୨୬ ଦାଦନ ଶ୍ରମିକ ଉଦ୍ଧାର, ୩ ଜଣ ଅଟକ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଇକ କତରା ଗ୍ରାମରୁ ୨୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ପୁଲିସ ଦାଦନ ଚାଲାଣ ଘଟଣାରେ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ବସ ଯୋଗେ ଗୁଣୁପୁର ଗୁଡାରି ଚାଲାଣ ହେଉଥିବା ୨୬ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି। ଏକ ରାସ୍ତା କାମରେ ନିୟୋଜିତ ହେବାଲାଗି ଦାଦନ ଶ୍ରମିକମାନେ ଯାଉଥିବା ଜଣାପଡିଛି।

ଜଗନ୍ନାଥ ନାମକ ଏକ ଘରେଇ ବସ (ଓଡି ୧୮ବି ୧୯୮୯)ରେ ଅପରାହ୍ନ ୩ ଟାରେ ସେମଳା ପଂଚାୟତ ପାଇକ କତରା ଗ୍ରାମରୁ ୨୬ ଜଣ ଦାଦନ ଶ୍ରମିକଙ୍କୁ ଧରି ବସଟି ଗୁଡାରି ଯିବା ସମୟରେ ପୁଲିସ ସୂଚନା ପାଇଥିଲା। ପାଇକ କତର ଗ୍ରାମରେ ପହଞ୍ଚି ବସକୁ ଅଟକ ରଖି ପୁଲିସ ପାପଡାହାଣ୍ଡି ଥାନାରେ ତଦନ୍ତ କରୁଛି।

ଗ୍ରାମର ଦୁର୍ଯ୍ୟୋଧନ ଦିଶାରୀ, ଗୋବର୍ଧନ ମାଝି, ଦେଗଣ ଦିଶାରୀ, ମନହର କୁମ୍ଭାର, ମନବୋଧ ପୂଜାରୀ, ଦୈତାରୀ ଖମ୍ବାର, ମହେନ୍ଦ୍ର ମାଝି, ତ୍ରିନାଥ ଖମ୍ବାର, ମନଧର ମାଝି, ଜଗନ୍ନାଥ ଖମ୍ବାର, ଚନ୍ଦ୍ର ଶେଖର ମାଝି, କୁଶ ପୂଜାରୀ, କମଳା ମାଝି, ଦୈମତି ଦିଶାରୀ, ଡୋମାର ମାଝି, ଟଭା ମାଝି, ତୁଳସା ମାଝି, ସୁବର୍ଣା କୁମ୍ଭାର, ତାରା ଚାଲାଣ, ସବିତା ମାଝି, ମଂଗଳଦେଇ ପୂଜାରୀ, କୁନି ପୂଜାରୀ, କୁସୁମ ଖମ୍ବାର, ଘାସମଣୀ ମାଝି, ଦନାଇ ମାଝି, ବୁଟି ପୂଜାରୀଙ୍କୁ ପୁଲିସ୍ ଉଦ୍ଧାର କରିଥିଲା। ଏଥି ସହ ପୁଲିସ୍ ବସର ଡ୍ରାଇଭର ଗଗନ ଶବର, ହେଲ୍‌ପର ବି ଶ୍ରୀନୁ, କଣ୍ଡକ୍ଟର ସନ୍ତୋଷ କୁମାର ଦାସଙ୍କୁ ଥାନାରେ ଆଣି ଅଟକ ରଖି ପଚାର ଉଚରା ଚଳାଇଛି। ବସର ପେରମିଟ ନବରଙ୍ଗପୁର ଠାରୁ ଭାୟା ଭବାନୀପାଟଣା ହୋଇ ପାରଳାଖେମୁଣ୍ଡି ଯାଏଁ ଅଛି। କିନ୍ତୁ ଜାତୀୟ ରାଜପଥରୁ ୩ କିମି ପାଇକ କତରା ବିନା ପରମିଟରେ ଯାଇଥିଲା। ଏହା ତଦନ୍ତର ବିଷୟ ବୋଲି ଥାନା ଅଧିକାରୀ କହିଛନ୍ତି। ଖବର ଲେଖା ଶେଷ ସୁଦ୍ଧା ଆଇଆଇସି ଶୁଭେନ୍ଦୁ ଶବରଙ୍କ ଉପସ୍ଥିତରେ ଦାଦନ ଶ୍ରମିକମାନଙ୍କ କାଉନସେଲିଂ ଚାଲିଥିଲା।

ସମ୍ବନ୍ଧିତ ଖବର