ନ୍ୟାୟ ପାଇଁ ଶୀତ କାକରରେ ପଡିଛନ୍ତି ଶ୍ରମିକ, ଶୁଣୁନି ପ୍ରଶାସନ 

କୋରାପୁଟ : ନ୍ୟାୟ ପାଇଁ ସପ୍ତାହେ ହେବ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୀତ କାକରରେ ପଡିଛନ୍ତି କୋଡିଙ୍ଗାମାଳିରେ କାର୍ଯ୍ୟ କରୁଥିବା ଶ୍ରମିକ । ବିନା କାରଣ ଦର୍ଶାଇ ସେମାନଙ୍କୁ ରାଜ୍ୟ ବାହାରକୁ ବଦଳି କରାଯାଇଥିବାବେଳେ ଅକାଠୁଆ ଶୀତରେ ପଡି ରହିଛନ୍ତି ଶ୍ରମିକ। ନା ପ୍ରଶାସନ ସେମାନଙ୍କ ଆଡକୁ ଚାହୁଁଛି ନା ସେମାନଙ୍କ ଦୁଃଖ ଶୁଣୁଛି। ଅଖିଆ ଅପିଆ ଶୀତକାକରରେ ପଡିଛନ୍ତିରେ ୩୪ଜଣରୁ ଅଧିକ ଶ୍ରମିକ। ଗତମାସ ୨୫ ତାରିଖ ସନ୍ଧ୍ୟାରୁ ଏବେ ଯାଏ ଏହି ଶ୍ରମିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବସିଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ଦେଉନାହିଁ ପ୍ରଶାସନ ।

ମିଳିଥିବା ସୂଚନା ମୁତାବକ ଗତବର୍ଷ ଡିସେମ୍ବର ୨୨ ତାରିଖରେ ବିନା ଦସ୍ତଖତରେ ଏକ ନୋଟିସ ଜାରି କରି ୩୪ ଜଣ ଶ୍ରମିକଙ୍କୁ ଜାମସେଦପୁରସ୍ଥିତ ୟୁସିଆରଏଲ ବା ୟୁରାନିୟମ ଖଣି କ୍ଷେତ୍ରକୁ କାର୍ଯ୍ୟ କରିବାକୁ ବଦଳି କରିଥିଲା। ଏହାପରେ ସେହି ମାସ ୨୮ ତାରିଖରେ ଇଲୋକଟ୍ରୋନିକ୍ସ ହାଜିରାରେ ଏହି ୩୪ଜଣ ଶ୍ରମିକଙ୍କର ନାମକୁ କାଟି ଦେଇଥିଲା । ଏନେଇ ୩୪ଜଣ ଶ୍ରମିକ କତ୍ତୃପକ୍ଷଙ୍କୁ ଅବଗତ କରିବାପରେ ମଧ୍ୟ କିଛି ଶୁଣି ନ ଥିଲେ। ପରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ସେଠାରୁ କିଛି ଫଳ ନ ମିଳିବାରୁ ସପ୍ତାହେ ହେବ ଧାରଣାରେ ବସିଥିଲେ ମଧ୍ୟ ସେମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି ।  ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ଦାବି ଶୁଣାଯିବ। କିନ୍ତୁ ସେମାନେ ଧାରଣାରୁ ଉଠୁ ନ ଥିବାରୁ ସମାଧାନ ହୋଇପାରୁନି ବୋଲି କତ୍ତୃର୍ପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର