ରାଇରଙ୍ଗପୁର: ନିରାପଦ ମାତୃତ୍ବ ପାଇଁ ସରକାରଙ୍କ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହେଉଛି। ମାତୃ ଏବଂ ଶିଶୁ ମାତୃତ୍ବହାରକୁ ଯଥା ସମ୍ଭବ ହ୍ରାସ କରିବା ପାଇଁ ବିଭିନ୍ନ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରି ବିପୁଳ ଅର୍ଥ ବ୍ୟୟ ହେଉଛି। ଗର୍ଭଧାରଣ ଠାରୁ ଆରମ୍ଭ କରି ସୁରକ୍ଷିତ ପ୍ରସବ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି ନିଶୁଳ୍କ ସେବା। ଟିକାକରଣ, ପୁଷ୍ଟିକର ଖାଦ୍ୟ ସମେତ ସ୍ୱାସ ସମ୍ବନ୍ଧୀୟ ପରାମର୍ଶ। ଏହାସତ୍ୱେ ସରକାରୀ ସ୍ୱାସ୍ଥକେନ୍ଦ୍ର ଉପରେ ଗର୍ଭବତୀ ଏବଂ ସେମାନଙ୍କ ପରିବାର ଲୋକେ ଭରସା ତୁଟାଇ ପାରୁ ନାହାଁନ୍ତି । ଦୂର୍ବଳ ଭିର୍ତିଭୂମି ଏବଂ ଆବଶ୍ୟକ ଅତ୍ୟାଧୁନିକ ସରଞ୍ଜାମ ଅଭାବ ଥିବାରୁ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି କିମ୍ବା ଗୋଷ୍ଠୀ ସ୍ୱାସକେନ୍ଦ୍ରର ଡାକ୍ତରମାନେ ଉପଖଣ୍ଡ ଚିକିତ୍ସ୍ୟାଳୟକୁ ରେଫର୍ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ଅଧିକାଂଶ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ। ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଗୁଡିକରେ ଦିନକୁ ଦିନ ପ୍ରସବ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦୀର୍ଘବର୍ଷ ହେବ ଉପଖଣ୍ଡର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରର ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି। ଯାହାଫଳରେ ଲୋକେ ବାଧ୍ୟ ହୋଇ ରାଇରଙ୍ଗପୁର କିମ୍ବା କରଞ୍ଜିଆ ଉପଖଣ୍ଡ ଚିକିତ୍ସ୍ୟାଳୟ ନଚେତ୍ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ୍ କଲେଜକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ବେଳେ ବେଳ ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଉତ୍ତମ ଚିକିତ୍ସ୍ୟା ମିଳୁ ନଥିବା ଅଭିଯୋଗ ହୁଏ।

Advertisment

ଜନସଂଖ୍ୟା ବଢିବା ସହିତ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ରୋଗୀଙ୍କ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ଜରୁରୀ ହୋଇ ପଡୁଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଗୁଡିକରେ ବିଶେଷଜ୍ଞ ଡାକ୍ତର ନ ରହିବା ଏକ ପରିତାପର ବିଷୟ। ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଗୁଡିକରେ ଏମବିବିଏସ୍ ଡାକ୍ତର ଓ ସୁଇପର୍ ମାନେ ପ୍ରସୂତିଙ୍କ ଡେଲିଭରି କରାଉଥିବାର ଅଭିଯୋଗ ହୋଇଥାଏ। ଫଳରେ ପ୍ରସୂତିଙ୍କ ସମ୍ପର୍କୀୟ ମାନେ ବେସରକାରୀ ଡାକ୍ତରଖାନାରେ ଭଲ ସୁବିଧା ଓ ଚିକିତ୍ସ୍ୟା ମିଳୁଥିବାରୁ ଅଧିକ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଭର୍ତି କରିବାକୁ ବାଧ୍ୟ ହୋଇଥାନ୍ତି। ଏଣୁ ଯଥାଶୀଘ୍ର ଉପଖଣ୍ଡର ସମସ୍ତ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଗୁଡିକରେ ଅତିକମରେ ଜଣେ ଲେଖାଏଁ ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ସହ ଶିଶୁରୋଗ ବିଶେଷଜ୍ଞ ନିଯୁକ୍ତି ଦିଆଯାଉ ବୋଲି ଦାବି ହେଉଛି। ଏ ସମ୍ବନ୍ଧରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟର ଏସଡ଼ିଏମ୍ଓ ଡାକ୍ତର ରବିନ୍ଦ୍ର ମାରାଣ୍ଡିଙ୍କ ସହିତ ଯୋଗାଯୋଗ କରିବାରୁ ସେ ନୂତନ ଭାବେ ରାଇରଙ୍ଗପୁର ହସ୍ପିଟାଲରେ ଯୋଗ ଦେଇଛନ୍ତି। ତେବେ ପରବର୍ତୀ ସମୟରେ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଗୁଡିକରେ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି ଦିଆଯାଉ ବୋଲି ଉପରସ୍ଥ ଅଧିକାରୀଙ୍କ ନିକଟରେ ପ୍ରସ୍ତାବ ଦେବେ ବୋଲି ପ୍ରକାଶ କରିଛନ୍ତି।