ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ କଟରପଡ଼ା ପଞ୍ଚାୟତ ଅନ୍ତର୍ଗତ ପିଠାପଡ଼ା ଗ୍ରାମର ଜଣେ ଦଳିତ ଛାତ୍ରୀ ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାଙ୍କ ପିତାମାତା ସର୍ବସ୍ବାନ୍ତ ହୋଇଯାଇଥିଲେ ମଧ୍ୟ ରୋଗ ଭଲ ହୋଇପାରି ନାହିଁ। ଏବେ ଛାତ୍ରୀଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ଜଣାପଡ଼ିଛି। ସୂଚନା ମୁତାବକ, ପିଠାପଠା ଗ୍ରାମର ଦଳିତ ବର୍ଗର ଅମୀୟ ଗୁରୁ ଜଣେ ଭୂମିହୀନ ବ୍ୟକ୍ତି। ପତ୍ନୀ ରଶ୍ମିତା, ୮ବର୍ଷର ଝିଅ ପିଙ୍କି ଓ ଦେଢ଼ବର୍ଷର ପୁଅକୁ ଅମୀୟଙ୍କ ସଂସାର। ସେ ଅଞ୍ଚଳରେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରନ୍ତି। ଏପରିସ୍ଥଳେ, ପିଠାପଡ଼ା ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଝିଅ ପିଙ୍କି ଅଚାନକ ଅସୁସ୍ଥ ହୋଇପଡ଼ିଲେ। ପିତାମାତା ସ୍ଥାନୀୟ ଡାକ୍ତର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଔଷଧ ଆଣି ଦେଇଥିଲେ। ମାତ୍ର ରୋଗ ଭଲ ହୋଇ ନ ଥିଲା। ଶେଷରେ ଗ୍ରାମବାସୀଙ୍କ ପରାମର୍ଶକ୍ରମେ ପିତାମାତା ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା ପରେ ପ୍ରିୟଙ୍କା ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ବାପା ଅମୀୟ ଭାଙ୍ଗି ପଡ଼ିଥିଲେ। ଅମୀୟଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ କିପରି ଝିଅର ଚିକିତ୍ସା କରାଇବେ ଚିନ୍ତିତ ହୋଇପଡ଼ିଥିଲେ। ଘରେ ଥିବା ସମସ୍ତ ଆସବାବପତ୍ର ବିକ୍ରି କରିବା ସହ ଗ୍ରାମବାସୀଙ୍କ ଆର୍ଥିକ ସହାୟତାକୁ ପାଥେୟ କରି ସେ ପ୍ରିୟଙ୍କାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ।

Advertisment

ଇତିମଧ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ‌ସେ ସର୍ବସ୍ବାନ୍ତ ହୋଇଗଲେଣି। ତଥାପି ପ୍ରିୟଙ୍କା ଆରୋଗ୍ୟ ଲାଭ କରିପାରି ନାହାନ୍ତି। ବରଂ, ଦିନକୁ ଦିନ ତାଙ୍କର ଶରୀର କ୍ଷୀଣ ହେବାରେ ଲାଗିଛି। ପ୍ରିୟଙ୍କାର ଚିକିତ୍ସା ପାଇଁ ବହୁ ଅଧିକ ଟଙ୍କାର ଆବଶ୍ୟକତା ରହିଥିବା ଡାକ୍ତର କହିଛନ୍ତି। ନିଷ୍ପାପ ଶିଶୁକନ୍ୟା ପ୍ରିୟଙ୍କାଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ସଂଗଠନ ଚିକିତ୍ସା ପାଇଁ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଛନ୍ତି।