ଟାଟା ବିଏସଏଲ ପ୍ଲାଣ୍ଟ ଆଗରେ ଶ୍ରମିକଙ୍କ ଧାରଣା

ବଅଁରପାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଅଞ୍ଚଳରେ ଥିବା ଟାଟା ବିଏସଏଲ କମ୍ପାନିରେ ଶ୍ରମିକ ଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ମୌଳିକ ଦାବି ନେଇ ଶ୍ରମିକମାନେ ଟ୍ରେଡ ୟୁନିଅନ ସାଧାରଣ ସମ୍ପାଦକ ଦେବାଶିଷ ହୋତାଙ୍କ ନେତୃତ୍ବରେ ଧାରଣାରେ ବସିଛନ୍ତି ।

ହୋତା ଅଭିଯୋଗ କରିଛନ୍ତି ଯେ ଟାଟା ବିଏସଏଲ ଶ୍ରମିକ ମାରଣ ନୀତି ଚଳାଇଛି ।  ଶ୍ରମିକଙ୍କ ଦରମା, ଫାଇନାଲ ଗ୍ରାଚୁଇଟି, ସ୍ଥାୟୀ ନିଯୁକ୍ତି ଓ ଆକସ୍ମିକ ଦୁର୍ଘଟଣା କ୍ଷତିପୂରଣ ବାବଦରେ ଅବହେଳା କରିବା ସହିତ କମ୍ପାନୀ ପରିସରରେ କାର୍ଯ୍ୟ କରୁଥିବା ବିଭିନ୍ନ ଛୋଟ ବଡ଼ ଠିକା କମ୍ପାନୀକୁ ପ୍ରତି ତିନି ବର୍ଷରେ ତାଙ୍କର କଣ୍ଟ୍ରାକ୍ଟକୁ ନବୀକରଣ କରୁଥିବାରୁ ଶ୍ରମିକମାନଙ୍କ ଚାକିରି ସ୍ଥାୟୀ ହୋଇପାରୁନାହିଁ । ଯେଉଁଥିପାଇଁ ଶ୍ରମିକମାନେ କୌଣସି ପ୍ରକାରର ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ହେଉଥିବା ସୁବିଧା ସୁଯୋଗ ପାଇ ପାରୁନାହାନ୍ତି। କମ୍ପାନୀ ପରିସରରେ ଠିକା ସଂସ୍ଥା ବର୍ଷା ନିଜର କର୍ମଚାରୀ ମାନଙ୍କୁ ଦୀର୍ଘ ଏକ ବର୍ଷ ଧରି ଦରମା ଓ ଫାଇନାଲ ଟଙ୍କା ଏପର୍ଯ୍ୟନ୍ତ ଦେଇନାହିଁ । ଉକ୍ତ ଠିକା ସଂସ୍ଥା କମ୍ପାନି ଛାଡ଼ି ପଳେଇଯାଇଥିଲେ ମଧ୍ୟ ବକେୟା ଦରମା ପାଇନାହାନ୍ତି।  ତେଣୁ ଟ୍ରେଡ଼ ୟୁନିୟନ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରିବା ସହିତ ଶ୍ରମିକ ମାନଙ୍କ ପ୍ରତି ତିନି ବର୍ଷରେ ହେଉଥିବା ନବୀକରଣକୁ ବନ୍ଦ କରିବା ପାଇଁ ଓ ବର୍ଷା ଠିକା ସଂସ୍ଥାରେ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବା ଦାବିରେ ଆଜି  ଶ୍ରମିକମାନେ କାରଖାନାର ଗେଟ ଆଗରେ ଅନଶନ କରି ବସି ରହିଛନ୍ତି ।

ରିପୋର୍ଟ ଲେଖା  ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ହେବ ଅନଶନକାରୀଙ୍କ ନିକଟରେ କାରଖାନା କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇପାରିନାହିଁ । ଏପରିକି ଜଣେ ପ୍ଲାଣ୍ଟ କର୍ମଚାରୀ ଆସି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି ବୋଲି ୟୁନିଅନ ସାଧାରଣ ସମ୍ପାଦକ ହୋତା ଅଭିଯୋଗ କରିବା ସହିତ କଣ୍ଟାବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଅନ୍ୟପକ୍ଷରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ ଇଣ୍ଡଷ୍ଟ୍ରିଆଲ୍ ଡିସ୍‌ପ୍ୟୁଟ୍ ଆକ୍ଟ- ୧୯୪୭ ଆଧାରରେ ଢ଼େଙ୍କାନାଳ ଡିଭିଜନାଲ ଶ୍ରମ କମିଶନରଙ୍କ ଦ୍ୱାରା ସମ୍ପୃକ୍ତ ଦୁଇ କଣ୍ଟ୍ରାକ୍ଟର, ବର୍ଷା ଏଣ୍ଟରପ୍ରାଇଜେସ ଏବଂ ଜୟ ମା ହିଙ୍ଗୁଳା ଇଲେକ୍ଟିକାଲ୍ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକର ସମାଧାନ କରାଯାଇଛି ।

ସମ୍ବନ୍ଧିତ ଖବର