ତେଲକୋଇ: ତେଲକୋଇ ଅଞ୍ଚଳରେ ମୌସୁମୀ ପ୍ରଭାବରେ ବର୍ଷା ଯୋଗୁଁ ଚାଷୀମାନେ ଚାଷକାମ ଆରମ୍ଭ କରିଛନ୍ତି। ତେବେ ଚାଷ ଆରମ୍ଭ ବେଳେ ସାର ମିଳୁ ନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଆଜି ଶିରିଗିଡ଼ା ଲ୍ୟାମ୍ପସ୍‌ ଅଧୀନ ଦେଉଳଡିହା ଶାଖାକୁ ସାର ପାଇଁ ଚାଷୀମାନେ ଆସିଥିଲେ। ସେମାନଙ୍କୁ ଚାହିଦା ମୁତାବକ ସାର ମିଳିନଥିବା ଜଣାପଡ଼ିଛି। ଜଣଙ୍କୁ ଗୋଟିଏ ଲେଖାଏଁ ସାର ବସ୍ତା ଦେବାକୁ ଦାୟିତ୍ବରେ ଥିବା କର୍ମଚାରୀ କହିଥିଲେ। ଏହାକୁ ନେଇ ଚାଷୀ ବିରକ୍ତି ପ୍ରକାଶ କରିବା ସହ ପାଟିତୁଣ୍ଡ କରିଥିଲେ।

Advertisment

ଚାଷକାମ ଛାଡ଼ି ସାର ପାଇଁ ଆସିଥିବା ଭୀମକାଣ୍ଡ, ସାମନାଳୀ, ଗୋଳାଗାଡିଆ, ଗୋଧିହୁଳି, ଉଦୟଗିରି ଗ୍ରାମର ଚାଷୀ ନିରାଶ ହୋଇ ଫେରିଯାଇଛନ୍ତି। ଲ୍ୟାମ୍ପସ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା ପାଇଁ ଚାଷୀମାନେ ହଇରାଣ ହେଉଛନ୍ତି ବୋଲି ଚାଷୀ ଈଶ୍ୱର ନାୟକ, ମହେଶ୍ୱର ନାୟକ, ନିରାକାର ନାୟକ, ମଧୁ ନାୟକ, କୃଷ୍ଣ ବେହେରା, ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଶିରିଗିଡ଼ା ଲ୍ୟାମ୍ପସର ଏମ୍‌ଡି ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ପଚାରିବାରୁ, ଶିରିଗିଡ଼ା ଲ୍ୟାମ୍ପସକୁ ୬୫୦ କୁଇଣ୍ଟାଲ ଡିଏପି, ୫୫୦ କୁଇଣ୍ଟାଲ ୟୁରିଆ, ୩୫୦ କୁଇଣ୍ଟାଲ ପଟାସ ଓ ୨୪୦ ବସ୍ତା ନାନୋ ୟୁରିଆ ଆସିଛି। ଦେଉଳଡିହା ଶାଖାରେ ସାର ଗଚ୍ଛିତ ରଖିବା ପାଇଁ ଆବଶ୍ୟକ ଗୃହ ନାହିଁ। ଯେତିକ ସାର ଗଚ୍ଛିତ ରଖାଯାଇଥିଲା ତାହାକୁ ଚାଷୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ଆଜି ଅଧିକ ଚାଷୀ ଏକକାଳୀନ ଆସିବାରୁ ସମସ୍ୟା ସୃଷ୍ଟି ହୋଇଛି। ଯେତିକି ସାର ଥିଲା ବଣ୍ଟନ କରାଯାଇଛି। ଆସନ୍ତାକାଲି ସାର ଆସିଲେ ଚାଷୀଙ୍କୁ ପୁଣି ବଣ୍ଟନ କରାଯିବ ବୋଲି ସେ କହିଛନ୍ତି।