ମହେଶ୍ବର ଅପପୁଷ୍ଟିର ଶିକାର; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମେକା ଗ୍ରାମରେ ବାସ କରନ୍ତି ଗଂଗାଧର ଦାସ ଏବଂ ତାଂକ ପରିବାର। ପରିବାର କହିଲେ ପତ୍ନୀ ମୁନି ଦାସ ଏବଂ ଚାରି ସନ୍ତାନ। ଗଂଗାଧରଙ୍କ ସାନ ପୁଅ ମହେଶ୍ବର(୫) ଏବେ ଅପପୁଷ୍ଟିର ଶିକାର ହୋଇ ଶଯ୍ୟାଶାୟୀ ହୋଇଛି।ବାପା ଓ ମାଆ ତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେକି ଟେକି ନେଉଥିବା ଦେଖିବାକୁ ମିଳିଛି। ପୁଅର ଚିକିତ୍ସା ପାଇଁ ବାପା ଗଂଗାଧର ପ୍ରଥମେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ। ତେବେ ସେଠାରେ ଭଲ ନହେବାରୁ ତାଂକୁ କୋରାପୁଟ ମେଡିକାଲକୁ ନିଆଯାଇଥିଲା।ସେଠାରେ ମଧ୍ୟ ଭଲ ନହେବାରୁ ବାଧ୍ୟ ହୋଇ ପରିବାର ଲୋକେ ତାକୁ ଘରକୁ ଫେରାଇ ଆଣିଥିଲେ। ପ୍ରକାଶ ଥାଉକି ଗଂଗାଧର ଜଣେ ଦିନ ମଜୁରିଆ ହୋଇଥିବାରୁ ଯାହା ରୋଜଗାର କରନ୍ତି ସେତିକିରେ ତାଂକର ପରିବାର ଚଳେ।ଅର୍ଥାଭାବ ଯୋଗୁଁ ସେ ପୁଅର ଚିକିତ୍ସା କରାଇବାରେ ଅସମର୍ଥ ବୋଲି କହନ୍ତି।

ଯାହା ରୋଜଗାର କରନ୍ତି ସେତିକିରେ ପରିବାର ପ୍ରତିପୋଷଣ କରିବା ପାଇଁ କଷ୍ଟ ହେଉଥିବା ବେଳେ ପୁଅର ଚିକିତ୍ସା ପାଇଁ କେଉଁଠୁ ଅର୍ଥ ଆଣିବେ ବୋଲି କହିଥିଲେ। ପୁଅର ଚିକିତ୍ସା ପାଇଁ ପ୍ରଶାସନ ନିକଟରେ ଯେତେ ନେହୁରା ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ସରକାରଙ୍କର ସହାୟତା ହେଲେ ହୁଏତ ପୁଅର ଚିକିତ୍ସା ହୋଇପାରିବ ବୋଲି ସେ କହିଥିଲେ। ତେବେ ବ୍ଲକ ପ୍ରଶାସନ ହେଉ ବା ଜିଲ୍ଲା ପ୍ରଶାସନ ଅଥବା କେହି ବଦାନ୍ୟ ବ୍ୟକ୍ତି ଯଦି ମହେଶ୍ବରର ଚିକିତ୍ସା ପାଇଁ ସହଯୋଗ କରିଥାନ୍ତେ ତେବେ ସେ ହସିଥାନ୍ତା ବୋଲି ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର