୦ % ଶ୍ରମିକଙ୍କ ପ୍ରାପ୍ୟ ବାବଦରେ ଥିବା ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରୁ ନଥିବାବେଳେ ସବୁ ଶ୍ରମିକ ଆବେଦନ କଲେ, ସ୍ଥିତି କେମିତି ହେବ ଅନୁମାନ କରା ଯାଇପାରେ। ଯଦି ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ମିଳିବାରେ ଏତେ ବିଳମ୍ବ ହେଉଛି, ଅନ୍ୟ ଜିଲ୍ଲାର ସ୍ଥିତି କ’ଣ ଥିବ, ଏଥିରୁ ସହଜରେ ଅନୁମେୟ ବୋଲି ଶ୍ରମିକ ନେତାମାନେ ମତ ଦେଇଛନ୍ତି।