ଦୁର୍ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନିଶ୍ଚିନ୍ତକୋଇଲି: ଦୁର୍ଘଟଣାରେ ଆହତ ହୋଇଥିବା ନିଶ୍ଚିନ୍ତକୋଇଲି ବ୍ଲକ୍‌ ବାଲିଆପଦା ପଞ୍ଚାୟତ ତେନ୍ତଲପୁର ଗ୍ରାମର ଅଶୋକ କୁମାର ଦାସ(୪୧)ଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଅଶୋକଙ୍କ ସଂସାର କହିଲେ ପତ୍ନୀ ମୋନାଲିସା ଓ ଏକମାତ୍ର ପୁଅ ଅମରଜିତ(୧୦)। ପରିବାର ପ୍ରତିପୋଷଣ କରିବା ନିମନ୍ତେ ଅଶୋକ ୨୦୧୫ ମସିହାରେ ଭୁବନେଶ୍ବରର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଭୁବନେଶ୍ବରର ହାଇଟେକ୍‌ ଛକରେ ଠିଆ ହୋଇଥିଲା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଡାହାଣ ଗୋଡ଼ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେତେବେଳେ ତାଙ୍କର ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଘରର ବିଭିନ୍ନ ସାମଗ୍ରୀ ବିକ୍ରି କରିବା ସହ ଗ୍ରାମବାସୀ ଓ ପରିଚିତଙ୍କ ଆର୍ଥିକ ସହାୟତାରେ ତାଙ୍କ ଚିକିତ୍ସା କରାଯାଇଥିଲା।

ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ବି ବହୁ କଷ୍ଟରେ ଏକ ଆଶାବାଡି ଧରି ସେ ସାମାନ୍ୟ ଚଳପ୍ରଚଳ ହେଉଛନ୍ତି। ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେଇଥିଲେ। ତେବେ, ଗୋଡ଼ର ଚିକିତ୍ସା ନିମନ୍ତେ ୫ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିବା ପରିବାର ଲୋକେ କହୁଛନ୍ତି। ଏତେ ଟଙ୍କା କେଉଁଠୁ ଆସିବ ସେ ନେଇ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଏପରିସ୍ଥଳେ ସରକାରଙ୍କ ତରଫରୁ ଅଶୋକଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର