ବୌଦ୍ଧ: ବୌଦ୍ଧ ଜିଲ୍ଲାର ଏକମାତ୍ର ଶିଳ୍ପ କହାଯାଉଥିବା ହରଭଙ୍ଗା ବ୍ଲକ ରାମ୍ଭିକଟାରେ ଥିବା ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ ଲିମିଟେଡ (ବିଡିପିଏଲ୍‌) ବିରୋଧରେ ଶ୍ରମିକ ଶୋଷଣ ଅଭିଯୋଗ ଆସିଛି। ଖୋଦ୍‌ ଶ୍ରମିକମାନେ ଅଭି​ଯୋଗ କରି ଆନ୍ଦୋଳନରେ ବସିଛନ୍ତି। କମ୍ପାନି କର୍ତ୍ତୃପକ୍ଷଙ୍କ ମନମାନିକୁ ବିରୋଧ କରି ଶ୍ରମିକମାନେ ଦିନ ତମାମ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ରାତି ଆଠଟା ସୁଦ୍ଧା ଡିଷ୍ଟିଲାରିର କୌଣସି ଅଧିକାରୀ ଆଲୋଚନା ପାଇଁ ଆସି ନାହାନ୍ତି। ଫଳରେ ଆନ୍ଦୋଳନ ସ୍ଥଳରେ ରୋଷେଇ କରି ଆନ୍ଦୋଳନ ଜାରି ରଖିଛନ୍ତି। ଶ୍ରମିକଙ୍କ କହିବା ଅନୁସାରେ ଡିଷ୍ଟିଲାରି ମଧ୍ୟରେ ଗୋଖାଦ୍ୟ, ସ୍ପିରିଟ ଆଦି ତିଆରି ହୁଏ। ଏଥିପାଇଁ ମୁଖ୍ୟ କଞ୍ଚାମାଲ ହେଉଛି ଖୁଦ। ଏଠାରେ କାମ ଅନୁସାରେ ବିଭିନ୍ନ ବିଭାଗ ରହିଛି। ବିଭାଗ ଅନୁସାରେ ଶ୍ରମିକ ରହିଛନ୍ତି। ଟ୍ରକ୍‌ରୁ ମାଲ ଓହ୍ଲାଇବା, ଗୋଖାଦ୍ୟ ପ୍ରସ୍ତୁତ ହେବା ପରେ ବସ୍ତାଗୁଡ଼ିକୁ ଥାକ ମାରିବା ପାଇଁ ଶ୍ରମିକ ରହିଛନ୍ତି। ଗୋଖାଦ୍ୟ ବସ୍ତାର ଓଜନ ପ୍ରଥମେ ୪୦ କିଲୋ ରହିଥିବା ବେଳେ ପରବର୍ତ୍ତୀ ସମୟରେ ୪୫, ୫୦ କିଲୋ ଓ ବର୍ତ୍ତମାନ ୫୫ କିଲୋ ଭର୍ତ୍ତି ହେଉଛି। କେବଳ ବସ୍ତାର ଓଜନ ବଢ଼ିନାହିଁ।

Advertisment

ଗୋଦାମରେ ଥାକ ବି ବଢ଼ିଛି। ପୂର୍ବରୁ ତଳ ଉପର କରି ଆଠଟି ଥାକ କରାଯାଇଥିଲା। ଏବେ ତାହା ୧୨ ଥାକରେ ପହଞ୍ଚିଛି। ୫୫ କିଲୋ ଓଜନର ବସ୍ତାକୁ ବିପଦପୂର୍ଣ୍ଣ ଭାବରେ ଉପରକୁ ଚଢ଼ାଉଛନ୍ତି ଶ୍ରମିକ। ଏ ବିଷୟରେ ପ୍ରତିବାଦ କରିବାର ଜୁ ନାହିଁ। କିଛି କହିଲେ ଅଧିକାରୀ ଧମକ ଦେଉଛନ୍ତି। ନା ଓଜନ କମିବ ନା ଥାକ ସଂଖ୍ୟା କମିବ। ଇଚ୍ଛା ଥିଲେ କାମ କର ନହେଲେ କାମ ଛାଡ଼ ବୋଲି ଧମକ ମିଳୁଛି। ଏତିକିରେ ସରି ନାହିଁ ଶ୍ରମିକ ନିର୍ଯାତନା। କମ୍ପାନିର ନିୟମ ଅନୁସାରେ ମାସକୁ ଚାରିଦିନ ଛୁଟି ମିଳିବା କଥା। ହେଲେ ଛୁଟି ନେଲେ ଗାଳି ପଡ଼ୁଛି। ଦେହ ଅସୁସ୍ଥ ହେଲେ ବି କାମ କରିବାକୁ ବାଧ୍ୟ। ଅନ୍ୟ ଏକ ବିଭାଗ ରହିଛି ‘ହାଉସ କିପିଂ’। ଘର ଓ ଶୌଚାଳୟ ସଫାସୁତୁରା ରଖିବା ଏହି ବିଭାଗର ଶ୍ରମିକଙ୍କ କାମ। ହେଲେ ସେମାନଙ୍କୁ ବସ୍ତା ବୋହିବା, ଟ୍ରାକ୍ଟରରୁ ଇଟା ଓହ୍ଲାଇବା, ହଣ୍ଡା ବାଲଟି ମାଜିବାକୁ ବାଧ୍ୟ କରାଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ପ୍ରତିବାଦ କଲେ ଅନୁରୂପ ଭାବରେ ଛଟେଇ ଧମକ ମିଳୁଛି। ନିର୍ଦ୍ଧାରିତ ସମୟ ଆଠ ଘଣ୍ଟାରୁ ଅଧିକ ସମୟ କାମ କରାଯାଉଥିଲେ ବି ଓଭର ଟାଇମ ଦିଆଯାଉନାହିଁ। ଏହି ଶ୍ରମିକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜେନା ଏସୋସିଏଟ୍‌ସ ନାମକ ଏକ ଘରୋଇ ସଂସ୍ଥା ଅଧୀନରେ ନିଯୁକ୍ତି ପାଇଛନ୍ତି। ହେଲେ ସେମାନଙ୍କୁ ଡିଷ୍ଟିଲାରି କର୍ତ୍ତୃପକ୍ଷ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କହିଛନ୍ତି। ଗୁରୁବାର ମଧ୍ୟାହ୍ନରେ ଏଭଳି ଧମକ ପାଇବା ପରେ ଶ୍ରମିକମାନେ ମୁଖ୍ୟ ଫାଟକ ସମ୍ମୁଖକୁ ଆସି ଧାରଣାରେ ବସିଛନ୍ତି। ରାତି ଆଠଟା ସୁଦ୍ଧା ଡିଷ୍ଟିଲାରିର କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଆସି ନାହାନ୍ତି। ଫଳରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶ୍ରମିକମାନେ ଆହୋରାତ୍ର ଧାରଣାରେ ବସିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଶ୍ରମିକଙ୍କ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।